ଶସ୍ୟ ଅବଶେଷ ପରିଚାଳନା ନର୍ଦ୍ଦେଶାବଳୀକୁ ବଦଳାଇଲେ କେନ୍ଦ୍ର ସରକାର

Spread the love

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶସ୍ୟ ଅବଶେଷର ପରିଚାଳନା ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି । ଏହା ଫଳରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟରେ ଧାନଚାଷରୁ ଯେଉଁ ନଡା, ଛଣ, କୁଟା ଓ ଅନ୍ୟାନ୍ୟ ଫସଲ ଅବଶେଷ ବାହାରୁଛି ତାହାକୁ ଅନ୍ୟ ସ୍ଥାନକୁ ନେଇ ବିଭିନ୍ନ କାମରେ ବ୍ୟବହାର କରାଯାଇପାରିବ ।

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଧାନ ନଡା, କୁଟା ଓ ଛଣ ଆଦିର ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏକ ଟେକ୍ନୋ-କମର୍ସିଆଲ ପାଇଲ୍ଟ ପ୍ରୋଜେକ୍ଟ କାର୍ଯ୍ୟ କରିବ । ବୈଷୟିକ ଜ୍ଞାନ କୌଶଳ ସହାୟତାରେ ବ୍ୟାବସାୟିକ ଭାବେ ଏହି ପ୍ରକଳ୍ପ ମାଧ୍ୟମରେ ନଡା, ପାଳ, କୁଟା ଓ ଛଣ ଆଦିକୁ ତାହାର ଉତ୍ପାଦିତ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଏକ ସୁଦକ୍ଷ ଯୋଗାଣ ଶୃଙ୍ଖଳ ତିଆରି କରାଯିବ। ଏଥିପାଇଁ ଉପଭୋକ୍ତା ଓ ଉପଯୋଗକାରୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ । ଏଥିରେ ଗୋଟିଏ ପକ୍ଷରେ ଚାଷୀ ଏବଂ ଅନ୍ୟ ପକ୍ଷରେ ଗ୍ରାମ୍ୟ ଉଦ୍ୟୋଗୀ, କୃଷକ ସମବାୟ ସମିତି, ଚାଷୀ ଉତ୍ପାଦକ ସଂଘ ଏଫପିଓ, ଶିଳ୍ପ ସଂସ୍ଥା ଏବଂ ପଞ୍ଚାୟତ ଆଦି ରହିବେ । ଚାଷୀଙ୍କଠାରୁ ଏସବୁ ନଡା, ଛଣ, ପାଳ, କୁଟା ଆଦି କିଣାବିକା ପରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ତାହା ବ୍ୟବହୃତ ହେବ ।

ଏସବୁ ଫସଲ ଅବଶେଷର ପରିଚାଳନା ତଥା ନିରାପଦ ଉପଯୋଗ ନିମନ୍ତେ କେନ୍ଦ୍ର ସରକାର ମୂଳଧନୀ ପୁଞ୍ଜି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ । ସେହି ଅର୍ଥରେ ଉଦ୍ୟୋଗୀ, କୃଷକ, ସମବାୟ ଆଦି ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବେ ଓ ଉଦ୍ୟୋଗ ପ୍ରତିଷ୍ଠା କରିବେ । ଏହି ଶିଳ୍ପ ଚଳାଇବା ପାଇଁ ଯେଉଁ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକ ହେବ ତାହାକୁ ସମ୍ପୃକ୍ତ ଶିଳ୍ପ ସଂସ୍ଥା କିମ୍ବା ଉପଭୋକ୍ତା ମିଳିତଭାବେ ଯୋଗାଇବେ । ତାହା ସମ୍ଭବ ନ ହେଲେ ହିତାଧିକାରୀ ଏଥିପାଇଁ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍), ନାବାର୍ଡ କିମ୍ବା ଅନ୍ୟ କୌଣସି ବିତ୍ତୀୟ ସଂସ୍ଥା/ବ୍ୟାଙ୍କରୁ ଋଣ କରିପାରିବେ । ସଂଗୃହୀତ ନଡା ଓ ପାଳ ଆଦିକୁ ଜମା କରି ରଖିବା ପାଇଁ ହିତାଧିକାରୀ ଏହାର ବ୍ୟବହାରକାରୀ ଉଦ୍ୟୋଗ ସହିତ ପରାମର୍ଶ କରି ଭଣ୍ଡାରର ବ୍ୟବସ୍ଥା କରିବେ ।

ଏହି ଉଦ୍ୟୋଗ ପ୍ରତିଷ୍ଠ।। ପାଇଁ ହାୟର ଏଚ୍ପି ଟ୍ରାକ୍ଟର, କଟର, ଗ୍ରାବର, ଟେଲି ହ୍ୟାଣ୍ଡଲର ଭଳି ଯନ୍ତ୍ରପାତି କିଣିବାକୁ ପ୍ରକଳ୍ପ ପ୍ରସ୍ତାବନା ଆଧାରରେ ଆର୍ଥିକ ସହାୟତା ମିଳିବ । ନଡା, ପାଳ ଆଦିର ସଂଗ୍ରହ ସହିତ ପରିବହନ ପାଇଁ ଏସବୁ ଉପକରଣ ଏକାନ୍ତ ଅପରିହାର୍ଯ୍ୟ । ଏହାଦ୍ୱାରା ଏସବୁ ସାମଗ୍ରୀର ଯୋଗାଣ ଶୃଙ୍ଖଳ ପ୍ରତିଷ୍ଠା ହୋଇପାରିବ ।

ପ୍ରକଳ୍ପ ଅନୁମୋଦନକାରୀ କମିଟି ମାଧ୍ୟମରେ ରାଜ୍ୟମାନେ ଏସବୁ ପ୍ରକଳ୍ପକୁ ଅନୁମୋଦନ ଦେବେ ।

Leave a Reply

Your email address will not be published. Required fields are marked *