ଟ୍ବିନ ଟାୱାର: ୯ ସେକେଣ୍ଡରେ ସବୁ ଶେଷ

Spread the love

 ନୋଇଡା: ଭ୍ରଷ୍ଟାଚାରର ନଭଶ୍ଚୁମ୍ବୀ ଟ୍ବିନ ଟାୱାର ମାତ୍ର ୯ ସେକେଣ୍ଡରେ ମାଟିରେ ମିଶି ଯାଇଛି। ଆଖି ପିଛୁଳାକେ ତାସର ଘର ପରି ଖସିପଡିଛି କୋଠା ୧୦୦ ମିଟର ଉଚ୍ଚର ଏହି ଅଟ୍ଟାଳିକା। ୮୦୦ କୋଟିରୁ ଅଧିକ ଅର୍ଥରେ ଠିଆହୋଇଥିବା ଏତେ ବଡ ଅଟାଳିକାକୁ  ବିସ୍ଫୋରକ ସାହାଯ୍ୟରେ କରାଯାଇଛି ନଷ୍ଟ ।  ସୁପରଟେକର ଏହି ଟ୍ବିନ ଟାୱାର ନିର୍ମାଣ ସମ୍ବନ୍ଧିତ ନିୟମର ପାଳନ କରିନଥିବାରୁ ସୁପ୍ରିମକୋର୍ଟଙ୍କ ଆଦେଶରେ ରବିବାର ମଧ୍ୟାହ୍ନରେ ଧରା ଉପରୁ ଉଭାନ ହୋଇଯାଇଛି ସବୁଦିନ ପାଇଁ।

ରବିବାର ମଧ୍ୟାହ୍ନ ସାଢେ ଦୁଇଟାରେ ୯ ବର୍ଷର ଆଇନଗତ ଲଢେଇ ପରେ ମାଟିରେ ମିଶିଛି ନୋଇଡାର ସେକ୍ଟର ୯୩ ଏ ସ୍ଥିତ ଟ୍ବିନ ଟାୱାର।  ଦିଲ୍ଲୀର କୁତବମୀନାରଠାରୁ ଉଚ୍ଚତମ ଟ୍ବିନ ଟାୱାର ନିର୍ମାଣକୁ ପ୍ରାୟ ୧୫ ବର୍ଷ ଲାଗିଥିବା ବେଳେ କିନ୍ତୁ ମାତ୍ର ୯ ସେକେଣ୍ଡରେ ହୋଇଯାଇଛି ଧରାଶାୟୀ। ଆଉ ନଭଶ୍ଚୁମ୍ବୀ ଏହି ଅଟ୍ଟାଳିକା ଭାଙ୍ଗିବାକୁ ବ୍ୟବହାର ହୋଇଛି ୩,୭୦୦ କେଜିର ବିସ୍ଫୋରକ ସାମଗ୍ରୀ। ୮୦୦ କୋଟିରୁ ଅଧିକ ଅର୍ଥରେ ଠିଆ ହୋଇଥିବା ସୁପରଟେକର ଟ୍ବିନ ଟାୱାର ଭାଙ୍ଗିବାକୁ  ଖର୍ଚ୍ଚ ହୋଇଛି ପ୍ରାୟ ୧୭.୫୫ କୋଟି ଟଙ୍କା। ତେବେ ଏହି ଖର୍ଚ୍ଚକୁ ନିଜେ ନିର୍ମାଣକାରୀ କମ୍ପାନୀ ସୁପରଟେକ ହିଁ ବହନ କରିଛି। ଉଭୟ କୋଠାରେ ମୋଟ ୯୫୦ ଫ୍ଲାଟ ହୋଇସାରିଥିଲା। ଟାୱାର ଏପେକ୍ସ ୩୨  ମହଲାର ହୋଇଥିବା ବେଳେ ସେୟେନ ଥିଲା ୨୯ ମହଲାର। ଏହି ଆକାଶକୁ ଛୁଁଉଁଥିବା ଅଟ୍ଟାଳିକ ଦିଲ୍ଲୀର କୁତବମୀନାରକୁ ମଧ୍ୟ ଉଚ୍ଚତାରେ ପଛରେ ପକାଇଦେଇଥିଲା। କିନ୍ତୁ ରିମୋଟର ଗୋଟିଏ ବଟନ ଦବାଇ ବିସ୍ଫୋରଣ କରାଯାଇଛି। ବିସ୍ଫୋରଣ ସହ ଧୂଳି ବାଲିର ଆସ୍ଥରଣ ସାରା ଆକାଶକୁ ଛାୟୀ ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରିଦେଇଗଲା। ହେଲେ ସବୁଠାରୁ ବଡ ଆଶ୍ବସ୍ତିର ବିଷୟ କି, ଏହି ସୁଉଚ୍ଚ ଅଟ୍ଟାଳିକା ଧରାଶାୟୀ ରେ କାହାର କିଛି କ୍ଷତି ହୋଇନାହିଁ।

ପ୍ରଦୂଷଣକୁ ନେଇ ଜଣେ ଟେକ୍ନିସିଆନ ଉମେଶ କହିଛନ୍ତି, ବିସ୍ଫୋରଣ ପୂର୍ବରୁ, ବିସ୍ଫୋରଣ କାଳରେ ଓ ପରେ ପ୍ରଦୂଷଣସ୍ତର ରେକର୍ଡ କରାଯାଇଛି। ଏହି ମେସିନ ମାଧ୍ୟମରେ ପିଏମ ୧୦ ଓ ପିଏମ ୨.୫ର ଯାଞ୍ଚ କରାଯିବ, ଯାହାର ରିପୋର୍ଟ ୨୪ ଘଣ୍ଟା ପରେ ଆସିବ। ତେବେ ୧୦୦ ମିଟର ଉଚ୍ଚର ଏହି ଅଟ୍ଟାଳିକା ଭାଙ୍ଗିବା ଦ୍ବାରା ସୃଷ୍ଟି ହେଉଥିବା ପ୍ରଦୂଷଣ ଉପରେ ଉଠିଥିଲା ନାନା ପ୍ରଶ୍ନ। ଉତ୍ତର ପ୍ରଦେଶ ସରକାରର ପରିବେଶ ବିଭାଗ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଧ୍ବଂସ ସ୍ଥଳରେ ସ୍ବତନ୍ତ୍ର ଧୂଳି ଟାଣିବା ମେସିନ ବା ସ୍ମୋକ ଗନ ନିୟୋଜିତ କରିଛି। କୋଠା ଭାଙ୍ଗିବା ପରେ ପରେ ପାଣି ସିଞ୍ଚନ କରାଯାଇଛି। କାହାର କିଛି କ୍ଷୟ କ୍ଷତି ଯେମିତି ନ ହେଉ ସେଥିପାଇଁ ସେହି ରାସ୍ତାର ଯାତାୟାତରେ ରୁଟ ପରିବର୍ତ୍ତନ କରାଯାଇଛି। କୌଣସ ଅଘଟଣକୁ ରୋକିବାକୁ ଟ୍ବିନ ଟାୱାର ନିକଟବର୍ତ୍ତୀ ପ୍ରାୟ ୫୦୦ ବର୍ଗ ମିଟର ଯାଗାକୁ କିଛି ସମୟ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳ ମଧ୍ୟକୁ କୌଣସି ବ୍ୟକ୍ତି ବା ଗାଡି ମୋଟର ଯାତାୟାତ ଉପରେ ରୋକ ଲଗାଯାଇଛି।

ସ୍ଥାନୀୟ ପୁଲିସ ଅଧିକାରୀ ରାଜେଶ ଏସଙ୍କ ଅନୁଯାୟୀ   ସେଠାରେ ୪୦୦ ପୁଲିସଙ୍କୁ ନିୟୋଜିତ କରାଯାଇଥିଲା। ସେକ୍ଟର୯୩ ଏରେ ଏମରାଲ୍ଡ କୋର୍ଟ ଓ ଏଟିଏସ ଭିଲେଜ ନିକଟବର୍ତ୍ତୀ ଦୁଇଟି ଆବାସିକ ସୋସାଇଟିକୁ ଖାଲି କରାଯାଇଛି। ଏହି ବ୍ୟସ୍ତ ବହୁଳ ସହରର ଜୀବନ ଯାତ୍ରାକୁ ପ୍ରଭାବିତ ନ କରିବାକୁ ରୁଟରେ ପରିବର୍ତ୍ତନ କରାଯାଇଛି। ଟ୍ରାଫିକକୁ ସ୍ବାଭାବିକ କରିବାକୁ ବିଭିନ୍ନ ଛକ ଓ ରାସ୍ତାରେ ୨୦୦ରୁ ଅଧିକ ଟ୍ରାଫିକ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା।  ସେଠାର ପ୍ରାୟ ୫ହଜାର ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। 

ଖାଲି ମଣିଷ ନୁହଁନ୍ତି, ଟ୍ବିନ ଟାୱାର ଭାଙ୍ଗିବା ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୪୦ରୁ ଅଧିକ ବୁଲା କୁକୁରଙ୍କୁ ମଧ୍ୟ ଅସ୍ଥାୟୀଭାବେ ସ୍ଥାନାନ୍ତର କରାଯାଇଛି। ସେଠାର ଏକ ଏନଜିଓ ଦ୍ବାରା  ସେଠାର ପକ୍ଷୀଙ୍କ ସୁରକ୍ଷା ଭାର ଦିଆଯାଇଛି। ଏହି ସଂସ୍ଥା ଦ୍ବାରା କୋଠା ଭଙ୍ଗାଯିବା ପୂର୍ବରୁ ଡମି ବିସ୍ଫୋରଣ କରି ଶବ୍ଦ ସୃଷ୍ଟି କରାଯାଇ କୋଠାରେ ରହୁଥିବା ପକ୍ଷୀଙ୍କୁ ସେଠାରୁ ଉଡାଇ ଦିଆଯାଇଥିଲା।   ଏନଜିଓ ହାଉସ ଅଫ ଷ୍ଟ୍ରେ ଆନିମଲ୍ସର ସଂସ୍ଥାପକ ସଂଜୟ ମହାପାତ୍ର କହିଛନ୍ତି, ଟ୍ବିନ ଟାୱାର ବିସ୍ଫୋରଣ ପୂର୍ବରୁ ସେଠାକାର ପକ୍ଷୀଙ୍କୁ ଅନ୍ୟତ୍ର ଉଡାଇବାକୁ ଡମି ବିସ୍ଫୋରଣ କରିବାକୁ ଅଧିକାରୀଙ୍‌କୁ ଅନୁରୋଧ କରାଯାଇଥିଲା। ଏଥିସହ ଏହି ଜୀବଜନ୍ତୁଙ୍କୁ ରକ୍ଷା କରିବାକୁ ଅଗଷ୍ଟେ ୮ରୁ ସଂସ୍ଥା କାମ କରୁଛି। ସେଠାରୁ ପ୍ରାୟ ୪୦ରୁ ଅଧିକ କୁକୁରଙ୍କୁ ମଧ୍ୟ ସେଠାରୁ ଅନ୍ୟତ୍ର ନିଆଯାଇଛି। ତେବେ ସଂଧ୍ୟାସୁଦ୍ଧା ପୁଣି ସେମାନଙ୍କୁ ସେକ୍ଟର ୯୩ ଏକୁ ପୁନଃ ଅଣାଯିବ ବୋଲି କହିଛନ୍ତି ମହାପାତ୍ର।

ସବୁ ବିଧି ବ୍ୟବସ୍ଥା ମଧ୍ୟରେ ରବିବାର ଦିନ ଟ୍ବିନ ଟାୱାରକୁ ସଫଳତାର ସହ ଧୂଳିସାତ୍ କରାଯିବା ପରେ ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରା ଟ୍ବିଟ କରି ବିସ୍ଫୋରଣ ଉପରେ ଉଠାଇଛନ୍ତି ପ୍ରଶ୍ନ। ସେ କହିଛନ୍ତି, ଟ୍ବିନ ଟାୱାର ଭାଙ୍ଗି ତାକୁ ବେଆଇନ ଭାବେ ନିର୍ମାଣ କରିଥିବା ବ୍ୟକ୍ତିକୁ ଦଣ୍ଡିତ କରାଯାଇ ନାହିଁ। ତେବେ ଏତେ ବଡ କୋଠାକୁ ନ ଭାଙ୍ଗି ସେଠାରେ ହସ୍ପିଟାଲ, ହଷ୍ଟେଲ, ଜରାନିବାସ, ନିରାଶ୍ରୟ ମହିଳାଙ୍କ ପାଇଁ ଆବାସ ଯୋଗାଇ ଦିଆଯାଇ ପାରିଥାନ୍ତା। ଏହା ବ୍ୟତୀତ ଦିପାବଳୀ ପ୍ରସଙ୍ଗକୁ ଉଠାଇ କହିଛନ୍ତି, ମାନନୀୟ ଅଦାଲତ ଦିପାବଳୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପ୍ରଦୂଷଣ ନାମରେ। ଏବେ ନିଜେ ଅଦାଲତ ଟ୍ବିନ ଟାୱାର ବିସ୍ଫୋରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  

ତେବେ ଟ୍ବିଟ ଟାୱାର ଭାଙ୍ଗିବା ପରେ କୋଠାରୁ ବାହାରିଛି ୩୫ହଜାର କ୍ୟୁବିକ ମିଟରର ଧ୍ବଂସ ବିଶେଷ, ଯାହାକୁ ସଫା କରିବାକୁ ଅନ୍ୟୁନ ୩ ମାସ ସମୟ ଲାଗିଯିବ ବୋଲି କୁହାଯାଉଛି।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *