କାହା ଫର୍ମୁଲା କାମ ଦେବ?

Spread the love

() ସାଧାରଣ ନିର୍ବାଚନକୁ ଦେଢ ବର୍ଷରୁ ଅଧିକ ସମୟ ଥିବା ବେଳେ ପୁଣିଥରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର ଧରିଛି । ଏହାସହ ନିର୍ବାଚନ ଜିତିବାକୁ ବିଜେପି ଦୁଇ ସୂତ୍ରୀ ଫର୍ମୁଲା ପ୍ରୟୋଗ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମରେ ସାଧାରଣ ଲୋକଙ୍କ ମୁଖପାତ୍ର ହେବାକୁ ଦଳ ଯୋଜାନା କରିଛି। ଏହାସହ ସଂଗଠନକୁ ଅଧିକ ସୁଦୃଢ କରି ନିର୍ବାଚନ ଜିତିକୁ ଦଳ ପ୍ରସ୍ତୁତ ହେଉଥିବା କଥା କହିଛନ୍ତି । ଅନ୍ୟପଟେ ନବୀନଙ୍କ ଲୋକପ୍ରିୟତା ଆଗରେ କୈାଣସି ଫର୍ମୁଲା କାମ ଦେବନି କହିଛି ବିଜେଡି । ସେହିପରି କଂଗ୍ରେସ ମଧ୍ୟ ଲୋକଙ୍କ ମୈାଳିକ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଅଣ୍ଟାଭିଡିଛି ।

କେଉଁ ଫର୍ମୂଲା କେଉଁ ଦଳକୁ ଦେବ ବିଜୟ? ବିଜେପିର ଦୁଇ ସୂତ୍ରୀ ଫର୍ମୁଲା କେତେ ପ୍ରଭାବୀ? ନବୀନ କ୍ରେଜକୁ ଭେଦି ପାରିବ ତ ଏ ସୂତ୍ର? ୨୦୧୯ରେ ବିଜେପିର ମିଶନ ୧୨୦ ଫେଲ ହେବା ପରେ ୨୪ ପାଇଁ ଅଣ୍ଟା ଭିଡିଲାଣି ଦଳ । ୨୩ ବର୍ଷର ନବୀନ ସରକାରଙ୍କୁ ମାତ୍‌ ଦେବାକୁ ବିଜେପି ଏଥର ଦୁଇ ସୂତ୍ରୀ ଫର୍ମୁଲାର ପ୍ରୟୋଗ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମତଃ ବିଜେଡ଼ି ସରକାର ବିରୋଧରେ ଅସନ୍ତୋଷର ପ୍ରବକ୍ତା ହେବ ଦଳ। ଯେଉଁଥିରେ ଗରିବ, ପଛୁଆ, ଅନୁସୂଚିତ ଜାତି ଜନଜାତି, ମହିଳା, ଯୁବକଙ୍କ ରୋଜଗାର ପାଇଁ ପ୍ରତିନିଧିତ୍ୱ  କରିବ ଦଳ। ସେହିପରି ଦ୍ଵିତୀୟରେ ସଂଗଠନ  ସୁଦୃଢ କରିବ । ବିଶେଷ କରି ଓଡିଶାରେ ୩୭ ହଜାର ବୁଥରେ ସାଂଗଠନିକ ସ୍ଥିତି ମଜଭୁତ କରିବାକୁ ବିଜେପି ଯୋଜନା କରିଛି । ଏହିକ୍ରମରେ ଆଗକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟକୁ ଆସି କର୍ମୀଙ୍କ ମଧ୍ୟରେ ଉର୍ଜ୍ଜା ଭରିବା ସହ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇବେ ବୋଲି ଦଳ  ଯୋଜନା କରୁଛି।

ସେପଟେ ନବୀନଙ୍କ ସାମ୍ନାରେ ସବୁ ଫର୍ମୁଲା ଫେଲ ମାରିବ ବୋଲି କହିଛି ଶାସକ ଦଳ। ନିର୍ବାଚନ ବର୍ଷରେ ବିରୋଧି ଦଳମାନେ ବିରୋଧ କରିବା ସ୍ୱାଭାବିକ କଥା । ସେଥିରେ କିଛି ନୂତନତ୍ୱ ନାହିଁ କହି କଟାକ୍ଷ କରିଛି ବିଜେଡି। ଦଳ ବିକାଶର ବାର୍ତ୍ତାକୁ ନେଇ ଲୋକଙ୍କ ପାଖକୁ ଯିବ । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ବାର୍ତ୍ତାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ। ବିଶେଷ କରି ଓଡ଼ିଶାରେ ବାକି ଥିବା ଭାରତ ଯୋଡ ଯାତ୍ରା ଜାନୁଆରୀ ୯ ତାରିଖରୁ ଆରମ୍ଭ କରିବ ବୋଲି କହିଛି କଂଗ୍ରେସ ।

ତେବେ ପୁଣି ଥରେ ଆଗୁଆ ନିର୍ବାଚନ ହେବା କଥାକୁ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯଦି ଆଗୁଆ ନିର୍ବାଚନ ସମ୍ଭାବନା ରହୁଛି,ତେବେ ରାଜନୈତିକ କାର୍ଯ୍ୟକ୍ରମ ଓ ବୟାନବାଜି ବଢିବା ସ୍ୱାଭାବିକ। ତେବେ ସମୟ କହିବ କେଉଁ ଦଳ ଏଥିରୁ କେତେ ଫାଇଦା ପାଇବ ।

ନବ କିଶୋର ସାହୁ

Leave a Reply

Your email address will not be published. Required fields are marked *