ୟୁନିଟ୍ -୯ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର: ବିଜେପି

Spread the love

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତର ନିଷ୍ପତିକୁ ବିଜେପି ବିରୋଧ କରିଛି । ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ନିଷ୍ପତିକୁ ବିରୋଧ କରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମଙ୍ଗଳବାର ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହିତ ଅଧ୍ୟୟନରତ ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ବିଦ୍ୟାଳୟ କତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ ।

ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ଯେ, ଅତୀତରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଇଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସମସ୍ତ ଆଇନ କାନୁନକୁ ଖିଲାପ କରି ଶହ ଶହ ଏକର ଜମି ଦେବାର ଦୃଷ୍ଟାନ୍ତ ରହିଛି । ୧୯୬୭ ମସିହାରେ ସ୍ଥାପିତ ହୋଇଥିବା ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ତମାନ ପାଖାପାଖି ୪୦୦ ଛାତ୍ରୀ ପାଠ ପଢୁଛନ୍ତି । ମିଶ୍ରଣ ହେବାକୁ ଥିବା ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ଭିତିଭୁମି ଅଭାବ ସତ୍ୱେ ୯୦୦ ଛାତ୍ର ପାଠ ପଢୁଛନ୍ତି । ଯଦି ମିଶ୍ରଣ ହୁଏ, ତାହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଭିତିଭୁମିର ବିରାଟ ସମସ୍ୟା ସୃଷ୍ଟି ହେବ । ଏ ସବୁ ସତ୍ୱେ ରାଜ୍ୟ ସରକାର ପାଖାପାଖି ୪.୫ ଏକର ପରିବ୍ୟାପ୍ତ ଓ ସୁନ୍ଦର ଶିକ୍ଷା ପରିବେଶଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରିବାର ମନ୍ଦ ଉଦ୍ଦେଶ୍ୟ ରଖି ବିରାଟ ଷଡଯନ୍ତ୍ର କରୁଛନ୍ତି । ରାଜଧାନୀର ମଝି ଅଞ୍ଚଳରେ ଥିବା ଏହି ଜମିକୁ ତୃତୀୟ ମହଲା ଇଙ୍ଗିତରେ ହଡପ୍ କରାଯାଉଥିବାର ଧରା ପଡିବା ପରେ ବର୍ତମାନ ରମାଦେବୀ ବିଶ୍ୱବିଦ୍ୟାଳୟ କଥା କହି ଭ୍ରମିତ କରାଯାଉଛି । ସ୍କୁଲ ବଞ୍ଚିଲେ ଯାଇ କଲେଜ ବଞ୍ଚିବ । ତେଣୁ ରାଜ୍ୟ ସରକାର କୋମଳମତି ଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ବୋଲି ମଲ୍ଲିକ କହିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସ୍ଥାନୀୟ କର୍ପୋରେଟର ଜୀବନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *