ଜାପାନ-ଭାରତ ସଂଗଠନ (ଜେଆଇଏ)ର ଅଧ୍ୟକ୍ଷ ତଥା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ୟୋଶିହିଦେ ସୁଗାଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ-ଭାରତ ସଂଗଠନ (ଜେଆଇଏ)ର ଅଧ୍ୟକ୍ଷ ତଥା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ସାକ୍ଷାତ କରିଛନ୍ତି । ସୁଗା 100ରୁ ଅଧିକ ପ୍ରତିନିଧିମାନଙ୍କୁ ନେଇ ଭାରତ ଗସ୍ତରେ ଆସିଛନ୍ତି । ଏମାନଙ୍କ ମଧ୍ୟରେ ସରକାରୀ ଅଧିକାରୀ, କିଡାନରେନ୍ (ଜାପାନ ବ୍ୟବସାୟ ସଂଘ)ର ସଦସ୍ୟ ଏବଂ ‘‘ଗଣେଶ ନୋ କାଏ’’ ସାଂସଦ ଗୋଷ୍ଠୀର ସଦସ୍ୟ ସାମିଲ ରହିଛନ୍ତି ।

ସୁଗା ଜେଆଇଏର ଅଧ୍ୟକ୍ଷ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ଉଭୟ ନେତା ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ଭାଗିଦାରୀକୁ ଆହୁରି ମଜବୁତ କରିବା ନେଇ ମତବିନିମୟ କରିଥିଲେ । ସେମାନେ ନିବେଶ ଓ ଆର୍ଥିକ ସହଯୋଗ, ରେଳବାଇ, ନାଗରିକ ସମ୍ପର୍କ, ଦକ୍ଷତା ବିକାଶ ସହଭାଗିତା ଉପରେ ଆଲୋଚନା କରିଥିଲେ ।

ଦୁଇ ଦେଶ ମଧ୍ୟରେ ସଂସଦୀୟ ସମ୍ପର୍କକୁ ସଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ‘‘ଗଣେଶ ନୋ କାଇ’’ ସଂସଦୀୟ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଫଳପ୍ରଦ ଆଲୋଚନା କରିଥିଲେ । ଜାପାନରେ ଯୋଗ ଏବଂ ଆୟୁର୍ବେଦର ଲୋକପ୍ରିୟତା ବୃଦ୍ଧିକୁ ସେମାନେ ସ୍ୱାଗତ କରିବା ସହିତ ଭାରତ ଏବଂ ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ମାର୍ଗକୁ ନେଇ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କିଡାନରେନ୍ ସଦସ୍ୟମାନଙ୍କୁ ଭାରତରେ ସ୍ୱାଗତ କରିଥିଲେ ଏବଂ ଦେଶରେ ବ୍ୟବସାୟିକ ଇକୋସିଷ୍ଟମରେ ସୁଧାର ପାଇଁ ଗ୍ରହଣ କରାଯାଇଥିବା ବ୍ୟାପକ ସଂସ୍କାର ଉପରେ ଆଲୋକପାତ କରିଥିଲେ । ଭାରତରେ ଜାପାନୀ ନିବେଶକଙ୍କ ବର୍ତ୍ତମାନର ନିବେଶକୁ ବଢ଼ାଇବା ଏବଂ ସହଯୋଗର ନୂଆ କ୍ଷେତ୍ରକୁ ଅନ୍ୱେଷଣ କରିବା ଲାଗି ସେ ନିମନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *