ତିରୁବନନ୍ତପୁରମ: କେରଳର ପଲକଡ଼ ଅନ୍ତର୍ଗତ ବଡ଼କେଞ୍ଚେରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ୫ ଛାତ୍ର ଓ ଶିକ୍ଷକ ରହିଛନ୍ତି। ରାଜ୍ୟ ପରିବହନ ବସ ଓ ଯାତ୍ରୀବାହୀ ଘରୋଇ ବସ ଧକ୍କା। ୫ଜଣ ଛାତ୍ରଙ୍କ ସମେତ ୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ଆଜି ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁ କହିଛନ୍ତି।
ବୁଧବାର ରାତି ପ୍ରାୟ ୧୧.୩୦ରେ ଦ୍ରୁତ ଗତିରେ ଯାଉଥିବା ଘରୋଇ ବସ୍ଟି ଗୋଟାଏ କାର୍କୁ ଟପି ଯିବାକୁ ଉଦ୍ୟମ କରିବା ବେଳେ କେରଳ ରାଜ୍ୟ ସଡ଼କ ପରିବହନ ବସ୍ର ପଛରେ ଧକ୍କା ହୋଇଥିଲା। ଫଳରେ ବସ୍ ଦୁଇଟି ରାସ୍ତା କଡକୁ ଓଲଟି ପଡ଼ିଥିଲେ। ଏହି ଦୁର୍ଘଟଣାରେ ୫ଜଣ ଛାତ୍ର, ଜଣେ ଶିକ୍ଷକଙ୍କ ସମେତ ୯ଜଣଙ୍କର ମୃତ୍ୟୁ ହୋଇଛି।
କେରଳର କୋଟ୍ଟାରକ୍କାରାରୁ ତାମିଲନାଡୁର କୋଇମ୍ବାଟୁର୍ ଯାଉଥିବା କେରଳ ରାଜ୍ୟ ସଡ଼କ ପରିବହନ ବସ୍ରେ ୮୧ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ଘରୋଇ ବସ୍ରେ ଏର୍ଣ୍ଣାକୁଲମ୍ସ୍ଥିତ ବାସେଲିୟସ୍ ବିଦ୍ୟାନିକେତନ ସିନିୟର୍ ସେକେଣ୍ଡାରି ସ୍କୁଲ୍ର ୪୨ଜଣ ଛାତ୍ରଛାତ୍ରୀ ଓ ୫ଜଣ ଶିକ୍ଷକ ଯାଉଥିଲେ।
ଦୁର୍ଘଟଣା ଖବର ପାଇଁ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। କ୍ରେନ ଯୋଗେ ପ୍ରଥମେ ବସକୁ ସିଧା କରାଯିବା ପରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now