ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ମେଳାକୁ ନେଇ ରାଜନୀତି

Spread the love

ନୂଆଦିଲ୍ଲୀ:  ଆଜିଠୁ ଦେଶରେ ନିଯୁକ୍ତି ମେଳାର ଶୁଭାରମ୍ଭ ହୋଇଛି। ଏହି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସମଗ୍ର ଦେଶରେ ୫୦ଟି ସ୍ଥାନରେ ୭୫ହଜାର ନୂଆ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି। ଆସନ୍ତା ବର୍ଷେ ଭିତରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଯୋଗାଇ ଦିଆଯିବ। ତେବେ  ମୋଦିଙ୍କ ଏହି ନିଯୁକ୍ତି ମେଳାକୁ ନେଇ ରାଜନୀତି ପ୍ରଖର ହୋଇଛି। ନିଯୁକ୍ତି ନାଁରେ ନିଜର ଭୋଟବ୍ୟାଙ୍କ ସଜାଡ଼ିବାକୁ କେବଳ ଏକ ପ୍ରୟାସ ବୋଲି ବିରୋଧୀ ଆରୋପ ଲଦିଛନ୍ତି।

ମୋଦିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ସେବାରୁ ସମର୍ପଣ ଅଭିଯାନ ଜରିଆରେ ବିଜେପି ପାଳିଆସୁଥିଲା ବେଳେ ଏହାକୁ ସେହି ଦିନ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ ପାଳିଆସୁଛି ଯୁବ କଂଗ୍ରେସ। ଚାଷୀର ଆୟ କମିବା, ତେଲ ଦର ବୃଦ୍ଧି, ୨୦ ଲକ୍ଷ କୋଟି ଟଙ୍କାର ଜୁମଲା ପ୍ୟାକେଜ, ଜିଡିପି ହ୍ରାସର ଲମ୍ୱା ତାଲିକା ମୋଦିଙ୍କ ଶାସନର ରେକର୍ଡ ବୋଲି ଦର୍ଶାଇ କଟାକ୍ଷ କରିଆସୁଛି ଯୁବ କଂଗ୍ରେସ। ଆଉ ବେରୋଜଗାର ଦିବସ ପାଳନର ଯଥାର୍ଥ ବୋଲି କହିଆସୁଛି। ବର୍ଷକ ଭିତରେ ବେରୋଜଗାର ୨.୪ ପ୍ରତିଶତରୁ ବଢି ୧୦.୩ ପ୍ରତିଶତକୁ ଛୁଇଁଛି। ମୋଦି ସରକାର କେବଳ ନିଜର ବ୍ରାଣ୍ଡିଂ ଓ ଅପପ୍ରଚାରରେ ବ୍ୟସ୍ତ ବୋଲି ଆରୋପ ଲଦିଆସିଛନ୍ତି ବିରୋଧୀ। ହେଲେ ଆଜି ଅମିତ ଶାହାଙ୍କ ଜନ୍ମଦିନ। ଆଉ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି କି, ଶାହାଙ୍କ ଜନ୍ମଦିନରେ ଦୀପାବଳି ଆଗରୁ ମୋଦି ଦେଶର ଯୁବକଯୁବତୀଙ୍କୁ ଏହି ଭେଟି ଦେଇଛନ୍ତି ବୋଧହୁଏ।

ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ତାଙ୍କର ୮ବର୍ଷର ପ୍ରଧାନମନ୍ତ୍ରୀତ୍ୱ କାଳରେ କେବଳ ୭ ଲକ୍ଷଙ୍କୁ ନିଯୁକ୍ତି ଦେଇପାରିଛନ୍ତି। ୨୨ କୋଟି ପିଲା ଚାକିରୀ ଲାଗି ଆବେଦନ କରି ଅନାଇ ବସିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ୬୦ ଲକ୍ଷ ପଦବୀ ଖାଲି ପଡ଼ିଛି। ସେପଟେ ଭାରତ ଯୋଡ଼ ଯାତ୍ରାରେ ବି ରାହୁଲ ଗାନ୍ଧୀ ବେରୋଜଗାର ମୁଦ୍ଦାକୁ ପ୍ରାଥମିକତା ଦେଇଛନ୍ତି। ସେପଟେ ବିଜେପି ବି ଏହାର କଡ଼ା କାଉଣ୍ଟର କରିଛି।

ବେରୋଜଗାରକୁ ନେଇ ଭାରତରେ ସ୍ଥିତି କେତେ ଯେ ଉଦବେଗଜନକ, ଏ ସବୁ ଚିତ୍ର ବୟାନ କରିବାକୁ ଯଥେଷ୍ଟ ଯେମିତି। ଏମିତି କିଛି ଘଟଣାର ଅବତାରଣା କଲେ ଏହା ସ୍ପଷ୍ଟ ହୋଇଯିବ। ବେରୋଜଗାର ଯେମିତି ଭାରତରେ ଅଦୃଶ୍ୟ ମହାମାରୀର ରୂପ ନେଇସାରିଛି କହିଲେ ଭୁଲ୍ ହେବନି।  ଗଲା ବର୍ଷ ହିମାଚଳପ୍ରଦେଶରେ ୪୨ଟି ସରକାରୀ ପଦବୀ ଲାଗି ବିଜ୍ଞପ୍ତି ବାହାରିଥିଲା। ଆଉ ଏ ସବୁ ପଦବୀ ଥିଲା ରାନ୍ଧୁଣିଆ, ମାଳି ଓ ପିଅନ ପାଇଁ। କିନ୍ତୁ ୪୨ ପଦବୀ ଲାଗି ୧୮ହଜାର ଆବେଦନ କରିଥିଲେ। ଆଉ ଆବେଦନକାରୀଙ୍କ ଭିତରେ ବି ଅଧିକାଂଶ ଥିଲେ ଡାକ୍ତରୀ ଛାତ୍ର, ପିଜି ଛାତ୍ର। ଚଳିତ ବର୍ଷ ଜାନୁଆରୀରେ ବିହାର ଓ ଉତ୍ତରପ୍ରଦେଶରେ ରେଳବାଇରେ ନିଯୁକ୍ତି ଡ୍ରାଇଭ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଆନ୍ଦୋଳନକାରୀ ବେକାରୀ ଯୁବକ ସାମୂହିକ ଭାବେ ରାସ୍ତା ଅବରୋଧ ସହ ରେଳଟ୍ରାକ ଉପରେ ବସିଥିଲେ।

ଏପରିକି ଅନେକ ଟ୍ରେନରେ ନିଆଁ ବି ଲଗାଇଦେଇଥିଲେ। ରେଳବାଇରେ ୩୫ହଜାର କିରାଣୀ ଚାକିରୀ ପାଇଁ ୧୨ ମିଲିଅନ ପିଲା ଆବେଦନ କରିଥିଲେ। ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲା କୋର୍ଟ ପାଇଁ ଡ୍ରାଇଭର, ଝାଡ଼ୁଦାର, ମାଳି ଓ ଓ୍ୱାଚମ୍ୟାନ୍ ପାଇଁ ମାତ୍ର ୧୫ଟି ପଦବୀ ଲାଗି ପାଇଥିଲା ବିଜ୍ଞପ୍ତି।  ହେଲେ ୧୫ଟି ପଦବୀ ଲାଗି ୧୧ ହଜାରରୁ ଅଧିକ ଯୁବକ ଇଣ୍ଟରଭ୍ୟୁ ଦେବାକୁ ଆବେଦନ କରିଥିଲେ। ପ୍ରାର୍ଥୀଙ୍କ ଭିତରେ ଥିଲେ ଅଧିକାଂଶ ଏଲଏଏଲବି, ପିଜି, ବି-ଟେକ୍, ଏମବିଏ ଓ ପିଏଚଡି ଛାତ୍ରଛାତ୍ରୀ। ଓଡ଼ିଶା ବି ୨୦୧୫ରେ ଅନୁରୂପ ସ୍ଥିତି ଦେଖିଥିଲା। କଟକ ଜିଲ୍ଲା ଜଜ୍ ଅଫିସ ପରିସରରେ ଗ୍ରୁପ ଡି ପଦବୀ ଲାଗି ବାହାରିଥିବା ୫୩ ପଦବୀ ଲାଗି ୩୨ହଜାର ଆବେଦନକାରୀ ଥିଲେ। ତା ପୁଣି ୬ ବର୍ଷିଆ ଠିକା ନିଯୁକ୍ତି ଥିଲା। ବାରବାଟୀ ଷ୍ଟାଡିଅମରେ ଲିଖିତ ପରୀକ୍ଷା ଦେବାକୁ ଚାକିରୀ ଆଶାୟୀଙ୍କ ଅସମ୍ଭାଳ ଭିଡ଼ ଓ ଲମ୍ୱା ଲାଇନ ସୂଚାଉଥିଲା, କେତେ ଉଦବେଗଜନକ ବେରୋଜଗାରର ସ୍ଥିତି। ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍ ଓ ସର୍ବାଧିକ ମାଟ୍ରିକ ପାସ୍ ଥିଲେ ବି ବହୁ ଉଚ୍ଚଶିକ୍ଷିତ ଆବେଦନ କରିଥିଲେ। ଗଲା ବର୍ଷ ବିଜ୍ଞପ୍ତି ଆଉ ଏକ ତଥ୍ୟ କହୁଛି କି, ଭାରତରେ ଯୁବକଙ୍କ ଭିତରେ ବେରୋଜଗାର ହାର ୨୫ ପ୍ରତିଶତ ରହିଛି। ଅର୍ଥାତ୍ ପ୍ରତି ଚାରି ଜଣରେ ଜଣେ ଚାକିରୀ ପାଉଛି।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ବା ସିଏମଆଇର ତଥ୍ୟ ଅନୁସାରେ ଜାନୁଆରୀରୁ ଏପ୍ରିଲ ୨୦୨୨ ଭିତରେ ଗ୍ରାଜୁଏଟଙ୍କ ଭିତରେ ବେରୋଜଗାରର ହାର ୧୭.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ରାଜସ୍ଥାନ, ବିହାର ଓ ଆନ୍ଧ୍ର ଭଳି ରାଜ୍ୟ ଗ୍ରାଜୁଏଟଙ୍କ ଭିତରୁ ଏକ ତୃତୀୟାଂଶଙ୍କୁ ବି ନିଯୁକ୍ତି ଦେବାରେ ଫେଲ୍ ମାରିଥିଲେ। ସିଏମଆଇର ରିପୋର୍ଟ ଅନୁସାରେ, ବିହାରରେ ଅଧିକ ବେରୋଜଗାରର ହାର ରହିଛି। ବିନା କାମରେ ରାଜ୍ୟର ୩୪.୨ ପ୍ରତିଶତ ଗ୍ରାଜୁଏଟ ଘରେ ବସିଛନ୍ତି। ଗୁଜୁରାଟ, କର୍ଣ୍ଣାଟକ ଓ ଓଡ଼ିଶା ସରକାର ଏପ୍ରିଲ ସୁଦ୍ଧା ୧୦ ପ୍ରତିଶତରୁ କମ୍ ଗ୍ରାଜୁଏଟଙ୍କୁ ନିଯୁକ୍ତି ଦେଇପାରିଥିଲେ।  କର୍ଣ୍ଣାଟକ ଏକ ମାତ୍ର ରାଜ୍ୟ ଯିଏ କି, ୨୦୧୬ରୁ ଗ୍ରାଜୁଏଟଙ୍କୁ ନିଯୁକ୍ତି ଦେବାରେ ସବୁବେଳେ ୧୧ ପ୍ରତିଶତରୁ କମ୍ ହାରରେ ରହିଆସିଛି। ଏପରିକି ଶିଳ୍ପ ସମୃଦ୍ଧ ଓ ଆଇଟି ହବ୍ ଭାବେ ପରିଚିତ ମହାରାଷ୍ଟ୍ର ଓ ତାମିଲନାଡ଼ୁ ରେ ବି ନିଯୁକ୍ତି ହାର ବହୁତ କମ୍ ରହିଛି। ମହାରାଷ୍ଟ୍ର ମାତ୍ର ୯.୪ ଓ ତାମିଲନାଡ଼ୁ ୧୦.୬ ପ୍ରତିଶତ ଗ୍ରାଜୁଏଟଙ୍କୁ ନିଯୁକ୍ତି ଦେଇପାରିଛି। ଯଦିଓ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏହାକୁ ନେଇ କହିଥିଲା କି, ନିଯୁକ୍ତି ହାର ସୃଷ୍ଟିରେ ସୁଧାର ଆସିଛି। ତେବେ ଜୁନ୍ ୨୦୨୨ରେ ସିଏମଆଇର ତଥ୍ୟ ଏହାର ବିପରୀତ ତଥ୍ୟକୁ ଥୋଇଥିଲା। ୭.୧୨ରୁ ଅଚାନକ ବେରୋଜଗାର ହାର ୭.୮୦କୁ ବୃଦ୍ଧି ପାଇଛି।

ମେ ମାସରେ ସୃଷ୍ଟି ହୋଇଥିବା ୪୦୪ ମିଲିଅନ ଚାକିରୀରୁ କେବଳ ୩୯୦ ମିଲିଅନଙ୍କୁ ଜୁନ୍ ସୁଦ୍ଧା ଚାକିରୀ ଦିଆଯାଇପାରିଥିଲା। ୧୪ ମିଲିଅନ ଲୋକ ରୋଜଗାର ପାଇନଥିଲେ। ବିଶେଷକରି ଗ୍ରାମାଞ୍ଚଳରେ ରୋଜଗାର ହାର ଉଦବେଗଜନକ ସ୍ଥିତିରେ ପହଞ୍ଚିଥିଲା। ବଡ଼ କଥା ହେଲା କି, କୋଭିଡ୍ ଲକଡାଉନ ପରବର୍ତ୍ତୀ ସମୟରେ ଅର୍ଥାତ୍ ଜୁନ୍ ୨୦୨୨ ବେଳକୁ ବେରୋଜଗାର ହାର ବଢ଼ିଯାଇଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *