ପିଏଫଆଇ ଉପରେ ଏନଆଇଏ, ଇଡିର ମିଳିତ ମାଡ

Spread the love

ନୂଆଦିଲ୍ଲୀ: ୧୦ଟି ରାଜ୍ୟରେ ଆଜି ଏନଆଇଏ ଓ ଇଡି ପପୁଲାର ଫ୍ରଣ୍ଟ ଇଣ୍ଡିଆ (ପିଏଫଆଇ)  ନେତାଙ୍କ ଘରେ ଚଢ଼ାଉ କରି ବଡ଼ ଧରଣର ଗିରଫଦାରି କରିଛି। ଶତାଧିକ ନେତାଙ୍କୁ ଗିରଫ କଲାଣି ଏନଆଇଏ। ଏହାକୁ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ରେଡ୍ ବୋଲି ବିବେଚନା କରାଯାଉଛି। ଏନଆଇଏ, ଇଡି ଓ ରାଜ୍ୟ ପୁଲିସ ମିଳିତ ଭାବେ ଏହି ଚଢ଼ାଉ ଓ ଗିରଫଦାରି କରିଛି। ପିଏଫଆଇର ଶତାଧିକ କ୍ୟାଡରଙ୍କୁ ଗିରଫ ପ୍ରତିବାଦରେ କର୍ଣ୍ଣାଟକ, ତାମିଲନାଡ଼ୁରେ ପିଏଫଆଇ ସଦସ୍ୟ ପ୍ରତିବାଦ।

ଆତଙ୍କବାଦୀଙ୍କୁ ତାଲିମ ଦେବା, ସେମାନଙ୍କୁ ପାଣ୍ଠି ଯୋଗାଇବା, ଆତଙ୍କି କାର୍ଯ୍ୟକଳାପ ଲାଗି ପ୍ରୋତ୍ସାହିତ କରିବା ଓ ସର୍ବୋପରି ଧର୍ମ ଓ ବିଭିନ୍ନ ଗୋଷ୍ଠୀ ଭିତରେ ଘୃଣା ଓ ହିଂସା ଭିଆଉଛନ୍ତି ପିଏଫଆଇ କ୍ୟାଡର୍। ପିଏଫଆଇ ବା ପପୁଲାର ଫ୍ରଣ୍ଟ ନେତାଙ୍କ ଏହି କାର୍ଯ୍ୟକଳାପକୁ ଅଙ୍କୁଶ ଲଗାଇବାକୁ ଆଜି ଦେଶରେ ପ୍ରଥମ କରି ବଡ଼ ଧରଣର ଚଢ଼ାଉ ହୋଇଛି। ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଏନଆଇଏ, ଇଡି ଓ ରାଜ୍ୟ ପୁଲିସର ମିଳିତ ଟିମ୍ ୧୦ଟି ରାଜ୍ୟରେ ପିଏଫଆଇ ନେତାଙ୍କ ଘରେ ରେଡ୍ କରିଛି।

ଶତାଧିକ ପିଏଫଆଇ ନେତାଙ୍କୁ ଗିରଫ କରାଯାଇଛି। ତେଲେଙ୍ଗାନା, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ୟୁପି, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ ଭଳି ୧୦ଟି ରାଜ୍ୟରେ ଏହି ଚଢ଼ାଉ ହୋଇଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ ଏହି ରେଡ୍ ହୋଇଛି। ପିଏଫଆଇ ଅଧ୍ୟକ୍ଷ ଓମା ସାଲେମ, କେରଳ ମୁଖ୍ୟ ସିପି ମହମ୍ମଦ ବସିର, ଜାତୀୟ ସମ୍ପାଦକ ଭିପି ନଜରୁଦ୍ଦିନ ଓ ଜାତୀୟ କାଉନସିଲ ମେମ୍ୱର ପ୍ରଫେସର ପି କୋୟାଙ୍କ ଭଳି ତୁଙ୍ଗ ପିଏଫଆଇ ନେତାଙ୍କୁ ଗିରଫ କରାଯାଇଛି।

ସେପଟେ ରେଡ୍ ଓ ଗିରଫଦାରି ପ୍ରତିବାଦରେ ପିଏଫଆଇ ସଦସ୍ୟମାନେ ଚେନ୍ନାଇର ଏନଆଇଏ ଅଫିସ ଆଗରେ ପ୍ରତିବାଦ, ଧାରଣା ଓ ବିକ୍ଷୋଭ କରିଛନ୍ତି।  ଆନ୍ଧ୍ରରେ ଏସଡିପିଆଇ କର୍ମୀ ଏନଆଇଏ ଗୋ ବ୍ୟାକ୍  ସ୍ଳୋଗାନ୍ ଦେଇ ପ୍ରତିବାଦକରିଛନ୍ତି।  କୁରନୁଲ ଜିଲ୍ଲାରେ ଜଣ ଏସଡିପିଆଇ ନେତାଙ୍କ ଘରେ ରେଡ କରୁଥିବାରୁ ଏହାକୁ ବିରୋଧ କରିଥିଲେ କର୍ମୀ। ତେଲେଙ୍ଗାନାର ପିଏଫଆଇ ହେଡ୍ ଅଫିସକୁ ସିଲ୍ କରିଛି ଏନଆଇଏ। ମହାରାଷ୍ଟ୍ରର ପୁଣେରୁ ପିଏଫଆଇ ସଦସ୍ୟଙ୍କୁ ବି ଗିରଫ କରିଛି ଏନଆଇଏ।

୨୦ରୁ ଅଧିକ ସଦସ୍ୟଙ୍କୁ ପିଏଫଆଇ ସହ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ରରୁ ଗିରଫ କରାଯାଇଛି। ଆଇପିସିର ବିଭିନ୍ନ ଧାରା ଓ ଦେଶଦ୍ରୋହ ମାମଲା ଅଭିଯୋଗରେ ନଭି ମୁମ୍ୱାଇ, ନାସିକ୍, ଔରଙ୍ଗାବାଦରୁ ଅଭିଯୁକ୍ତଙ୍କୁ ବାନ୍ଧିଛି ଏଟିଏସ। ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ବି ପିଏଫଆଇ ସଦସ୍ୟ ଓ ଏହି ସଂଗଠନ ସହ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ଘର ଓ ଅଫିସରେ ରେଡ୍ ହୋଇଛି। କୋଲକାତାରେ ବି ପିଏଫଆଇ ସଦସ୍ୟଙ୍କ ଘରେ ରେଡ୍ ହୋଇଛି। ରାଜସ୍ଥାନର ଜୟପୁରର ମୋତି ଡୁଙ୍ଗରି ରୋଡରେ ଥିବା ପିଏଫଆଇ ଅଫିସ ଉପରେ ବି ଚଢ଼ାଉ କରିଛି ଟିମ୍।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନଏସଏ, ଗୃହ ସଚିବ, ଏନଆଇଏ ଡିଜିଙ୍କ ସହ ଦିଲ୍ଲୀରେ ବୈଠକ କରି ପିଏଫଆଇ ଉପରେ ରେଡ୍‌କୁ ନେଇ ସମୀକ୍ଷା କରିଥିଲେ। ଏନଆଇଏ ଚଳିତ ମାସରେ ବି ତେଲେଙ୍ଗାନା ଓ ଆନ୍ଧ୍ରରେ ୪୦ଟି ସ୍ଥାନରେ ରେଡ୍ କରିଥିଲା। ୪ ଜଣଙ୍କୁ ଅଟକ ବି ରଖିଥିଲା। ତେଲେଙ୍ଗାନାରେ ୩୮ଟି ଓ ଆନ୍ଧ୍ରର ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ମାସ ଆରମ୍ଭରୁ। ନିଜାମାବାଦ ଜିଲ୍ଲାର ଅବଦୁଲ ଖାଦେର ସହ ସଂପୃକ୍ତି ମାମଲାରେ ଏହି ଚଢ଼ାଉ କରିଥିଲା।ବହୁ ଆପତ୍ତିଜନକ ସାମଗ୍ରୀ, ଡିଜିଟାଲ ଡିଭାଇସ୍, ଡକ୍ୟୁମେଣ୍ଟ ଓ ୮ଲକ୍ଷ ୩୧ହଜାର ୫ଶହ ଟଙ୍କା ବି ଜବତ କରିଥିଲା ସେତେବେଳେ ଏନଆଇଏ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *