ସ୍ବତନ୍ତ୍ର ଖାଦ୍ୟ ପାଇଁ ସତ୍ୟେନ୍ଦ୍ରଙ୍କ ଆବେଦନ ଖାରଜ

Spread the love

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ଜେଲରେ ଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ମନ୍ତ୍ରୀ ତାଙ୍କ ଧର୍ମୀୟ ଭାବନାକୁ ନେଇ ସ୍ବତନ୍ତ୍ର ଖାଦ୍ୟ ଯୋଗାଇଦେବାକୁ ଆବେଦନ କରିଥିଲେ। ସ୍ବତନ୍ତ୍ର ବିଚାରପତି ଜଷ୍ଟିସ ବିକାଶ ଧୁଲ୍ଲ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।

ଏହି ଘଟଣାରେ ତିହାର ଜେଲ ଆଡମିନିଷ୍ଟ୍ରେସନ ପକ୍ଷରୁ କୁହାଯାଇଥିଲା କି, ସତ୍ୟେନ୍ଦ୍ର ଜୈନ ତାଙ୍କ ଧର୍ମୀୟ ବିଶ୍ବାସକୁ ନେଇ କୌଣସି ଉପବାସ ରଖୁଥିବା ନେଇ କୌଣସି ଆବେଦନ କରିଥିବାରୁ କିଛି ରେକର୍ଡ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ନାହିଁ। ତେଣୁ ତାଙ୍କୁ ଉପବାସ ଦିନରେ ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେବାର ପ୍ରଶ୍ନ ଉଠୁନାହିଁ।

ତିହାର ଜେଲ ପକ୍ଷରୁ ଉପସ୍ଥିତ ଓକିଲ ଅଭିଜିତ ଶଙ୍କର କହିଥିଲେ କି, ଜେଲରେ ଡ୍ରାଏ ଫ୍ରୁଟକୁ ଅନୁମତି ନାହିଁ। ଏଥିସହ ରେଗୁଲାର ମିଲ ବଦଳରେ ଅନ୍ୟ କୌଣସି ଖାଦ୍ୟ ଦେବାର ବ୍ୟବସ୍ଥା ନାହିଁ। ତେବେ ଯଦି କୌଣସି ବନ୍ଦୀକୁ ମେଡିକାଲ ଅଫିସରଙ୍କ ଦ୍ବାରା ଡ୍ରାଏ ଫ୍ରୁଟ୍ସ ଦେବାକୁ କୁହାଯାଇଥାଏ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ତେବେ ଏପରି କରାଯାଇ ପାରିବ। ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା କି, ଜେଲରେ ରହୁଥିବା ପ୍ରତ୍ୟେକ ବନ୍ଦୀଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ଜେଲରେ ଜାତି, ବର୍ଣ୍ଣ, ଲିଙ୍ଗ ଭେଦର ପ୍ରଶ୍ନ ଉଠୁନାହିଁ।

ତେବେ ଏହା ପୂର୍ବରୁ କୋର୍ଟ ତିହାର ଜେଲକୁ ଦିଲ୍ଲୀ ପ୍ରିଜନ ରୁଲ ୨୦୧୮ ଅନ୍ତର୍ଗତ ରୁଲ ୩୩୯ ଓ ୩୪୧କୁ ମୁଣ୍ଡରେ ରଖି ସତ୍ୟେନ୍ଦ୍ର ଜୈନଙ୍କ ଧର୍ମୀ ବିଶ୍ବାସକୁ ନେଇ ସେ ଉପବାସ ରଖୁଥିବା କାଳରେ ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ହେଲେ ସତ୍ୟେନ୍ଦ୍ର ଜୈନ ଜେଲରେ ମସାଜ ନେବା ଓ ସ୍ବତନ୍ତ୍ର ଖାଦ୍ୟ ଗ୍ରହଣ କରିବା ଭିଡିଓ ବାହାରକୁ ଆସିବା ପରେ ମନ୍ତ୍ରୀ କହିଥିଲେ, ମୁଁ ଜେଲରେ ପଡିଯାଇଥିଲି। ତେଣୁ ଜଣେ ବ୍ୟକ୍ତି ମୋର ମୁଣ୍ଡ ଚିପୁଥିଲା। ମୁଁ ଜଣେ ଜୈନ ଧର୍ମାବଲମ୍ବୀ। ପ୍ରତ୍ୟେହ ମନ୍ଦିରରୁ ଫେରି ଖାଦ୍ୟ ଗ୍ରହଣ କରେ ଓ ଉପବାସ ରଖେ। କେହି ଧର୍ମୀୟ ଆଚରଣକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ଜୈନଙ୍କ ଦ୍ବାରା ପ୍ରଦତ୍ତ ବୟାନକୁ ତାଙ୍କ ଓକିଲ ରାହୁଲ ମେହରା କୋର୍ଟରେ ଜଣାଇଥିଲେ।

Leave a Reply

Your email address will not be published. Required fields are marked *