ଦେଢ଼ ମିନିଟରେ ୨୬ ଚାପୁଡ଼ା- କାରରେ ବନ୍ଧକ ରଖି ନିର୍ଯାତନା

ଦେଢ଼ ମିନିଟରେ ୨୬ ଥର ଚାପୁଡ଼ା। ଚାପୁଡ଼ା ମାରୁଛନ୍ତି ଜଣେ ଯୁବତୀ। ଆଉ ସହଯୋଗ କରୁଛନ୍ତି ଆଉ ୪ ସହପାଠୀ। କାରରେ ଥିଲେ ୪ ଜଣ। ପାର୍କିଂରେ ଥିଲା କାର୍। ଛାତ୍ରଙ୍କୁ କାର୍ ଭିତରେ ବନ୍ଧକ ରଖି ନିସ୍ତୁକ ପିଟୁଛନ୍ତି। ଲକ୍ଷ୍ନୌର ଏମିଟ୍ ୟୁନିଭରସିଟିର ଏହି ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। କ୍ଲାସମେଟ୍‌ର କାରରେ ବସି ଜଣେ ଯୁବତୀ ଓ ତାଙ୍କ ସହପାଠୀ ଏଭଳି ଆକ୍ରମଣ କରି ଧମକ ଦେଉଛନ୍ତି। ଗାଳିଗୁଲଜ ବି କରୁଛନ୍ତି। ଆଉ ଏହାର ଭିଡ଼ିଓ ବି ରେକର୍ଡିଂ ହୋଇଛି। କାରରେ ଯେଉଁ ଯୁବକକୁ ପିଟାଯାଇଥିଲା। ସେ ଜଣେ ଆଇନ ଛାତ୍ର। ଏଲଏଲବି ଦ୍ୱିତୀୟ ବର୍ଷର ଛାତ୍ର। ଏଭଳି ମାଡ଼ ଘଟଣା ପରେ ସଂପୃକ୍ତ ଛାତ୍ର ଶିଖର ମୁକେଶ କେଶରଓ୍ୱାନି କଲେଜ ଯିବା ଛାଡ଼ି ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ଛାତ୍ରଙ୍କ ଅଭିଭାବକ। ଅଗଷ୍ଟ ୨୬ର ଏ ଘଟଣା। କାର ଭିତରେ ଆଗରୁ ୪ ଜଣ ଥିଲେ। ଆୟୁଷ ଯାଦବ, ଜାହ୍ନବୀ ମିଶ୍ରା, ମିଲନ ବାନାର୍ଜୀ, ବିବେକ ସିଂ ଓ ଆର୍ଯ୍ୟମନ ଶୁକ୍ଳାଙ୍କ ନାଁରେ ଏତଲା ଦିଆଯାଇଛି। ଆଉ ଏ ଭିଡ଼ିଓ ଭାଇରାଲ ସାଙ୍ଗକୁ ଅଭିଯୋଗପତ୍ର ପରେ ପୁଲିସ ପୁରା ଘଟଣାର ଛାନଭିନ୍ ସକାଶେ ଜୁଟିଯାଇଛି। ମାଡ଼ ଖାଇଥିବା ଯୁବକଙ୍କ ପିତାଙ୍କ ଏତଲା ଅନୁସାରେ, ତାଙ୍କ ପୁଅକୁ ପ୍ରାୟ ୪୫ ମିନିଟ ଧରି କଥାବାର୍ତ୍ତା କରିବା ବାହାନାରେ ଅଟକ ରଖାଗଲା। ଏହା ପରେ ଗାଳିଗୁଲଜ ଓ ଧମକ ଦେଇ ମାଡ଼ ମରାଗଲା। ଆଉ ଧମକ ଦିଆଯାଇଥିଲା, ଯଦି ଏ ବାବଦରେ କାହାରିକୁ କହିବ, ଜୀବନରେ ମାରିଦେବୁ। କାର୍ ଭିତରେ ଯୁବତୀ ଓ ତାଙ୍କ ସାଥୀଙ୍କ ଏହି ଦବଙ୍ଗଗିରି ଘଟଣା ଏମିଟି ୟୁନିଭରସିଟିର କ୍ୟାମ୍ପସର ପାର୍କିଂରେ ଘଟିଥିଲା। ଏ ଭିଡ଼ିଓ ମାଡ଼ ମାରିଥିବା ଯୁବତୀଙ୍କ ବନ୍ଧୁମାନେ ଭାଇରାଲ କରିଛନ୍ତି। ପୁଲିସ ଭାଇରାଲ ଭିଡ଼ିଓର ପୁରା ଯାଞ୍ଚ କରିବ ବୋଲି କହିଛି। ପୁରା ସତ ସାମ୍ନାକୁ ଆଣିବ। ୟୁନିଭରସିଟି କର୍ତ୍ତୃପକ୍ଷ ଏ ନେଇ ମୁହଁ ଖୋଲୁନାହାନ୍ତି। କିନ୍ତୁ କର୍ତ୍ତୃପକ୍ଷ କଥା ଦେଇଛନ୍ତି, ତଦନ୍ତରୁ ଯାହା ବାହାରିବ। ସେହି ଅନୁସାରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ନିଆଯିବ। ପରିବାର ପକ୍ଷରୁ ବିଧିବଦ୍ଧ ଅଭିଯୋଗ ହେଲେ ଦୋଷୀଙ୍କ ବିରୁଦ୍ଧରେ ଆକ୍ସନ ହେବ। କ୍ଲାସମେଟକୁ କାରରେ ବନ୍ଧକ ରଖି ପିଟିବା ଘଟଣା ସବୁଠି ଚର୍ଚ୍ଚାର ବିଷୟ ସାଜିଛି। ତେବେ ଏ ବିବାଦର ମୂଳ ମଞ୍ଜି କଅଣ, ଏବେ ସୁଦ୍ଧା ସ୍ପଷ୍ଟ ହୋଇନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *