ସୁଲତାନପୁରୀ ଦୁର୍ଘଟଣା: ତେଜୁଛି ସିବିଆଇ ତଦନ୍ତ ଦାବି

Spread the love

ନୂଆଦିଲ୍ଲୀ:  ସୁଲତାନପୁରୀ କାଞ୍ଜୱାଲା ଘଟଣାରେ ବଢୁଛି ସସପେନ୍ସ। ପ୍ରତିଦିନ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ନୂଆବର୍ଷ ରାତିରେ ଦିଲ୍ଲୀର କଞ୍ଜାୱାଲା ଠାରେ ହୋଇଥିବା ଅଞ୍ଜଳି ମୃତ୍ୟୁ ମାମଲାରେ ଫିଟୁଛି ନୂଆ ନୂଆ ଗୁମର। ତେଜୁଛି ସିବିଆଇ ତଦନ୍ତ ଦାବି। ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି କରିଛନ୍ତି ମୃତ ଅଞ୍ଜଳିଙ୍କ ପରିବାର ଲୋକ। ସେପଟେ ପୂର୍ବରୁ  ଏହି ମାମଲାରେ ୫ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଆଜି କାର୍ ମାଲିକ ଆଶୁତୋଷକୁ ଗିରଫ କରିଛି ପୋଲିସ।

ଅଞ୍ଜଳି ମୃତ୍ୟୁ ମାମଲାକୁ ନେଇ ତେଜୁଛି ସିବିଆଇ ତଦନ୍ତ ଦାବି। ମୃତକଙ୍କ ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା ସିବିଆଇ ତଦନ୍ତ ଦାବି କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖୋଦ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ମାମଲା ସିବିଆଇକୁ ସ୍ଥାନାନ୍ତର କରିବାକୁ ମଧ୍ୟ କହିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ସ୍ୱାତୀ ମାଲିୱାଲ କହିଛନ୍ତି, ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସେ ସନ୍ତୁଷ୍ଟ ନୁହଁନ୍ତି। ନିଧିର ଫୋନ୍ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଇନାହିଁ । ଏପର୍ଯ୍ୟନ୍ତ କାହିଁକି ପୋଲିସ ନିଧି ଫୋନ୍ ଜବତ କରିପାରିନାହିଁ? ବୋଲି ସେ ପଚାରିଛନ୍ତି।ସେପଟେ ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧିଙ୍କ ଘର ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା। କାହିଁକି ନିଧି ସାମ୍ନାକୁ ଆସୁନାହାନ୍ତି। ନିଧି ଅଞ୍ଜଳି ମୃତ୍ୟୁ ବାବଦରେ କିଛି ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେହିପରି କଞ୍ଜାୱାଲାରେ ମଧ୍ୟ ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରି ରାଲି ସହ ସୁଲତାନପୁରୀ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ।ଅନ୍ୟପଟେ, ଅଞ୍ଜଳିଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଦୋଷୀମାନଙ୍କୁ ଫାଶୀଦଣ୍ଡ ଦିଆଯାଉ। ଏହି ମାମଲାରେ ନିଧିଙ୍କ କାର୍ଯ୍ୟକଳାପକୁ ସନ୍ଦେହକୁ ଆଣିଛନ୍ତି ପରିବାର ଲୋକେ।

ସେପଟେ, ରାଜଧାନୀ ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳିଙ୍କୁ ୧୩ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା କାର ମାଲିକ ଆଶୁତୋଷଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଞ୍ଜଳି ତାଙ୍କ ସ୍କୁଟରରେ ନିଜ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ ମଦ୍ୟପ ଥିବା କାରଟି ଆସି ତାଙ୍କୁ ନୂଆ ବର୍ଷରେ ଧକ୍କା ଦେଇଥିଲା। ଫୋରେନସିକ୍ ରିପୋର୍ଟ ଅନୁଯାୟୀ ଅଞ୍ଜଳିଙ୍କ ଗୋଡ କାରର ବାମ ଆଗ ଚକରେ ଛନ୍ଦି ହୋଇ ଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଅଞ୍ଜଳିଙ୍କ ଖପୁରୀ ଫାଟି ଯାଇଛି। ଦୁଷ୍କର୍ମ ସହ ଜଡ଼ିତ କୌଣସି ପ୍ରମାଣ ମିଳିନାହିଁ। ଡାକ୍ତରୀ ଦଳ କହିଛି ଯେ ଅନେକ କିଲୋମିଟର ପର୍ଯ୍ୟନ୍ତ ଘୁଷୁରିବା ପରେ ଅଞ୍ଜଳିଙ୍କୁ ଆଘାତ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି। ଅଭିଯୁକ୍ତଙ୍କୁ ୩ ଦିନଆ ପୋଲିସ ହେପାଜତକୁ ପଠାଯାଇ ସେମାନଙ୍କ ରକ୍ତ ନମୁନା ନିଆଯାଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ଅଭିଯୁକ୍ତ ମଦ୍ୟପାନ କରିଥିଲେ ନା ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। ସେହିଭଳି ଅଞ୍ଜଳି ସିଂହଙ୍କ ବନ୍ଧୁ ନିଧିଙ୍କୁ ପୋଲିସ ଘରଠୁ ନେଇ ଥାନାରେ ପଚରାଉଚରା କରୁଛି। ନିଧିଙ୍କ ବୟାନ ରେକର୍ଡ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *