ଅସରାୟ ବର୍ଷାରେ ଅବସ୍ଥା ବେହାଲ

Spread the love

ଗୁଜୁରାଟ ଏବଂ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ବନ୍ୟା ଓ ବର୍ଷା ସହିତ ଜଡିତ ୮୩ ଜଣ ପ୍ରାଣ ହରାଇଛନ୍ତି। ଉଭୟ ରାଜ୍ୟରେ ଯେମିତି ଜୀବନ ସ୍ଥିର ହୋଇଯାଇଛି। ଗୁଜୁରାଟର କେନ୍ଦ୍ରୀୟ ଓ ଦକ୍ଷିଣ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି। ଏପର୍ଯ୍ୟନ୍ତ ୯ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନନ୍ତରଣ କରାଯାଇଛି। ଅପରପଟେ ୪୬୮ ଜଣଙ୍କୁ ଉଦ୍ଧାର କରାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଅହମ୍ମଦାବାଦ ସମେତ ଅନେକ ବଡ ସହରରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଛିଡା ହୋଇଛି। ବର୍ଷା ହେତୁ ରାଜକୋଟରେ ଥିବା ସିଭିଲ ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଛି। ଏହି କାରଣରୁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରୋଗୀମାନେ ବହୁ ଅସୁବିଧାରେ ହସ୍ପିଟାକୁ ଯିବା ଆସିବା କରୁଛନ୍ତି। ଦକ୍ଷିଣ ଗୁଜୁରାଟର ଡାଙ୍ଗ, ନଭସାରି, ତାପି ଏବଂ ଭଲସାଡ ଜିଲ୍ଲା ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ କେନ୍ଦ୍ରୀୟ ଗୁଜୁରାଟର ପଞ୍ଚମହଲ, ଛୋଟା ଉଦୟପୁର ଓ ଖେଡା ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଡାଙ୍ଗ, ନଭସାରି, ଭାଲସାଦ, ତାପି ଏବଂ ସୁରାଟକୁ ପାଣିପାଗ ବିଭାଗ ପୂର୍ବାନୁମାନ ସତର୍କ କରିଛି।

ସୌରାଷ୍ଟ୍ରର କୁଚ୍, ଦ୍ୱାରକା, ଜାମନଗର, ମୋର୍ବି ଏବଂ ରାଜକୋଟକୁ ପାଣିପାଗ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଗୁଜୁରାଟରେ ବନ୍ୟା ପରି ପରିସ୍ଥିତି ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଏନେଇ କେନ୍ଦ୍ର ସରକାର ସହାୟତା ଯୋଗେଇଦେବାକୁ ସମ୍ପୂର୍ଣ୍ଣ ଆଶ୍ୱାସନା ଦେଇଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *