ହିଜାମ ପ୍ରତିବନ୍ଧକ ଅସମ୍ବିଧାନିକ, ଅଲୋକତାନ୍ତ୍ରିକ: ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ହିଜାବ ମାମଲାରେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ଦେଖାଦେଇଥିଲା ମତଭେଦ।   ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଶୋକ ଗାଙ୍ଗୁଲି। ଜଷ୍ଟିସ ଗାଙ୍ଗୁଲି ହିଜାବ ଉପରେ ପ୍ରତିବନ୍ଧକକୁ ନେଇ ଅଲୋକତାନ୍ତ୍ରିକ ଓ ଅସମ୍ବିଧାନିକ କହିଛନ୍ତି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏପରି କହିଛନ୍ତି।

ଜଷ୍ଟିସ ଗାଙ୍ଗୁଲି କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଭାରତୀୟ ସମ୍ବିଧାନ ସବୁ ଧର୍ମ ଓ ଭାଷାର ଲୋକଙ୍କୁ ସମାନ ଅଧିକାର ଦେଇଛି। କିନ୍ତୁ କିଛି ଦୁଷ୍ଟଶକ୍ତି ଦେଶର ସାଂସ୍କୃତିକ ମାହୋଲକୁ ନଷ୍ଟ କରିବାକୁ ବିଗତ କିଛି ଦିନ ଧରି ଚେଷ୍ଟା ଚଳାଇଛନ୍ତି। ସେ ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ନିଷ୍ପତ୍ତି ସହ ସହମତି ପ୍ରକାଶ କରିଛନ୍ତି। ହିଜାବ ପ୍ରତିବନ୍ଧକ ଅଲୋକତାନ୍ତ୍ରିକ ଓ ଅସମ୍ବିଧାନିକ ବୋଲି କହିଛନ୍ତି ଜଷ୍ଟିସ ଗାଙ୍ଗୁଲି।

ଜଷ୍ଟିସ ଗାଙ୍ଗୁଲି ଆହୁରି କହିଛନ୍ତି କି, ଏକ ଅନାବଶ୍ୟକ ପ୍ରତିବନ୍ଧକ ଉପରେ ସୁପ୍ରିମକୋର୍ଟରେ ଚର୍ଚ୍ଚା ହେଉଛି। ମୁଁ ଜଷ୍ଟିସ ଧୁଲିଆଙ୍କ ମତ ସହ ସହମତି ପ୍ରକାଶ କରୁଛି। ଜଷ୍ଟିସ ଧୁଲିଆ ହିଜାବ ଉପରେ ଜାରି ପ୍ରତିବନ୍ଧକକୁ ରଦ୍ଦ କରିବାକୁ କହିଥିଲେ। କିନ୍ତୁ ହେମନ୍ତ   ଗୁପ୍ତା ତାଙ୍କ ସହ ସହମତ ନ ଥିଲେ। ସେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଦାୟର ୨୬ ଅପିଲକୁ ଖାରଜ କରି ଦେଇଥିଲେ।

ଜଷ୍ଟିସ ଧୁଲିଆ କହିଥିଲେ, ସ୍କୁଲ ଗେଟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଙ୍କୁ ହିଜାବ ଖୋଲିବାକୁ କୁହାଯିବା  ପ୍ରଥମତଃ ସେମାନଙ୍କ ସ୍ବାଧୀନତାର ହନନ, ଦ୍ବିତୀୟରେ ଏହା ସେମାନଙ୍କ ଗରିମା ଉପରେ ଆକ୍ରମଣ। ଏହା ସ୍ପଷ୍ଟ ରୂପେ ଭାରତର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ), ଅନୁଚ୍ଛେଦ ୨୧ ଓ ଅନୁଚ୍ଛେଦ ୨୫(୧)ର ଉଲ୍ଲଙ୍ଘନ ଅଟେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *