ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ଆରଏସ୍ଏସ୍ ର ସେବାକାର୍ଯ୍ୟ

Spread the love

ଭୁବନେଶ୍ୱର : ଓଡିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାଧିକ ସ୍ୱୟଂସେବକ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସଂଗଠନର ସ୍ୱୟଂସେବକମାନେ ପ୍ରାୟ ୫୦୦ ୟୁନିଟ୍ ରକ୍ତ ଦାନ କରିଛନ୍ତି । ଦୁର୍ଘଟଣା ଘଟିଥିବା ନିକଟସ୍ଥ ବାହାନାଗା ଗାଁରେ ସଂଘର ଶାଖା ଥିବା କାରଣରୁ ପ୍ରଥମେ କମ୍ ସଂଖ୍ୟାରେ ସ୍ୱୟଂସେବକ ପହଁଚି ଥିଲେ । କିନ୍ତୁ ରାତି ବେଳକୁ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ଦୁର୍ଘଟଣାସ୍ଥଳରେ ପହଁଚି ଉଦ୍ଧାର ଓ ସେବା କାର୍ଯ୍ୟରେ ନିୟୋଜିତ ପ୍ରଶାସନ ଏବଂ ଯବାନମାନଙ୍କୁ ସାହାଯ୍ୟ କରିଥିଲେ । ଉଦ୍ଧାର କାର୍ଯ୍ୟରେ ଯେପରି ବିଳମ୍ବ ନହେଉ ସେଥିପାଇଁ ସ୍ୱୟଂସେବକମାନେ ଅଟୋ ଏବଂ ମୋଟରସାଇକେଲ ମାଧ୍ୟମରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାନେବା ଆରମ୍ଭ କରିଦେଇଥିଲେ । ସ୍ୱୟଂସେବକମାନେ ପ୍ରତିକୂଳ ପରିସ୍ଥିତିରେ ବଗି ଭିତରକୁ ଯାଇ ରାତିସାରା ଆହତମାନଙ୍କୁ ସ୍ଥାନାନ୍ତର କରିବାରେ ଲାଗିଲେ ଏବଂ ଅନ୍ୟ ସ୍ୱୟଂସେବକମାନେ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ।

ସଂଘର ପ୍ରାନ୍ତ ପ୍ରଚାରପ୍ରମୁଖ ରବି ନାରାୟଣ ପଣ୍ଡା କହିଛନ୍ତି ଯେ, ସ୍ୱୟଂସେବକମାନେ ପ୍ରଶାସନ ଏବଂ ଯବାନମାନଙ୍କ ସହିତ ମିଶି ଏହି ର୍ଦୁଘଟଣାରେ ଫସି ରହିଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ବଗି ଭିତରୁ ବାହାରକୁ ବାହାର କରିଥିଲେ । ସ୍ୱୟଂସେବକମାନେ ଆହତ ଯାତ୍ରୀଙ୍କୁ ବାହାରକୁ ବାହାର କରିବା ସହିତ ଆମ୍ବୁଲାନ୍ସରେ ବସାଇବା କାର୍ଯ୍ୟ ମଧ୍ୟ କରିଥିଲେ । ଆହତ ଯାତ୍ରୀମାନଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସଂଘର ବାଲେଶ୍ୱର ବିଭାଗ ପ୍ରଚାରକ ଚନ୍ଦ୍ରଶେଖର ମହାପାତ୍ରଙ୍କ ତତ୍ୱାବଧାନରେ ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ସେବାକାର୍ଯ୍ୟରେ ନିୟୋଜିତ ଥିଲେ । ଏଠାରେ ଆହତମାନଙ୍କ ପାଇଁ ସ୍ୱୟଂସେବକମାନଙ୍କ ତରଫରୁ ରକ୍ତଦାନ ଆରମ୍ଭ କରାଯାଇଥିଲା । ପ୍ରାୟ ୩୦୦ ସ୍ୱୟଂସେବକ ରକ୍ତଦାନ କରିଥିଲେ । ସେହିଭଳି କିଛି ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ଏବଂ ସୋର ଚିକିତ୍ସାଳୟକୁ ନିଆଯାଇଥିଲା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ହିନ୍ଦୁ ଜାଗରଣ ମଂଚ, ବଜରଙ୍ଗ ଦଳ, ସେବାଭାରତୀର ଶତାଧିକ ସ୍ୱୟଂସେବକ ନିରନ୍ତର ଭାବରେ ସାହାଯ୍ୟ କାର୍ଯ୍ୟରେ ନିୟୋଜିତ ଥିଲେ ।

ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସାହାଯ୍ୟ କରିବାରେ ସ୍ୱୟଂସେବକମାନେ ନିୟୋଜିତ ଥିଲେ । ସେହିଭଳି କଟକ ଏସ୍.ସି,ବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସଂଗଠନର ସେବା ବିଭାଗ ସହିତ ଜଡିତ ସ୍ୱୟଂସେବକମାନେ ସକ୍ରିୟ ରହିଥିଲେ । ଏହି ଆହତ ଯାତ୍ରୀମାନଙ୍କୁ ସେବା ଯୋଗାଇବା ସହିତ ସ୍ୱୟଂସେବକମାନେ ମଧ୍ୟ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବା ଏବଂ ସେମାନଙ୍କୁ ସୂଚନା ଦେବା କାର୍ଯ୍ୟରେ ନିୟୋଜିତ ଥିଲେ । ସଂଗଠନର କ୍ଷେତ୍ରସେବା ପ୍ରମୁଖ ଜଗଦୀଶ ପ୍ରସାଦ ଖାଡଙ୍ଗା ଏବଂ ପ୍ରାନ୍ତ ସେବାପ୍ରମୁଖ ଶାନ୍ତନୁ ମାଝି ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏହି ସେବାକାର୍ଯ୍ୟ ସେମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିଲା

Leave a Reply

Your email address will not be published. Required fields are marked *