ବିଜୟାଦଶମୀରେ ୯୭ ବର୍ଷର ପରମ୍ପରା ଭାଙ୍ଗିଲା ଆରଏସଏସ

ନୂଆଦିଲ୍ଲୀ: ପବିତ୍ର ବିଜୟାଦଶମୀରେ ଅନେକ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବିଜୟାଦଶମୀରେ ଅସ୍ତ୍ର ଓ ଶସ୍ତ୍ର ପୂଜାର ପରମ୍ପରାକୁ ଅନୁପାଳନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସଶସ୍ତ୍ର ବଳ ହାତରେ ଦେଶ ନିରାପଦ ଅଛି ବୋଲି କହିଛନ୍ତି ରାଜନାଥ। ସେପଟେ ବିଜୟାଦଶମୀରେ ଆରଏସଏସ ଏଥର ନିଜର ୯୭ ବର୍ଷର ପରମ୍ପରାକୁ ଭାଙ୍ଗିଛି। ଦଶହରା ରାଲିରେ ପ୍ରଥମ ଥର ଜଣେ ମହିଳା ମୁଖ୍ୟ ଅତିଥି ହୋଇଛନ୍ତି ଉତ୍ସବରେ।

ପବିତ୍ର ବିଜୟାଦଶମୀରେ ଭାରତରେ ରହିଆସିଥିବା ପାରମ୍ପରିକ ଅସ୍ତ୍ର ଓ ଶସ୍ତ୍ର ପୂଜାର ବିଶ୍ୱାସ ଆଜି ବି ଅତୁଟ ରହିଛି। ସେଥିଲାଗି ତ ଭାରତ ଏକମାତ୍ର ଦେଶ, ଯେଉଁଠି  ଅସ୍ତ୍ରଶସ୍ତ୍ରର ପୂଜା ହେଉଛି। ଏହି ଅବସରରେ ଉତ୍ତରାଖଣ୍ଡ ଚାମୋଲିରେ ଥିବା ଆଉଲି ମିଲିଟାରୀ ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶସ୍ତ୍ର ପୂଜା କରିଛନ୍ତି। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ବି ଉପସ୍ଥିତ ଥିଲେ। ସଶସ୍ତ୍ର ବଳ ହାତରେ ଆମ ଦେଶ ନିରାପଦ ରହିଛି ବୋଲି ପୁରା ଦେଶବାସୀଙ୍କ ବିଶ୍ୱାସ। ସଶସ୍ତ୍ର ବଳ ସହ ପାରାମିଲିଟାରୀ ଫୋର୍ସର ଜବାନ ଆମ ଦେଶର ଗର୍ବ ଓ ଗୌରବ ବୋଲି କହିଛନ୍ତି ରାଜନାଥ। ଏହି ଅବସରରେ ଜବାନମାନେ ଏ ଓ୍ୱତନ୍ ଗୀତ ବୋଲି ମନ ମୋହିଥିଲେ।

ସେପଟେ ବିଜୟାଦଶମୀରେ ଦୀର୍ଘ ୯୭ ବର୍ଷର ପରମ୍ପରାକୁ ପ୍ରଥମ କରି ଭାଙ୍ଗିଛି ଆରଏସଏସ। ସଂଘର ଦଶହରା ରାଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଦୁଇ ଥର ଏଭରେଷ୍ଟ ପର୍ବତ ଆରୋହଣ କରିଥିବା ପ୍ରଥମ ମହିଳା ସନ୍ତୋଷ ଯାଦବ। ଏହି ଅବସରରେ ସଂଘ ପ୍ରତି ଥିବା ବିଭିନ୍ନ ଭ୍ରାନ୍ତଧାରଣାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ।

ଆରଏସଏସ ପାଇଁ ସଂଖ୍ୟାଲଘୁ ବିପଦରେ ଥିବା ଭୁଲ ଧାରଣା ରହିଛି। ନା ସଂଘ ନା ହିନ୍ଦୁଙ୍କର ଏଭଳି ମନୋଭାବ ରହିଛି। ଭାଇଚାରା, ସଂହତି ଓ ଶାନ୍ତି ପ୍ରତିଷ୍ଠା ଲାଗି ଆରଏସଏସ କାମ କରୁଛି। ମନ୍ଦିର, ପାଣି ଓ ମଶାଣି ସମସ୍ତଙ୍କ ଲାଗି ସାଧାରଣ ହେବା ଉଚିତ୍। ଏହାକୁ ନେଇ କନ୍ଦଳ କରିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି। ସମାଜରେ ଅସମାନତାକୁ ପ୍ରଶ୍ରୟ ଦିଆନଯାଉ। ଏଥିଲାଗି ନିରନ୍ତର କାମ କରିବା ଦରକାର। ହିନ୍ଦୁ ରାଷ୍ଟ୍ର କନସେପ୍ଟକୁ ନେଇ ସବୁଠି ଆଲୋଚନା। କିନ୍ତୁ ହିନ୍ଦୁ ଶବ୍ଦକୁ ବିରୋଧ ହେଉଛି। ଏଥିରେ ଆରଏସଏସର କୌଣସି ଅସୁବିଧା ନାହିଁ। ଧାର୍ମିକ ଭିତ୍ତିରେ ଜନସଂଖ୍ୟା ଅସମାନତା ପ୍ରସଙ୍ଗକୁ ଏଡ଼ାଇ ହେବନି।

ବିଜୟା ଦଶମୀରେ  ସୁଖ, ଶାନ୍ତି, ସମୃଦ୍ଧି କାମନା କରାଯାଇଛି ସବୁଠି। ଏହି ଅବସରରେ ଗୋଟିଏ ପଟେ ଦେଶର ନିରାପତ୍ତାକୁ ପ୍ରାଥମିକତା ଦେଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଛି ତ ଅନ୍ୟପଟେ ଦେଶରେ ଆଭ୍ୟନ୍ତରୀଣ ଶାନ୍ତି, ଭାଇଚାରା ରକ୍ଷା ଦିଗରେ କାହାର କି ଭୂମିକା ରହିବା ଦରକାର, ତାକୁ ବି ଚେତାଇ ଦିଆଯାଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *