ପିଏଫଆଇର ଦୋଷ କଣ?

Spread the love

ନୂଆଦିଲ୍ଲୀ: ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ହିଂସା, ଦଙ୍ଗା ଭିଆଇବା କାରଣରୁ ପିଏଫଆଇକୁ ୫ ବର୍ଷ ଲାଗି କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି। ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ, ଆତଙ୍କିଙ୍କୁ ପାଣ୍ଠି ଯୋଗାଡ଼ ସହ ଗୁପ୍ତରେ ତାଲିମ ଆଦି ସଙ୍ଗୀନ ଆରୋପରେ ପିଏଫଆଇକୁ ପ୍ରତିବନ୍ଧକ ଲଗାଇଛି ଗୃହ ମନ୍ତ୍ରଣାଳୟ। ପିଏଫଆଇ ସହ ଜଡ଼ିତ ସଂଗଠନ ଉପରେ ବି ଲାଗିଛି ବ୍ୟାନ୍। ଏହାକୁ ନେଇ ତେଜିଛି ରାଜନୀତି।

ଦେଶଦ୍ରୋହ କାର୍ଯ୍ୟକଳାପରେ ଲିପ୍ତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇଲା ଗୃହ ମନ୍ତ୍ରଣାଳୟ। କେବଳ ପିଏଫଆଇ ନୁହେଁ। ଏହା  ସହ ଜଡିତ ସଂଗଠନ ଗୁଡିକୁ ବି ୫ ବର୍ଷ ଲାଗି ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ପିଏଫଆଇର ଛାମୁଆ ସଂଗଠନ ରେହାବ ଇଣ୍ଡିଆ ଫାଉଣ୍ଡେସନ( ଆରଆଇଏଫ), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ( ସିଏଫଆଇ), ଅଲ ଇଣ୍ଡିଆ ଇମାମ୍ କାଉନସିଲ(ଏଆଇଆଇସି), ନାସନାଲ କନଫେଡେରେସନ ଅଫ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚଆରଓ), ନାସାନାଲ ଓ୍ୱେମେନ୍ସ ଫ୍ରଣ୍ଟ, ଜୁନିଅର ଫ୍ରଣ୍ଟ, ଏମପାଓ୍ୱାର ଇଣ୍ଡିଆ ଫାଉଣ୍ଡେସନ ଆଦି ସଂଗଠନ ଉପରେ ବ୍ୟାନ୍ ଲଗାଇବା ସମ୍ପର୍କିତ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରଣାଳୟ। ଦେଶର ଏକତା, ସାର୍ବଭୌମତ୍ୱ ଓ ସୁରକ୍ଷା ପ୍ରତି ଏସବୁ ସଂଗଠନ ନିରନ୍ତର ବିପଦ ସୃଷ୍ଟି କରୁଥିବା କଥା ବିଜ୍ଞପ୍ତିରେ ଉଲ୍ଲେଖ କରିଛି ମନ୍ତ୍ରଣାଳୟ। ଏହା ସହ ମିଲିଟାନ୍ସି ସମର୍ଥନରେ ସର୍ବସାଧାରଣରେ ଶାନ୍ତି, ସାମ୍ପ୍ରଦାୟିକ ସଦ୍ଭାବ କ୍ଷୁର୍ଣ୍ଣ କରୁଛନ୍ତି ଏ ସବୁ ସଂଗଠନ। ଏନଆଇଏ, ଇଡି ଓ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ରେଡ୍ ବେଳେ ଏ ସବୁ ସଂଗଠନ ସହ ଆତଙ୍କି ଲିଙ୍କ୍‌ ଥିବାର ପ୍ରମାଣ ପାଇଛି ବୋଲି କହିଛି ଗୃହ ମନ୍ତ୍ରଣାଳୟ। କେବଳ ଏତିକି ନୁହେଁ। ପିଏଫଆଇର କିଛି ପ୍ରତିଷ୍ଠାତା ସଦସ୍ୟ ସିମିର ବି ନେତା ଅଛନ୍ତି। ପିଏଫଆଇର ଜମାତ୍-ଉଲ୍- ମୁଜାହିଦ୍ଦିନ ବାଲାଂଦେଶ ବା ଜେଏମବି ସହ ସିଧାସଳଖ ସଂପୃକ୍ତ ରହିଛି।

କେତେକ ପିଏଫଆଇ କ୍ୟାଡ଼ର ଆନ୍ତର୍ଜାତୀୟ ଆତଙ୍କି ସଂଗଠନ ସହ ସାମିଲ୍ ହୋଇଛନ୍ତି ବୋଲି କହୁଛି ଗୃହ ମନ୍ତ୍ରଣାଳୟ। ଆଇଏସଆଇଏସ ସହ ସାମିଲ୍ ହୋଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଅନେକ ଅପରାଧିକ କାର୍ଯ୍ୟକଳାପ, ହିଂସାରେ ଲିପ୍ତ ଏ ସବୁ ସଂଗଠନ ଦେଶର ସମ୍ୱିଧାନକୁ ଅସମ୍ମାନ କରିବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି କ୍ରମାଗତ ବିପଦ ସୃଷ୍ଟି କରିଆସୁଛନ୍ତି। ବିଭିନ୍ନ ବର୍ଗକୁ ସାମିଲ କରି ଏହାର ସଦସ୍ୟତା ବଢ଼ାଉଛି ଓ ପାଣ୍ଠି ଯୋଗାଡ଼ ଲାଗି ଉସୁକାଉଛି। ଯଦିଓ ବାହାରକୁ ସାମାଜିକ-ଅର୍ଥନୈତିକ, ଶିକ୍ଷା ଓ ରାଜନୀତିକ ସଂଗଠନ ଭାବେ ନିଜକୁ ଅଭିହିତ କରୁଛି ସଂଗଠନ। କିନ୍ତୁ ସିକ୍ରେଟ ଏଜେଣ୍ଡା ଚଳାଇ ଦେଶର ଗଣତନ୍ତ୍ରକୁ ଦୁର୍ବଳ କରିବା ଓ ସମ୍ୱିଧାନକୁ ଅସମ୍ମାନ ଲାଗି ସବୁ ଫନ୍ଦି ଜାରି ରଖିଛି। ୟୁପି, କର୍ଣ୍ଣାଟକ ଓ ଗୁଜୁରାଟ ଭଳି ରାଜ୍ୟ ପିଏଫଆଇକୁ ବ୍ୟାନ କରିବାକୁ ସୁପାରିଶ ବି କରିଥିଲେ ଗୃହ ମନ୍ତ୍ରଣାଳୟକୁ। ଆଉ ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଭିନ୍ନ ରାଜ୍ୟ। ଏଭଳି ବ୍ୟାନ୍ ସମସ୍ତ ଦେଶ ବିରୋଧୀ ତତ୍ତ୍ୱକୁ କଡ଼ା ବାର୍ତ୍ତା ଦେଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ସଂଗଠନ ସହ କୌଣସିମତେ ଜଡ଼ିତ ହୁଅନ୍ତୁନି ବୋଲି ଲୋକଙ୍କୁ ଅପିଲ୍ କରିଛନ୍ତି ବୋମାଇ। ଏପରିକି କଂଗ୍ରେସ, ସିପିଆଇ, ସିପିଏମ ଭଳି ବିରୋଧୀ ଦଳ ବି ପିଏଫଆଇକୁ ବ୍ୟାନ୍ କରିବାକୁ ଦାବି କରିଆସିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶକୁ ବିଭାଜନ ଓ କ୍ଷତି ପହଞ୍ଚାଇବା ଉଦେଶ୍ୟରେ କାମ କରୁଥିବା ସଂଗଠନ ଉପରେ ଏଭଳି ବ୍ୟାନ୍ ଯଥାର୍ଥ। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି କି, ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ଦଙ୍ଗା ଭିଆଇବାରେ ପିଏଫଆଇ ସାମିଲ୍ ଥିଲା। କର୍ଣ୍ଣାଟକରେ ସିଦ୍ଦରମୟା କ୍ଷମତାରେ ଥିଲା ବେଳେ ୨୩ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏଭଳି ବ୍ୟାନ୍ ଲାଗିବା ଜରୁରୀ ଥିଲା। ତେବେ ଏଭଳି ବ୍ୟାନ୍‌କୁ ଯେଉଁମାନେ ବିରୋଧ କରୁଛନ୍ତି, ଏହାକୁ ଭାରତ କେବେ ବି ଗ୍ରହଣ କରିବନି ଓ ଏହାର ଜବାବ ବି ଦେବେ ଦେଶବାସୀ ବୋଲି କହିଛନ୍ତି ୟୁପି ଉପ-ମୁଖ୍ୟମନ୍ତ୍ରୀ। ସେପଟେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ କେ.ସୁରେଶ କହିଛନ୍ତି କି, ଆରଏସଏସ ଉପରେ ବି ବ୍ୟାନ୍ ଲାଗିବା ଜରୁରୀ। ପିଏଫଆଇ ଉପରେ ବ୍ୟାନ୍ ସମସ୍ୟାର ସମାଧାନ କରିବନି। ଆରଏସଏଏସ ବି ହିନ୍ଦୁଙ୍କ ଭିତରେ ସାମ୍ପ୍ରଦାୟିକତା ଘୃଣାର ମଞ୍ଜି ବୁଣୁଛି। ଆରଏସଏସ ଓ ପିଏଫଆଇ ଏକ୍। ସେଥିଲାଗି ସରକାର ଉଭୟକୁ ବ୍ୟାନ୍ କରିବା ଜରୁରୀ। ଖାଲି ପିଏଫଆଇ କାହିଁକି। ପିଏଫଆଇ ଓ ଏହାର ଛାମୁଆ ତଥା ଏହା ସହ ଜଡ଼ିତ ଅନେକ ସଂଗଠନ ଉପରେ କେନ୍ଦ୍ର ବ୍ୟାନ୍ ଲଗାଇବା ପରେ ଏହାକୁ ନେଇ ତେଜିଛି ରାଜନୀତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *