ନୂଆଦିଲ୍ଲୀ: ତଓ୍ୱାଙ୍ଗ ତାତି ଥମିବାର ନାଁ ଧରୁନି। ସୀମା ସ୍ଥିତି ବାବଦରେ ଆଲୋଚନା ଲାଗି ବିରୋଧୀଙ୍କ ଜିଦ୍ ଓ ସରକାରଙ୍କ ନା କୁ ନେଇ ସଂସଦ ହୁଲସ୍ତଲ ହୋଇଛି। ରାଜ୍ୟସଭାରେ ହଙ୍ଗାମା ହେବାରୁ ଓ ଆଲୋଚନାକୁ ଅନୁମତି ନ ମିଳିବାରୁ ବିରୋଧୀ ଆଜି କକ୍ଷତ୍ୟାଗ କରିଛନ୍ତି। ସେପଟେ ବିହାରକୁ ନେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ମନ୍ତବ୍ୟକୁ ନେଇ ଝଡ଼ ବୋହିଛି।
ତଓ୍ୱାଙ୍ଗ ତାତିକୁ ନେଇ ସଂସଦ ହୁଲସ୍ତୁଲ। ସୀମା ସୁରକ୍ଷା ଓ ସୀମାର ବାସ୍ତବ ସ୍ଥିତି ବାବଦରେ ଗୃହରେ ଆଲୋଚନା ହେଉ। ଏହାକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ଅଡ଼ି ବସିଥିଲେ। କିନ୍ତୁ ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ଆଲୋଚନାକୁ ଅନୁମତି ନ ମିଳିବାରୁ ଆଜି ବି କ୍ଷୁବ୍ଧ ହୋଇଥିଲେ ବିରୋଧୀ। ଲୋକସଭାରେ ବି ସମାନ ସ୍ଥିତି ଉପୁଜିଥିଲା। ରାଜ୍ୟସଭାରେ କେସି ବେନୁଗୋପାଳ ଆରୋପ ଲଦିଥିଲେ, ଗୃହ ଠିକ୍ ଚାଲୁନି। ଆଉ ତାଙ୍କୁ ବୁଝାଇଥିଲେ ଅଧ୍ୟକ୍ଷ ଧନକଡ଼। ଆଲୋଚନାକୁ ଅନୁମତି ନ ମିଳିବାରୁ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ।
ସେପଟେ ପୁରା ଦେଶକୁ ବିହାର କରିଦେବ ନା କଅଣ ଭଳି ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟସଭାରେ ଗୃହର ନେତା ତଥା ମନ୍ତ୍ରୀ ପିୟୁଷ ଗୋଏଲ। କାହାକୁ ଅପମାନିତ କରିବା ଉଦେଶ୍ୟରେ ସେ ଏଭଳି କହିନାହାନ୍ତି। ଏଭଳି ବୟାନ ଯଦି କାହାକୁ ଠେସ୍ ପହୁଞ୍ଚାଇଥାଏ, ତେବେ ସେ ନିଜର ବୟାନକୁ ପ୍ରତ୍ୟାହାର କରୁଛନ୍ତି। ବିହାର ଅପମାନ ପ୍ରସଙ୍ଗରେ ବିହାରର ସାଂସଦ ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ। ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଗୋଏଲଙ୍କୁ ଗୃହର ନେତା ପଦରୁ ହଟାଇବାକୁ ଦାବି କରିଥିଲେ।
ଗୋଟିଏ ପଟେ ସୀମାକୁ ନେଇ ସଂସଦ ହୁଲସ୍ତୁଲ ହୋଇଥିଲା ବେଳେ ଅନ୍ୟପଟେ ମନ୍ତ୍ରୀ ଗୋଏଲଙ୍କ ବିହାର ଉପରେ ବିବାଦୀୟ ବୟାନକୁ ନେଇ ହଙ୍ଗାମା ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now