ଜମ୍ମୁକଶ୍ମୀରରେ ବାଦଲଫଟା ବର୍ଷା। କିସ୍ତଓ୍ୱାଡ଼ର ଚିସୋତିରେ ବାଦଲଫଟା ବର୍ଷାରୁ ୧୫ଜଣଙ୍କ ମୃତ୍ୟୁ ହୋଇଛି। ଡଜନରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ରେସକ୍ୟୁ ଅପରେସନ ଜାରି ରହିଛି। ଉତ୍ତରାଖଣ୍ଡର ଧରାଲି ଭଳି କିସ୍ତଓ୍ୱାଡ଼ ଜିଲ୍ଲାର ମଚୈଲ ମାତା ତୀର୍ଥଯାତ୍ରୀ ରୁଟରେ ଏଭଳି ବାଦଲ ଫାଟିଥିଲା। ବାଦଲଫଟା ବର୍ଷାରୁ ହୋଇଥିବା ବନ୍ୟା ପ୍ରଭାବରେ ପୁରା ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଦେଖୁ ଦେଖୁ ଅନେକ ଘର, ଗାଡ଼ି ଭାସିଯାଇଥିଲା। ସିଭିଲ୍, ପୁଲିସ, ସେନା, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି। ଗୃହ ମନ୍ତ୍ରଣାଳୟ ୨ଟି ଏନଡିଆରଏଫ ଟିମକୁ ତୁରନ୍ତ ଘଟଣାସ୍ଥଳକୁ ପଠାଇଛି। ଆବଶ୍ୟକସ୍ଥଳେ ରେସକ୍ୟୁ ଅପରେସନରେ ହେଲିକେପ୍ଟର ବ୍ୟବସ୍ଥା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ପାଣିପାଗ ବିଭାଗ ବି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି। କୁପଓ୍ୱାଡ଼ା, ବାରାମୁଳା, ବାନ୍ଦିପୁରା, ଶ୍ରୀନଗର, ଗାନ୍ଦେରଓ୍ୱାଲ ଭଳି ପାହାଡ଼ିଆ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରାଯାଇଛି। ହିମାଚଳପ୍ରଦେଶରେ ବିଳମ୍ୱିତ ରାତିରେ ବାଦଲଫଟା ବର୍ଷାରୁ ବଡ଼ ପ୍ରଳୟ ଦେଖିବାକୁ ମିଳିଛି। ପୋଲ ଓ ଗାଡ଼ି ଭାସିଯାଇଛି। କୁଲ୍ଲୁ, ସିମଲା ଓ ଲାହୋଲରେ ପ୍ରଳୟ ରଚିଛି ବାଦଲଫଟା ବର୍ଷା। କୁଲୁରେ ୧୦ରୁ ଅଧିକ ପୋଲ ଭାସିଯାଇଛି। ସିମଲାରେ ବନ୍ୟାର ପ୍ରକୋପ ସାଙ୍ଗକୁ ଭୂସ୍ଖଳନର ବିପତ୍ତି ମାଡ଼ି ଆସିଛି। ରାଜ୍ୟର ୪ ଜିଲ୍ଲାରେ ବାଦଲଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ବୁଧବାର ସଂଧ୍ୟାରେ କୁଲୁର ଶ୍ରୀଖଣ୍ଡ ମହାଦେବରେ ବାଦଲ ଫାଟିଯାଇଥିଲା। ଅନେକ କଟେଜ୍, ରେଷ୍ଟୁରାଣ୍ଟ ଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକଙ୍କ ଜୀବନ ଯାଇଛି। ବାଦଲଫଟା ବର୍ଷାର ପ୍ରଳୟରୁ ଅନେକ ଗାଁକୁ ଖାଲି କରିଛି ପ୍ରଶାସନ। ବାଦଲଫଟା ବର୍ଷାରୁ ଭୟଙ୍କର କ୍ଷତି ହୋଇଛି। ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ବାଦଲଫାଟିବାରୁ ବନ୍ୟା ଓ ଭୂସ୍ଖଳନ ବିପତ୍ତି ମାଡ଼ି ଆସିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now