କ୍ଲିନିକରେ ପଶି ପିଟିଲେ ଏଡିଏମ୍- ହଡ଼ତାଳରେ ବିହାର ଅରରିୟା ଜିଲାର ସମସ୍ତ ଘରୋଇ ଡାକ୍ତର

ଇନସପେକ୍ସନ ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଦବଙ୍ଗଗିରି। ଡାକ୍ତରଙ୍କୁ ମାରିଲା ଚାପୁଡା। ବିହାର ଅରରିୟା ଜିଲ୍ଲାର ଏଡିଏମ ଏକ କ୍ଲିନିକକୁ ଯାଞ୍ଚ କରିଯିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଡାକ୍ତର ବାବୁ ବି ଚାପୁଡ଼ା ଖାଇ ଚୁପ୍ ବସିନଥିଲେ। ସେ ବି ଏଡିଏମଙ୍କୁ ପାଲଟା ଆକ୍ରମଣ କରିଥିଲେ। ଏହି ବୋବାଲ ପରେ ଓ ଏଡିଏମଙ୍କ ଏଭଳି ଅଶୋଭନୀୟ ବ୍ୟବହାର ବିରୁଦ୍ଧରେ ଜିଲ୍ଲାର ଘରୋଇ ଡାକ୍ତର ହଡ଼ତାଳକୁ ଓହ୍ଲାଇଛନ୍ତି। ଗୁରୁବାର ଏହି ଥାପଡ଼ କାଣ୍ଡ ଘଟିଥିଲା। ଏହାର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି। ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲାର ସମସ୍ତ ନର୍ସିଂ ହୋମ୍, ଅଲଟ୍ରାସାଉଣ୍ଡ ସେଣ୍ଟର ଓ ପାଥୋଲୋଜି ଲ୍ୟାବ ଯାଞ୍ଚ ଜାରି ରହିଛି। ବେଆଇନ ଭାବେ ଚାଲୁଥିବା ଲ୍ୟାବ୍ ଉପରେ ଆକ୍ସନ ନେବାକୁ ଜିଲ୍ଲାପାଳ ବିନୋଦ ଦୁହନ ଦୁଇଟି ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ କରିଛନ୍ତି। ଏଡିଏମ ଡାକ୍ତର ରାମବାବୁଙ୍କ ନେତୃତ୍ୱରେ ଏକ ଟିମ୍ ଯାଞ୍ଚ ଲାଗି ଅରରିୟାର ଫାରବିସଗଞ୍ଜ ରେଫେରାଲ ରୋଡ ସ୍ଥିତ ବଚପନ ନିୟୋ ଆଣ୍ଡ ଚାଇଲଡ ହସ୍ପିଟାଲରେ ପହଞ୍ଚିଥିଲେ। ଏଠାରେ ତଦନ୍ତ ଟିମ୍ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆଗ ଏଡିଏମ ରାମବାବୁ ଡାକ୍ତର ଦୀପକ କୁମାରଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ଏହା ପରେ ଦୁଇ ପକ୍ଷ ଭିତରେ ମାଡ଼ପିଟ୍ ହୋଇଥିଲା। ମାଡ଼ପିଟ ପରେ ଡାକ୍ତରଙ୍କ ସମର୍ଥକ ତଦନ୍ତ ଦଳକୁ ଏକ ଘରେ ବନ୍ଧକ ରଖିଦେଇଥିଲେ। ଖବର ପାଇବା ମାତ୍ରେ ଉପ ଜିଲ୍ଲାପାଳ ପୁଲିସ ଫୋର୍ସ ସହ ପହଞ୍ଚିଥିଲେ। ଆଉ ଟିମକୁ ଉଦ୍ଧାର କରିଥିଲେ। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ ତଦନ୍ତ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *