ପରୀକ୍ଷାରେ ଫେଲ୍ ହେବା ପରେ ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଯାଆନ୍ତି। ଅଭିଭାବକଙ୍କ ଚାପ, ସମାଜର ଟାହିଟାପରାକୁ ଭୟ କରି ଜୀବନ ହାରିଦିଅନ୍ତି। କିନ୍ତୁ ପରୀକ୍ଷାଠୁ ଯେ ଜୀବନ ବଡ଼। ଏ କଥା ବୁଝିପାରିଛନ୍ତି କର୍ଣ୍ଣାଟକର ଏ ଦମ୍ପତ୍ତି। ପୁଅ ଦଶମ ବୋର୍ଡ ପରୀକ୍ଷାରେ ସମସ୍ତ ବିଷୟରେ ଫେଲ୍ ହୋଇଗଲା। ପୁଅ ଅଭିଷେକ ଭାବୁଥିଲା, ତା ବାପା ମାଆ ତାକୁ ଗାଳିଗୁଳଜ କରିବେ। ଲଜ୍ଜିତ କରିବେ। କିନ୍ତୁ ଏମିତି ହେବା ତ ଦୂରର କଥା। ପାଲଟା ପରୀକ୍ଷାରେ ଫେଲ୍ ହୋଇଥିବା ପୁଅକୁ ବାପା ମାଆ ଶିଖାଇଲେ ଯେ, ପରୀକ୍ଷା ବଡ଼ ନୁହେଁ। ଜୀବନରେ ଜିତିବା ବଡ଼। ସେଥିଲାଗି ତ ବାଗଲକୋଟରେ ରହୁଥିବା ଏହି ଦମ୍ପତ୍ତି ନିଜ ପୁଅର ମନୋବଳ ବଢ଼ାଇବାକୁ କେକ୍ ଓ ମିଠା ବାଣ୍ଟି ସେଲିବ୍ରେସନ କରିଛନ୍ତି। ପୁଣି ଥରେ ପରୀକ୍ଷା ଦେବାକୁ ପ୍ରୋତ୍ସାହିତ କରିଛନ୍ତି। ଭୁଲରେ ବି କୌଣସି ଚରମ ପଦକ୍ଷେପ ନ ନେବାକୁ ବାର୍ତ୍ତା ଦେଇଛନ୍ତି। ପୁଅର ଅସଫଳତା ପୁଅ ମନ ଉପରେ ଭାରି ନ ପଡ଼ୁ। ବରଂ ଏହା ଆଗକୁ ଯିବାକୁ ପ୍ରୋତ୍ସାହନର ମାଧ୍ୟମ ସାଜୁ ବୋଲି ବାର୍ତ୍ତା ଦେଇଛନ୍ତି ଅଭିଭାବକ। ଅଭିଶେକ ବାଗଲକୋଟର ବାସବେଶ୍ୱର ଇଂରାଜୀ ମିଡିୟମ ସ୍କୁଲରେ ପଢ଼ନ୍ତି। ୬ଶହ ମାର୍କରୁ ସେ ୨ଶହ ନମ୍ୱର ଆଣିଛନ୍ତି ଅଭିଷେକ। ସବୁ ବିଷୟରେ ଫେଲ୍। ଏଥର ଫେଲ୍ ହୋଇଛି ସତ। କିନ୍ତୁ ଅଭିଷେକ ସହ ପରିବାର ସାଥ୍ ଦେଇଛନ୍ତି। ଆଗକୁ ଏକାଗ୍ରତା ଓ ପରିଶ୍ରମ ବଳରେ ସେ ନିଶ୍ଚିତ ସଫଳ ହେବ ବୋଲି ଆଶା ରଖିଛନ୍ତି। ଲୋକେ ଅଭିଷେକଙ୍କ ଅଭିଭାବକଙ୍କ ଏଭଳି ସକରାତ୍ମକ ଚିନ୍ତାଧାରାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ମେ ୨ରେ କର୍ଣ୍ଣାଟକ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ବାହାରିଥିଲା। ଯେଉଁ ଛାତ୍ରଛାତ୍ରୀ ଏଥର କୃତକାର୍ଯ୍ୟ ହୋଇନାହାନ୍ତି। ସେମାନେ ମେ ୨୬ରୁ ଆରମ୍ଭ ହେବାକୁ ଥିବା ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ଜୁନ୍ ୨ ଯାଏ ପରୀକ୍ଷା ହେବ। ଅଭିଷେକ ବି ଏହି ମଉକାରୁ ଫାଏଦା ଉଠାଇ ନିଶ୍ଚିତ ସଫଳତା ପାଇବେ ବୋଲି ପୁଣି ପରୀକ୍ଷା ପ୍ରସ୍ତୁତିରେ ମାତିଯାଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now