ମୋଦିଙ୍କ ସ୍ୱର୍ଗବାସୀ ମାଆଙ୍କୁ ଅପମାନ- ବିହାର ବନ୍ଦ

ଭୋଟର ଅଧିକାର ଯାତ୍ରା ବେଳେ ଦରଭଙ୍ଗାରେ ମଞ୍ଚ ଉପରୁ ଜଣେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର୍ଗବାସୀ ମାଆଙ୍କୁ ଆକ୍ଷେପ କରି ଗାଳି କରିଥିଲେ। ଏଭଳି ଅଭଦ୍ରୋଚିତ ମନ୍ତବ୍ୟ ବିରୁଦ୍ଧରେ ଆଜି ଏନଡିଏ ବିହାର ବନ୍ଦ କରିଥିଲା। ବନ୍ଦରେ ବିଜେପି, ଜେଡିୟୁ ଓ ସହଯୋଗୀ ଦଳ ରାଜରାସ୍ତାକୁ ଓହ୍ଲାଇଥିଲେ। ସକାଳ ୭ଟାରୁ ୧୨ଟା ଯାଏ ବନ୍ଦ ପାଳନ କରାଯାଇଥିଲା। ଦଳୀୟ କାର୍ଯ୍ୟକର୍ତ୍ତା ଚକାଜାମ୍ କରିଥିଲେ। କେଉଁଠି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ତ କେଉଁଠି ରେଳରୋକ କରି ପ୍ରତିବାଦକୁ ଶାଣିତ କରିଥିଲେ। ଦୋକାନବଜାର ବନ୍ଦ ଥିଲା। ପିକେଟିଂ କରି ସରକାରୀ ଅଫିସ ବନ୍ଦ କରିଥିଲେ କର୍ମୀ। ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଇଣ୍ଟରସିଟି ବସ୍ ସେବା, ସରକାରୀ ଅଫିସ ଓ ଘରୋଇ ବିଜନେସ୍ ବନ୍ଦ ଥିଲା। ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ମାଆକୁ ଅପମାନ ବରଦାସ୍ତ କରାଯିବନି କହି ନାରାବାଜି କରିଥିଲେ। ଏଭଳି ଅପଶବ୍ଦ କେବଳ ମୋଦିଙ୍କ ମାଆଙ୍କ ପ୍ରତି ନୁହେଁ, ବରଂ ପୁରା ଦେଶର ପ୍ରତିଟି ମାଆଙ୍କୁ ଅପମାନ ବୋଲି କହିଛନ୍ତି ଏନଡିଏ କର୍ମକର୍ତ୍ତା। ବନ୍ଦକୁ ଲିଡ୍ କରୁଥିଲା ବିଜେପି ମହିଳା ମୋର୍ଚ୍ଚା। ବନ୍ଦରୁ ଜରୁରୀକାଳିନ ସେବାକୁ ବାଦ୍ ଦିଆଯାଇଥିଲା। ହାଜିପୁର-ମୁଜାଫରପୁର ଜାତୀୟ ରାଜପଥ ୨୨ ସମେତ ଅନେକ ରାସ୍ତାକୁ ଜାମ୍ କରିଦେଇଥିଲେ କର୍ମକର୍ତ୍ତା। ରାହୁଲ ଓ ତେଜସ୍ୱୀଙ୍କ କ୍ଷମାପ୍ରାର୍ଥନା ଦାବି କରିଛି ଦଳ। ବିହାର ଜନତା ରାହୁଲ ଓ ତେଜସ୍ୱୀଙ୍କୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଓ ରାଜ୍ୟସଭା ସାଂସଦ ରବିଶଙ୍କର ପ୍ରସାଦ। ସ୍ୱର୍ଗତ ମାଆଙ୍କୁ ଆକ୍ଷେପ କରି ଏଭଳି ଅଭଦ୍ର ବ୍ୟବହାର କରିଥିବାରୁ ଭାଙ୍ଗି ପଡ଼ିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିରୋଧୀ କେଉଁସ୍ତରକୁ ଖସିଗଲେଣି କହି ତାଙ୍କ ସ୍ୱର୍ଗବାସୀ ମାଆଙ୍କୁ ବି ଛାଡ଼ିଲେନି କହି ଭାବବିହ୍ୱଳ ହୋଇପଡ଼ିଥିଲେ ମୋଦି। ଏହା ପରେ ପାଟନାରେ ଥିବା କଂଗ୍ରେସ ଅଫିସ ଆଗରେ ବିଜେପି କର୍ମୀ ଆନ୍ଦୋଳନ କରୁଥିଲା ବେଳେ ପରସ୍ପର ସହ ମାଡ଼ପିଟ୍ ସହ ଢେଲାପଥର ଉଡ଼ିଥିଲା। ଆଜିର ବନ୍ଦ ଲାଗି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜଣେ ମହିଳା ଶିକ୍ଷୟତ୍ରୀଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ମାଡପିଟ୍ କରିଥିବା କଥା ସାମ୍ନାକୁ ଆସିଛି। କେଉଁଠି ପିଲାଙ୍କ ପରୀକ୍ଷା ଥିଲେ ବି ଆନ୍ଦୋଳନକାରୀ ଛାଡ଼ିନଥିଲେ ତ କେଉଁଠି ସ୍କୁଲ ପିଲାଙ୍କ ଅଭିଭାବକଙ୍କ ସହ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। କାଉଣ୍ଟରରେ ମହାଗଠବନ୍ଧନ ନେତା ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ଯିଏ ବି ଏଭଳି ଅପଶବ୍ଦ କହିଛି, ତାଙ୍କୁ ଗିରଫ କରାଯାଇଛି। ଭୋଟର ଅଧିକାର ଯାତ୍ରାରେ ଭୟଭୀତ ହୋଇପଡ଼ିଛି ଏନଡିଏ। ସେଥିଲାଗି ଏଭଳି ବନ୍ଦ ନାଟକ ରଚିଥିଲା। ଖୋଦ୍ ସରକାରୀ ଦଳ ବନ୍ଦ କରି କି ବାର୍ତ୍ତା ଦେଉଛି, ବିହାରର ଜନତା ବୁଝିସାରିଲେଣି। ମୋଦିଙ୍କ ମାଆଙ୍କ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗକୁ ନେଇ ବିହାର ବନ୍ଦ ହେଲା। ଆଗକୁ ଏ ବିରୋଧ ବିହାର ଜନତାଙ୍କ ଉପରେ କେତେଦୂର ପ୍ରଭାବ ପକାଇବ, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *