ଜେଲରେ ମିଳୁଛି ଭିଆଇପି ଟ୍ରିଟମେଣ୍ଟ !

Spread the love

() ପୁଣି ଚର୍ଚ୍ଚାରେ ତିହାର୍ ଜେଲ୍। ଆଉ ଚର୍ଚ୍ଚାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ଗଲା ୫ ମାସ ହେଲା ଆର୍ଥିକ ହେରଫେର ମାମଲାରେ ଜେଲରେ ଥିବା ସତ୍ୟେନ୍ଦ୍ରଙ୍କୁ ଜାମିନ ମିଳୁନଥିଲା ବେଳେ କିନ୍ତୁ ଜେଲରେ ମିଳୁଛି ଭରପୁର ଭିଆଇପି ଟ୍ରିଟମେଣ୍ଟ। ଜେଲରେ ମନ୍ତ୍ରୀଙ୍କୁ ମାଲିସ କରୁଥିବାର ଭିଡିଓ ଭାଇରାଲ ପରେ ଏହାକୁ ନେଇ ଘେରିଛି ବିଜେପି। କ୍ଷମତାର ଦୁରୁପଯୋଗ କରି କିଭଳି ଆପ୍ ନେତା ମାତିଛନ୍ତି, ତାକୁ ନେଇ କେଜରିଓ୍ୱାଲଙ୍କୁ ଟାର୍ଗେଟ କରିଛି ବିଜେପି। ସେପଟେ ଆପ୍ ଏହାର ଜବାବ ରଖିଛି।

ଚାଲିଛି ହାତ ଓ ଗୋଡ଼ ମୋଡ଼ା। ତା ସାଙ୍ଗକୁ ତେଲ ମାଲିସ୍। ତିହାର ଜେଲରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଙ୍କୁ ଏଭଳି ଭିଆଇପି ଟ୍ରିଟମେଣ୍ଟ ଏତିକିରେ ସରିନି। ମନ୍ତ୍ରୀଙ୍କୁ କୁଆଡ଼େ ଖାଇବାକୁ ଦିଆଯାଉଛି ପ୍ୟାକିଂ ଖାଦ୍ୟ ଓ ସଜ କଟା ଫଳମୂଳ। ଆର୍ଥିକ ହେରଫେର ମାମଲାରେ ଗଲା ୫ ମାସ ହେଲା ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ କେମିତି ଏ ସୁବିଧା ସୁଯୋଗ ମିଳୁଛି ତାକୁ ନେଇ ଘେରିଛି ବିଜେପି। ତିହାର ଜେଲ ନାଁ ଶୁଣିଲେ ମନରେ ଭୟ ରହେ। ହେଲେ କେଜରିଓ୍ୱାଲଙ୍କ ମନ୍ତ୍ରୀ ଓ ଆପ୍ ନେତାଙ୍କୁ କାହିଁକି ଓ କାହାକୁ ଭୟ?

କ୍ଷମତାର ଦୁରୁପଯୋଗ କରୁଛନ୍ତି ଆପ୍ ନେତା। ତୁରନ୍ତ ସତ୍ୟେନ୍ଦ୍ରଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର ସହ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛି ବିଜେପି। ଜେଲରେ ସଜ୍ଜା ବଦଳରେ ଆରାମ ମିଳୁଛି କହି ସିସିଟିଭି ଭିଡିଓକୁ ଟ୍ୱିଟ୍ କରିଛନ୍ତି ବିଜେପି ମୁଖପାତ୍ର ସେହଜାଦ୍ ପୁନାଓ୍ୱାଲା। ସତ୍ୟେନ୍ଦ୍ରଙ୍କୁ କଟ୍ଟର ବେଇମାନ୍ ବୋଲି ଅଭିଯୋଗ କରିଛନ୍ତି। ଜେଲରେ ଭିଭିଆଇପି ସଂସ୍କୃତିକୁ ଆପ୍ ଜାରି ରଖିଛି ବୋଲି ଆରୋପ ଲଦିବା ସହ କେଜରିଓ୍ୱାଲ କୁଆଡ଼େ ଗଲ ଓ କୁଆଡ଼େ ଗଲା ତୁମ ଆକ୍ସନ ବୋଲି ପଚାରିଛି ବିଜେପି। ଦିଲ୍ଲୀ କଂଗ୍ରେସ ବି ସତ୍ୟେନ୍ଦ୍ରଙ୍କୁ କେଜରିଓ୍ୱାଲଙ୍କ କଟ୍ଟର ସ୍ୱଛ ମନ୍ତ୍ରୀ ବୋଲି କଟାକ୍ଷ କରିବା ସହ କିଭଳି ଜେଲରେ ଭିଭିଆଇପି ସୁବିଧା ପାଉଛନ୍ତି କହି ପଚାରିଛି। ତିହାର ଜେଲ୍ ଆମ୍

ସେପଟେ ଏହାର ଜବାବ ରଖିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଜେଲରେ ଥିବା କୌଣସି ବ୍ୟକ୍ତି ଅସୁସ୍ଥ ଥିଲେ, ତାଙ୍କୁ ଫିଜିଓଥେରାପି ଜେଲରେ ଦିଆଯାଇପାରିବ। ଏଥିରେ କୌଣସି ଅସଙ୍ଗତି ନାହିଁ। ଇଡିକୁ ବି ଏଭଳି ଭିଡିଓ ଯେଭଳି ପ୍ରଘଟ ନ ହେବ, ସେ ନେଇ ଅଙ୍କୁଶ ଲଗାଇଥିଲେ ଅଦାଲତ। ତା ସତ୍ତ୍ୱେ ବିଜେପିର ଷଡ଼ଯନ୍ତ୍ରକୁ ସାକାର କରିବାକୁ ଇଡି ଏଭଳି କଲା ବୋଲି ମନ୍ତବ୍ୟ ଦେଇଛନ୍ତି ମନୀଷ।

ଭିଡିଓ ଭାଇରାଲ ପୂର୍ବରୁ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର ଏ ସମ୍ପର୍କରେ ଆକ୍ସନ ଆରମ୍ଭ କରିଦେଇଥିଲେ। ତିହାର ଜେଲ୍ ଅଧୀକ୍ଷକ ଅଜିତ କୁମାରଙ୍କ ସମେତ ତିନି ଜଣଙ୍କୁ ନିଲମ୍ୱିତ କରିଛନ୍ତି।

ସତ୍ୟେନ୍ଦ୍ରଙ୍କ ଜାମିନକୁ ବିରୋଧ ବେଳେ ଇଡି ବି ଆଗରୁ ସମାନ ଅଭିଯୋଗ ବାଢ଼ିଥିଲା ଅଦାଲତ ଆଗରେ। ଇଡି ଲାଗି ଅଦାଲତରେ ଲଢୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ ଭି ରାଜୁ କହିଥିଲେ, କର୍ଫ୍ୟୁ ସମୟ ପରେ ବି ସ୍ପେଶିଆଲ ଖାଦ୍ୟ, ଗୋଡ଼ ମାଲିସ ଭଳି ସୁବିଧା ପାଉଛନ୍ତି ସତ୍ୟେନ୍ଦ୍ର। ଆଉ ଅଦାଲତରେ କିଛି ସିସିଟିଭି ଫୁଟେଜ ଦାଖଲ କରି ଯୁକ୍ତି ଦର୍ଶାଇଥିଲେ କି, ସତ୍ୟେନ୍ଦ୍ରଙ୍କର ଅଧିକାଂଶ ସମୟ ହସ୍ପିଟାଲରେ ନଚେତ ଜେଲରେ ଭିଆଇପି ଟ୍ରିଟମେଣ୍ଟରେ ବିତୁଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *