ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଅଡୁଆରେ ୟୁପି ପୁଲିସ

() ଓ୍ୱାଣ୍ଟେଡ୍ ଅପରାଧୀକୁ ଧରିବାକୁ ଯାଇ ୟୁପି ପୁଲିସ- ଜନତା ଖଣ୍ଡଯୁଦ୍ଧକୁ ନେଇ ଚାରିଆଡ଼େ ହଇଚଇ। ଉଦ୍ଧମ ସିଂ ନଗରରେ ଜଣେ ଖଣି ମାଫିଆଙ୍କ ସହ ଜଣେ ଡମ୍ପର ଡ୍ରାଇଭର ବିଜେପି ନେତାଙ୍କ ଘରେ ଲୁଚିଥିବା ଖବର ପାଇ ଧରପଗଡ଼ ଲାଗି ଯାଇଥିଲା ବେଳେ ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ରେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ସହ ଦୁଇ ଜଣ ପୁଲିସ କର୍ମୀ ଗୁଳିମାଡ଼ରେ ଆହତକୁ ନେଇ ଘଟଣା ଭିନ୍ନ ମୋଡ଼ ନେଇଛି।

ଅପରାଧୀର ମୁଣ୍ଡ ଉପରେ ୫୦ହଜାର ଟଙ୍କାର ପୁରସ୍କାର ଥିଲା। ସେପ୍ଟେମ୍ୱର ୧୩ ତାରିଖରେ ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିବା ଖଣି ମାଫିଆ ଜାଫରକୁ ଧରିବାକୁ ଏହି ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗରରେ ରେଡ୍ କରିଥିଲା ୟୁପିର ମୋରଦାବାଦ ପୁଲିସ। ବୁଧବାର ସଂଧ୍ୟାରେ ଏସଓଜି ଟିମ୍ ସହ ଆଗ ସ୍ଥାନୀୟ ବିଜେପି ନେତା ଗୁରଜାତ୍‌ ସିଂ ଭୁଲରଙ୍କ ଫାର୍ମ ହାଉସକୁ ଘେରାବନ୍ଦୀ କରିଦେଇଥିଲା ୟୁପି ପୁଲିସ। କାରଣ ଭୁଲରଙ୍କ ଘରେ ଓ୍ୱାଣ୍ଟେଡ୍ ମାଫିଆ ଆଶ୍ରୟ ନେଇଥିବା ପକ୍କା ଖବର ମିଳିଥିଲା ପୁଲିସକୁ। ସାଦା ପୋଷାକରେ ଏହି ଅପରେସନ ଆରମ୍ଭ କରିଥିବା ପୁଲିସକୁ ଦେଖି ଭୁଲାରଙ୍କ ଜ୍ଞାତିକୁଟୁମ୍ୱଙ୍କ ସହ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇପଡ଼ିଥିଲେ। ଆଗ ଗାଁ ଲୋକେ ପୁଲିସ ଟିମକୁ ବନ୍ଧକ ରଖିଦେଲେ। ଆଉ ସେମାନଙ୍କଠୁ ସର୍ଭିସ ରିଭଲଭର ଛଡ଼ାଇନେଇ ଗୁଳି କରିଥିବା କହିଛନ୍ତି ମୋରଦାବାଦ ଡିଆଇଜି। ତେବେ ଭୁଲରଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଥିଲ। କୁଣ୍ଡା ଥାନା ଆଗରେ ଆନ୍ଦୋଳନ କରିବା ସହ ତୁରନ୍ତ ୟୁପି ପୁଲିସ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ସହ ତତ୍କାଳ ଗିରଫ ଲାଗି ଅଡ଼ି ବସିଥିଲେ। ଆନ୍ଦୋଳନରେ କାଶୀପୁର ବିଧାୟକ ତ୍ରିଲୋକ ସିଂ ଚିମା, ଗଦରପୁର ବିଧାୟକ ଅରବିନ୍ଦ ପାଣ୍ଡେ ଓ ପୂର୍ବତନ ସାଂସଦ ବଲରାଜ ପାସି ପ୍ରମୁଖ ସାମିଲ ହୋଇଥିଲେ। ତେବେ ଜିଲ୍ଲା ପୁଲିସ ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଆକ୍ସନ ହେବ ବୋଲି କଥା ଦେବା ପରେ ରାସ୍ତା ଅବରୋଧ ରାତି ୧୧ଟାରେ ପ୍ରତ୍ୟାହାର ହୋଇଥିଲା। ଆଉ ପରିସ୍ଥିତିକୁ ସମ୍ଭାଳିବାକୁ ଉଦ୍ଧମସିଂ ନଗର ଓ ନୈନିତାଲ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଓ ଜନତାଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବଳମ୍ୱିତ ରାତି ଯାଏ ଗାଁ ଲୋକେ ଥାନା ଆଗରେ ଧାରଣାରେ ବସିଥିଲେ। ତେବେ ଆଗ ଗୁଳି କିଏ ଚଳାଇଥିଲା, ତାହାର ତଦନ୍ତ ଲାଗି ନିର୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ଡିଜି। କୌଣସି ଦୋଷୀଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ଉତ୍ତରାଖଣ୍ଡ ଡିଜି।

ପୁଲିସ ଟିମ୍ ଉପରେ ଆକ୍ରମଣ ପରେ ୫ ପୁଲିସ କର୍ମୀଙ୍କ ପତ୍ତା ମିଳିନଥିଲା। ଏସଓଜି ପ୍ରମୁଖଙ୍କ ସମେତ ୫ ପୁଲିସ କର୍ମୀ କୁଆଡ଼େ ଗଲେ, ତାକୁ ନେଇ ହଇଚଇ ଖେଳିଥିଲା। ପରେ ସମସ୍ତଙ୍କୁ ଠାବ କରାଯାଇଥିଲା। ସେପ୍ଟେମ୍ୱର ୧୩ରେ ଖଣି ମାଫିଆ ଜାଫର ଠାକୁରଓ୍ୱାଡାରେ ରେଡ୍ କରିବାକୁ ଯାଇଥିବା ସ୍ୱତନ୍ତ୍ର ଟିମ୍ ଉପରେ ଆକ୍ରମଣ କରିଥିଲା। ଆଉ ସେହିଦିନଠୁ ଜାଫର ନିଖୋଜ ହେବା ପରେ ତାକୁ ଧରିବାକୁ ପୁଲିସ ଜାଲ ବିଛାଇଥିଲା। ଉତ୍ତରାଖଣ୍ଡରେ ବିଜେପି ନେତାଙ୍କ ଘରେ ଲୁଚିଥିବା ପକ୍କା ଖବର ପାଇବା ପରେ ୟୁପିର ମୋରଦାବାଦ ପୁଲିସ ଯଦିଓ ଚଢ଼ାଉ କରିଥିଲା। କିନ୍ତୁ ଚଢ଼ାଉ ବାବଦରେ ସ୍ଥାନୀୟ ପୁଲିସକୁ ଜଣାଇନଥିଲା। ଯାହାକୁ ନେଇ ଏଭଳି ଅପ୍ରୀତିକର ଓ ଅଭାବନୀୟ ପରିସ୍ଥିତି ଉପୁଜିଲା ବୋଲି ଚର୍ଚ୍ଚା ହେଉଛି। ପୁଲିସ ଉପରକୁ ଜାଫର ଗୁଳି ଚଳାଇବା ବେଳେ ଏହା ବିଜେପି ନେତାଙ୍କ ପତ୍ନୀକୁ ଲାଗିଛି ନା ପୁଲିସ ଗୁଳିରେ ଗୁରପ୍ରୀତଙ୍କ ମୃତ୍ୟୁ ହୋଇଛି, ତାହାର ତନାଘନା ଚାଲିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *