ପିଏଫଆଇ ସମ୍ବନ୍ଧରେ କିଛି ଜାଣିବା କଥା

Spread the love

ନୂଆଦିଲ୍ଲୀ:  କେରଳରେ ୨୦୦୬ରେ ପ୍ରତିଷ୍ଠା ହୋଇଥିଲା ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ।  ୧୯୯୨ରେ ବାବ୍ରି ମସଜିଦ୍ ଭଙ୍ଗା ପରେ ତିନୋଟି ମୁସଲିମ ସଂଗଠନ ମିଶିକି ଏହି ଫ୍ରଣ୍ଟ ଗଠନ କରିଥିଲେ। ବିଶେଷ କରି ଦକ୍ଷିଣ ଭାରତରେ ଏହି ସଂଗଠନର ପ୍ରଭାବ ରହିଆସିଛି। ଏବେ ୨୨ଟି ରାଜ୍ୟକୁ ଏହାର ଶାଖା ମେଲିସାରିଛି। କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା, ସମାଜରେ ଘୃଣା ଓ ହିଂସା ସୃଷ୍ଟି କରିବାର ଆରୋପ ସବୁବେଳେ ଲାଗିଆସିଛି ଏହି ସଂଗଠନ ଉପରେ।

୧୯୯୨ରେ ବାବ୍ରି ମସଜିଦ୍ ଭାଙ୍ଗିବା ପରେ ତିନୋଟି ମୁସଲିମ ସଂଗଠନ ଏକାଠି ହୋଇଥିଲେ। କେରଳର ନାସନାଲ ଡେଭେଲପମେଣ୍ଟ ଫ୍ରଣ୍ଟ୍, କର୍ଣ୍ଣାଟକ ଫୋରମ ଅଫ ଡିଗନିଟି ଓ ଓ ତାମିଲନାଡ଼ୁର ମଣିଥା ନିଥି ପଶାରୀ। ୨୦୦୬ରେ ଗଢ଼ିଥିଲେ ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ। ଏବେ ଦେଶର ୨୨ଟି ରାଜ୍ୟରେ ଏହାର ଶାଖା ଥିବା ଦାବି କରୁଛି ପିଏଫଆଇ। ଧନୀ ରାଷ୍ଟ୍ରରୁ ପାଣ୍ଠି ସଂଗ୍ରହ କରିବାରେ ବେଶ୍ ପାରଙ୍ଗମ ଏହି ଫ୍ରଣ୍ଟ୍। କେରଳର କୋଝିକୋଡରେ ପ୍ରଥମେ ଏହି ସଂଗଠନର ହେଡକ୍ୱାର୍ଟର ଥିଲା। ପରେ ଏହା ଦିଲ୍ଲୀକୁ ସ୍ଥାନାନ୍ତର ହୋଇଛି। ଏହି ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଭାବେ କେରଳର ରାଜ୍ୟ ସଭାପତି ଏନ.ଇଲାମାରୋମ ଥିଲା ବେଳେ ସର୍ବଭାରତୀୟ ସଭାପତି ଅଛନ୍ତି ଇ.ଅବୁବାକର। ଅବୁବାକର ବି କେରଳର। ବିଶେଷ କରି ସଂଖ୍ୟାଲଘୁ, ଦଳିତ ଓ ଦୁର୍ବଳ ବର୍ଗକୁ ସଶକ୍ତିକରଣ କରିବା ସକାଶେ ଏହି ସଂଗଠନ କାମ କରେ ବୋଲି ଦାବି କରିଆସୁଛି। ୨୦୦୭ ଫେବୃଆରୀ ୧୬ରେ ବିଶାଳ ରାଲି କରି ବେଙ୍ଗାଲୁରୁରେ ପିଏଫଆଇ ବିଧିବଦ୍ଧ ଗଠନ ହେଲା ବୋଲି ଘୋଷଣା ହୋଇଥିଲା।

ଏମପାଓ୍ୱାର ଇଣ୍ଡିଆ କନଫରେନ୍ସ ବା ସଶକ୍ତ ଭାରତ ସମ୍ମିଳନୀର ଆୟୋଜନ କରି ନାଁ ଘୋଷଣା କରିଥିଲା ଏହି ସଂଗଠନ। ଷ୍ଟୁଡେଣ୍ଟ୍‌ସ ମୁଭମେଣ୍ଟ ଅଫ ଇଣ୍ଡିଆ ବା ସିମିକୁ ଭାରତରେ ବ୍ୟାନ୍ କରିବା ପରେ ପିଏଫଆଇ ନୂଆ ସଂଗଠନ ଭାବରେ ଏହାର ବିକଳ୍ପ ଭାବେ ମୁଣ୍ଡ ଟେକିଥିଲା ଦେଶରେ। ଦଳିତ, ସଂଖ୍ୟାଲଘୁ ଓ ଦୁର୍ବଳ ବର୍ଗଙ୍କ ଅଧିକାର ସକାଶେ ଲଢ଼ିବା ହିଁ ସଂଗଠନର ମୁଖ୍ୟ ଉଦେଶ୍ୟ ବୋଲି କହି ଆସୁଛନ୍ତି ଏହାର ସଦସ୍ୟ ଓ ନେତା। ଆରମ୍ଭରୁ କଂଗ୍ରେସ, ବିଜେପି ଓ ଜେଡିଏସର ଜନବିରୋଧୀ ନୀତିକୁ ଏହି ସଂଗଠନ ଟାର୍ଗେଟ କରି ଆସୁଥିଲା। ଏହି ତିନି ପ୍ରମୁଖ ଦଳ ପିଏଫଆଇ ଭଳି ସଂଗଠନ ସହ ସଂପୃକ୍ତି ଥିବାର ପରସ୍ପରକୁ କାଦୁଅ ଫିଙ୍ଗିଥିଲେ।

ଯଦିଓ ନିର୍ବାଚନ ସମୟରେ ମୁସଲିମ ଭୋଟକୁ ଟାଣିବାକୁ ଏ ସବୁ ଦଳ ପିଏଫଆଇର ସହଯୋଗ ଲୋଡ଼ିବାର ନଜିର ଅଛି। ଯଦିଓ ପିଏଫଆଇ ନିଜେ କେବେ ନିର୍ବାଚନୀ ମୈଦାନକୁ ଓହ୍ଲାଇନି ଏ ଯାଏ। ସାମାଜିକ ଓ ଧାର୍ମିକ କାମରେ ସଂପୃକ୍ତି ରହିଛି ଏହି ସଂଗଠନର। ବିଶେଷକରି ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ଓ ହିନ୍ଦୁ ଜାଗରଣ ଭଳି ହିନ୍ଦୁ ସଂଗଠନ ସଦୃଶ ଏହି ସଂଗଠନ ମୁସଲିମ ଧର୍ମ ସହ ଜଡ଼ିତ ସମସ୍ତ କାମ ପ୍ରତି ଆଗଭର ହୋଇଥାଏ। ବଡ଼ କଥା ହେଲା ପିଏଫଆଇ ଏହାର ସଦସ୍ୟଙ୍କ ରେକର୍ଡ ରଖେନି।

ସେଥିଲାଗି ଲ ଏନଫୋର୍ସମେଣ୍ଟ ଏଜେନ୍ସିକୁ କଷ୍ଟ ହୋଇଥାଏ, ଯଦି ଏହି ସଂଗଠନର ସଦସ୍ୟ କୌଣସି ବେଆଇନ କାର୍ଯ୍ୟକଳାପ ସହ ସଂପୃକ୍ତି ଧରାପଡ଼େ, ତେବେ ତାକୁ ପିଏଫଆଇ ସହ ଲିଂକ କରିବା ଓ ପ୍ରମାଣିତ କରିବା ସହଜ ହୋଇନଥାଏ ବୋଲି କୁହାଯାଏ। ୨୦୦୯ରେ ପିଏଫଆଇରୁ ଆଉ ଏକ ନୂଆ ସଂଗଠନର ସୃଷ୍ଟି ହୋଇଥିଲା। ଯାହାର ନାଁ ଥିଲା ଏସଡିପିଆଇ ବା ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ ଇଣ୍ଡିଆ।

ଏହି ସଂଗଠନର ବି ମୂଳ ଲକ୍ଷ୍ୟ ମୁସଲିମ, ଦଳିତ ଓ ବଞ୍ଚିତ ବର୍ଗଙ୍କ ଅଧିକାର ଲାଗି ଲଢ଼େଇ କରିବା। କେରଳରେ ଅନେକ ଜଘନ୍ୟ ହତ୍ୟାକାଣ୍ଡ, ହିଂସା, ଦଙ୍ଗା ଭିଆଇବା ଓ ଆତଙ୍କବାଦୀ ସଂପୃକ୍ତି ମାମଲାରେ ପିଏଫଆଇର ସଂପୃକ୍ତି ଓ ଉପସ୍ଥିତି ବାରି ହୋଇଛି।୨୦୧୨ରେ ତତ୍କାଳୀନ ଓମାନ୍ ଚାଣ୍ଡି ନେତୃତ୍ୱାଧୀନ କଂଗ୍ରେସ ସରକାର ହାଇକୋର୍ଟକୁ ଜଣାଇଥିଲେ କି, ପିଏଫଆଇ ବ୍ୟାନ୍ ହୋଇଥିବା ସିମି ସଂଗଠନର ଏକ ବିକଳ୍ପ ରୂପ। ସେତେବେଳେ ପିଏଫଆଇ କ୍ୟାଡର ୨୭ଟି ହତ୍ୟା ମାମଲାରେ ସଂପୃକ୍ତି ଥିବାର ସତ୍ୟପାଠ ବି ଦେଇଥିଲେ ଅଦାଲତରେ ସରକାର।

ସାମ୍ପ୍ରଦାୟିକ ଦଙ୍ଗା ଭିଆଇବାକୁ ଯାଇ ସିପିଏମ ଓ ଆରଏସଏସ କ୍ୟାଡରଙ୍କୁ ଅଧିକ ହତ୍ୟା କରିଥିଲେ ପିଏଫଆଇ ସଦସ୍ୟ। ଏହାର ଦୁଇ ବର୍ଷ ପରେ କେରଳ ସରକାର ପୁଣି ସତ୍ୟପାଠରେ ହାଇକୋର୍ଟକୁ କହିଥିଲେ କି, ଇସଲାମ ନାଁରେ ହିଂସା ଓ ବିଦ୍ୱେଷର ମଞ୍ଜି ବୁଣୁଛନ୍ତି ପିଏଫଆଇ। ଚଳିତ ବର୍ଷ ଏପ୍ରିଲରେ କେରଳ ବିଜେପି ପିଏଫଆଇ ଭଳି ସଂଗଠନର ଆତଙ୍କରାଜ ବିରୁଦ୍ଧରେ କ୍ୟାମ୍ପେନ ଆରମ୍ଭ କରିଛି। ଗଲା ୬ ବର୍ଷ ଭିତରେ ୨୪ ବିଜେପି ଓ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବାର ଆରୋପ ଲଦିଛି। ଏମନଙ୍କ ଭିତରୁ ୭ ଜଣଙ୍କୁ ହତ୍ୟା କରିଛନ୍ତି ପିଏଫଆଇ କ୍ୟାଡର୍।

ଏସଡିପିଆଇ ନିଜର ଉପସ୍ଥିତିକୁ ଜାହିର କରିସାରିଛି ଦକ୍ଷିଣ କନ୍ନଡ ଓ ଉଡୁପିରେ। ପଞ୍ଚାୟତ ଓ ପୌର ନିର୍ବାଚନରେ ଅଂଶଗ୍ରହଣ କରି ନିର୍ବାଚନ ଜିତି ନିଜର ଉପସ୍ଥିତି ଜାହିର କରିଛି। ୨୦୧୩ ଯାଏ ଏସଡିପିଆଇ କେବଳ ସ୍ଥାନୀୟ ନିର୍ବାଚନରେ ନିଜକୁ ସୀମିତ ରଖିଥିଲା।  ଏହା ପରେ କର୍ଣ୍ଣାଟକ ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଂଶ ଗ୍ରହଣ କରିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *