ସୋରେନଙ୍କ ଉପରେ ଇଡିର ପଞ୍ଝା ଶକ୍ତ

Spread the love

() ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଇଡିର ପଞ୍ଜା ଶକ୍ତ ହୋଇଛି। ବେଆଇନ ଖଣି ଖନନ ମାମଲାରେ ଇଡିର ଜେରାର ସମ୍ମୁଖୀନ ହୋଇଛନ୍ତି ସୋରେନ।ଜେରା ପାଇଁ ଇଡି ସମନ ପରେ ରାଜ୍ୟରେ ରାଜନୀତି ତେଜ ହୋଇଛି। ବିରୋଧ ସରକାର ଭାଙ୍ଗିବାକୁ ସବୁ ଜୋର ଲଗାଇଦେଇଥିବା ଅଭିଯୋଗ ଆଣିଛନ୍ତି ସୋରେନ। ସେ ଜଣେ ମୁଖ୍ୟମନ୍ତ୍ରୀ ବ୍ୟବସାୟୀ ନୁହଁନ୍ତି। ଦେଶ ଛାଡି କୁଆଡେ ପଳାଇ ଯାଉ ନାହାନ୍ତି। ଦେଶ ଛାଡିଥିବା ଲୋକେ ବ୍ୟବସାୟୀ, କୌଣସି ନେତା ନୁହଁନ୍ତି ବୋଲି ଇଡିର ଜବାବ ତଲବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଇଡି ଅଫିସ ପାଇଁ ସୋରେନ ସୁରକ୍ଷାବଳୟ ଭିତରେ ବାହାରିଥିଲେ।

ବେଆଇନ ଖଣି ଖନନକୁ ନେଇ ତନାଘନା। ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଇଡି ପଞ୍ଝା ଶକ୍ତ। ଇଡି ଅଫିସରେ ଜେରା ପାଇଁ ସୋରେନ ଉପସ୍ଥିତ ହୋଇସାରିଛନ୍ତି।  ବିଜେପି ରାଜ୍ୟରେ ସରକାର ଭାଙ୍ଗିବାକୁ ଇଡିକୁ ଆୟୁଧ କରିଥିବା ଅଭିଯୋଗ ଆଣିବା ସହ ଇଡିର ତଲବକୁ ନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ସୋରେନ। ଆଜି ସୋରେନଙ୍କୁ ଇଡିରେ ହାଜର ହେବାକୁ ସମନ ଉପରେ  କହିଛନ୍ତି କି, ମୁଁ ଜଣେ ମୁଖ୍ୟମନ୍ତ୍ରୀ। ଏଭଳି ବ୍ୟବହାର କରାଯାଉଛି, ସତେକି ମୁଁ ଦେଶ ଛାଡି ପଳାଉଛି। ଦେଶ ଛାଡି ଯାଇଥିବା ଲୋକେ ବେପାରୀ । ମୋତେ ଲାଗୁନି କୌଣସି ନେତା ଦେଶରୁ ପଳାୟନ କରିଛନ୍ତି।

ଇଡିର ଯାଞ୍ଚ ପ୍ରକ୍ରିୟାକୁ ନେଇ ସୋରେନ କହିଛନ୍ତି, ଏଜେନ୍ସି ଯାଞ୍ଚ ତ କରୁଛି, ହେଲେ ଯେଉଁ ଅଭିଯୋଗ ଲଗାଯାଇଛି ତାହା କୌଣସି ମତେ ସମ୍ଭବ ପ୍ରତୀତ ହେଉନାହିଁ। ଯାଞ୍ଚ ଏଜେନ୍ସିର ଯାଞ୍ଚ କରିବା ପରେ କୌଣସି ଠୋସ ଅଭିଯୋଗ ଲଗାଇବା ଦରକାର। କିନ୍ତୁ ସବୁ ଅଭିଯୋଗ ନିରାଧାରା। ମୋ ସରକାର ସମୟରେ ସର୍ବାଧିକ ରେଭିନ୍ୟୁ ସଂଗ୍ରହ ହୋଇଛି। ପୂର୍ବ ସରକାର କାଳରେ ରେଭିନ୍ୟୁ ସ୍ବଳ୍ପ ଥିବା ବେଳେ କାର୍ଯ୍ୟାନୁଷ୍ଠାନରେ ଥିଲା ଶୀଥିଳତା।  ଏବେ ଆମେ ରାଜ୍ୟର ସର୍ବାଙ୍ଗିନ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବେଳେ ଆମ ଆଗରେ ପ୍ରତିବନ୍ଧକ ଠିଆ କରାଯାଉଛି। ମୋ ସରକାର ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବିରୋଧୀ ହଜମ କରି ପାରୁନାହାନ୍ତି। ସରକାର ଭାଙ୍ଗିବାକୁ ଆପ୍ରାଣ ଉଦ୍ୟମ ହେଉଛି। ଏକ ଗଣତନ୍ତ୍ର ରାଷ୍ଟ୍ରରେ ଗଣତନ୍ତ୍ରର ସମ୍ମାନ ହେବା ଜରୁରୀ। ସୋରେନ ଇଡିକୁ ଯିବା ପୂର୍ବରୁ ଆହୁରି କହିଛନ୍ତି କି, ଇଡି ଜେରା ପାଇଁ ଯାଇ ଏହି କାର୍ଯ୍ୟାନୁଷ୍ଠାନର କାରଣ ପଚାରିବି। କେଉଁ କାରଣରୁ କାର୍ଯ୍ୟାନୁଷ୍ଠାନ ହୋଇଛି?  ୧୦୦୦ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଇଡି କହୁଛି। କିନ୍ତୁ ଦୁର୍ଭାଗ୍ୟ, ରାଜ୍ୟରେ ପଥର ଖନନରୁ ୧୦୦୦ ର ବି ଆମଦାନୀ ହେଉନି। ହଜାର କୋଟି ଘୋଟାଲା ପାଇଁ କେତେ କୋଟିର ଖନନ ହୋଇଥିବ, ତାର ପରିବହନ କିପରି  ହୋଇଛି? ଏନେଇ ଇଡିକୁ ଲିଖିତ ଭାବେ ରିପୋର୍ଟ ଦାଖଲ କରି ସାରିଛି ବୋଲି କହିଛନ୍ତି ସୋରେନ।

ଖାଲି ଇଡି ଉପରେ ନୁହେଁ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି ସୋରେନ। ରାଜ୍ୟପାଳଙ୍କୁ ଦେଇଥିବା ଲଫାପାକୁ ସେ ଏପର୍ଯ୍ୟନ୍ତ ଖୋଲି ନାହାନ୍ତି। ଯେମିତି ସେ କୌଣସି ମୌକାର ଅପେକ୍ଷା କରୁଥିଲେ। ରାଜ୍ୟପାଳ ରାଜ୍ୟରେ ବାଣ ଫୁଟେଇବା କଥା କହିବା ପରେ ପରେ ଇଡିର ସମନ ମିଳୁଛି। ଏହା ପରେ ପରେ ଶାସକ ଦଳ ବିଧାୟକଙ୍କ ଉପରେ ଆରମ୍ଭ ହେଉଛି ଚଢାଉ। ଲାଗୁଛି ରାଜ୍ୟପାଳ ମଧ୍ୟ ରାଜନୀତି ଦ୍ବାରା ପ୍ରେରିତ ହେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସୋରେନ କହିଛନ୍ତି। ସେପେଟ ଗତକାଲି ସୋରେନ ନିଜ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ ସେମାନଙ୍କୁ ଧୈର୍ଯ୍ୟର ସହ ନିଜ ସ୍ଥାନରେ ରହିବାକୁ କହିଛନ୍ତି। ମୁଁ ଜଣଜଣ କରି ସମସ୍ତଙ୍କୁ ଦେଖିନେବି। ବିଜେପିର ନାମ ନ ନେଇ କହିଛନ୍ତି କି, ମୋତେ ଆସନରୁ ହଟାଇବାକୁ ଯଥା ସମ୍ଭବ ପ୍ରୟାସ ଜାରି ରଖାଯାଇଛି। ଆପଣମାନେ ଧୈର୍ଯ୍ୟର ସହ। ସାମ୍ନା କରନ୍ତୁ, ମୁଁ ଜଣଜଣ କରି ସମସ୍ତଙ୍କୁ ଦେଖିନେବି। ଅନ୍ୟ ପଟେ ଇଡି ସମନ ପରେ ଜେଏମଏମ କର୍ମକର୍ତ୍ତା ସୋରେନଙ୍କ ସମର୍ଥରେ ବାହାରିଛନ୍ତି। ମୋରାବାଡି ପଡିଆରେ ହଜାର ହଜାର ସଂଖ୍ୟାରେ ଜେଏମଏମର ବରିଷ୍ଠ ନେତା, ବିଧାୟକମାନେ ଏକାଠି ହୋଇଥିଲେ।

ଜେଏମଏମର ସହଯୋଗୀ ୟୁପିଏ ଦଳମାନେ ମଧ୍ୟ ସୋରେନଙ୍କ ସମର୍ଥନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ ଉପରେ ରଣନୀତି ପ୍ରସ୍ତୁତ କରିଥିଲେ। ୟୁପିଏ ଭାଗୀଦାରମାନେ କହିଥିଲେ କି, ସରକାର ଭାଙ୍ଗିବାକୁ ଚାଲିଥିବା ଷଡଯନ୍ତ୍ର ଉପରେ ଆମେ ଏକାଠି ଅଛୁ ଓ ଏହାର କଡା ଜବାବ ଦେବୁ। ଆମ ସରକାର ତାର ୫ ବର୍ଷ ସମ୍ପୂର୍ଣ୍ଣ କରିବା ଉପରେ ମଧ୍ୟ ଦୃଢୋକ୍ତି ପ୍ରକାଶ ପାଇଥିଲା। ଏହି ବୈଠକରେ ସରକାରରେ ଥିବା ମନ୍ତ୍ରୀ, ବିଧାୟକ ତଥା କଂଗ୍ରେସ, ଆରଜେଡି ବିଧାୟକ ସାମିଲ ହୋଇଥିଲେ।  ଇଡିରେ ମୁଖ୍ୟମନ୍ତ୍ରୀଙ୍କ ହାଜରକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା କଂଗ୍ରେସ ନେତା ବନ୍ନା ଗୁପ୍ତା କହିଥିଲେ, ମୁଖ୍ୟମନ୍ତ୍ରୀ ଇଡି ଅଫିସକୁ ଯିବେ ଓ ସମସ୍ତ ପ୍ରଶ୍ନର ସାମ୍ନା କରିବେ। ଆମେ ଇଡିକୁ ସହଯୋଗ କରିବୁ। ତେବେ ଜନମତକୁ ନେଇ ଗଠିତ ଏକ ସରକାର ଭାଙ୍ଗିବା ପାଇଁ ହେଉଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ  କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଗୁପ୍ତା।

ବୁଧବାର ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଜେଏମଏମର କର୍ମକର୍ତ୍ତାମାନେ ରାଞ୍ଚିରେ ଏକାଠି ହୋଇ ସୋରେନଙ୍କ ସହ ଇଡି ଅଫିସକୁ ଯିବାକୁ ନିଷ୍ପତ୍ତି ନେଇଥିଲେ।  ଏକ ଲୋକପ୍ରିୟ ସରକାର ଭାଙ୍ଗିବାକୁ ବିଜେପିର ମସୁଧା ବିରୋଧରେ ବିକ୍ଷୋଭ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏସମ୍ପର୍କରେ କଂଗ୍ରେସ ରାଜ୍ୟ ସଭାପତି ରାଜେଶ ଠାକୁର କହିଛନ୍ତି।

ସୋରେନଙ୍କ ସମର୍ଥନରେ ଜେଏମଏମ ଓ ତାର ସହଯୋଗୀ ଦଳଗୁଡିକ ଦ୍ବାରା ଦିଆଯାଇଥିବା ବିକ୍ଷୋଭ ଆହ୍ବାନକୁ ନେଇ ଇଡି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହିନୁସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ସୁରକ୍ଷା ବ୍ୟବସ୍‌ଥାକୁ କଡା କରାଯାଇଛି।

Leave a Reply

Your email address will not be published. Required fields are marked *