ଗୃହକୁ ଆଶ୍ବସ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ

Spread the love

() ଭାରତ-ଚୀନ ସେନା ସଂଘର୍ଷକୁ ନେଇ ସଂସଦରେ ହଙ୍ଗାମା। ପ୍ରତିରକ୍ଷା ମନ୍ତ୍ରୀ ଗୃହରେ ବିବୃତ୍ତି ରଖିବା ଆଗରୁ ଓ ବିବୃତ୍ତି ରଖିବା ପରେ ବିରୋଧୀ ଏହା ଉପରେ ଆଲୋଚନା ଲାଗି ଅଡ଼ି ବସିଥିଲେ। ଯାହାକୁ ଅନୁମତି ଦେଇନଥିଲେ ବାଚସ୍ପତି ଓମ୍ ବିର୍ଲା କି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ। ଏହା ସଂସଦୀୟ ପରମ୍ପରାର ବିରୁଦ୍ଧାଚରଣ ସହ ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗ କେଉଁ ଆଧାରରେ ଆଲୋଚନା ହେବ ବୋଲି ବିରୋଧୀଙ୍କୁ ବୁଝାଇଥିଲେ।

ଡିସେମ୍ୱର ୯ରେ ତଓ୍ୱାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ସଂସଦ ହୁଲସ୍ତୁଲ। ସୀମା ଓ ଭାରତୀୟ ସେନା ସୁରକ୍ଷା ଅଛନ୍ତି କି ନାଁ, ତାକୁ ନେଇ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ। ସବୁ କାର୍ଯ୍ୟ ବାତିଲ୍ କରି ଆଗ ଏହା ଉପରେ ଆଲୋଚନାକୁ ଆସନ୍ତୁ ସରକାର ବୋଲି ଗର୍ଜିଥିଲେ। ଉଭୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ରାଜ୍ୟସଭା ନେତା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଗୃହକୁ ଭରସା ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ବିବୃତ୍ତି ରଖିବେ। କିନ୍ତୁ ବିବୃତ୍ତି ଆଗରୁ ସରକାରଙ୍କ ସୀମା ସୁରକ୍ଷାକୁ ନେଇ ବର୍ଷିଥିଲେ ବିରୋଧୀ।

ଆଉ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୃହରେ ବିବୃତ୍ତି ରଖି ଗୃହକୁ ଆଶ୍ୱସ୍ତ କରିଥିଲେ କି, ଚୀନ୍ ସେନା ସହ ମୁହାଁମୁହିଁ ସତ୍ତ୍ୱେ କୌଣସି ଭାରତୀୟ ସୈନିକ ଗମ୍ଭୀର ଭାବେ ଆହତ ହୋଇନାହାନ୍ତି କି କାହାରି ମୃତ୍ୟୁ ହୋଇନି। ବରଂ ସଫଳତାର ସହ ଚୀନ ସୈନିକଙ୍କ ସହ ମୁକାବିଲା କରି ଭାରତୀୟ ସୀମାରୁ ପଛକୁ ହଟାଇଦିଆଯାଇଛି। ଆଉ ଉଭୟ ସଦନ ସେନାର ବୀରତା, ସାହସକୁ ଏକ ସ୍ୱରରେ ସମର୍ଥନ କରିବା ଜରୁରୀ। ବିନା ସଙ୍କୋଚରେ ସେନାର ପରାକ୍ରମକୁ ଅଭିନନ୍ଦନ କରିବା କଥା। ଆଉ ପ୍ରତିରକ୍ଷା ମନ୍ତ୍ରୀଙ୍କ କଥାକୁ ବି ସମର୍ଥନ କରିଥିଲେ ବାଚସ୍ପତି ଓ ରାଜ୍ୟସଭା ଉପାଧ୍ୟକ୍ଷ।

ସେପଟେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ଉପରେ ଆଲୋଚନା କାହିଁକି ହେବନି ବୋଲି ପଚାରିଥିଲେ ବରିଷ୍ଠ କଂଗ୍ରେସ ସାଂସଦ କୀର୍ତ୍ତି ଚିଦାମ୍ୱରମ। କିନ୍ତୁ ତାଙ୍କ ଭଳି ଅନୁଭବୀ ନେତା ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ କେଉଁ ଆଧାରରେ ଆଲୋଚନା ଚାହୁଁଛନ୍ତି ବୋଲି ବୁଝାଇଥିଲେ ଉପାଧ୍ୟକ୍ଷ।

ଆଉ ବିରୋଧୀଙ୍କ କଥା ନ ରହିବାରୁ ବାଧ୍ୟ ହୋଇ ସେମାନେ କକ୍ଷତ୍ୟାଗ କରିଥିଲେ। ଦେଶର ସୀମା ସୁରକ୍ଷା ଓ ସେନାଙ୍କ ଉପରେ ଭରସାକୁ ନେଇ ସେମାନଙ୍କର କୌଣସି ଦ୍ୱିମତ ନାହିଁ। କିନ୍ତୁ ଏହାର ବାସ୍ତବତାକୁ ସରକାର ସମସ୍ତଙ୍କ ଉପରେ ଥୋଇବା ଦରକାର ବୋଲି ଦାବି କରିଆସୁଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *