ଅଙ୍କିତା ଭଣ୍ଡାରୀ ହତ୍ୟା: ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲୀ: ସୁପ୍ରିମକୋର୍ଟ ଉତ୍ତରାଖଣ୍ଡର ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ସୋମବାର ରାଜ୍ୟ ସରକାରକୁ ଯାଞ୍ଚର ବର୍ତ୍ତମାନ ସ୍ଥିତି ସମ୍ବନ୍ଧିତ ରିପୋର୍ଟ ତଲବ କରିଛନ୍ତି। ବିଚାରପତି ଏମ ଜୋସେଫ ଓ ବିଚାରପତି ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଜଣେ ପତ୍ରକାର ଓ ଅଙ୍କିତାଙ୍କ ପରିବାର ପକ୍ଷରୁ ଦାୟର ଯାଚିକା ଉପରେ ଶୁଣାଣି କରି ଡେପୁଟି ଆଡଭୋକେଟ ଜେନେରାଲ ଜତୀନ୍ଦର କୁମାର ସେଠୀଙ୍କୁ କହିଛନ୍ତି କି, ବର୍ତ୍ତାମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ରିପୋର୍ଟ ଦାଖଲ କରନ୍ତୁ।
ଯାଚିକାକର୍ତ୍ତାଙ୍କ ଓକିଲ ଯାଞ୍ଚର ଉପାୟକୁ ନେଇ ବହୁ ପ୍ରଶ୍ନ ଉଠାଇ ଦାବି କରିଥିଲେ କି, ରାଜ୍ୟ ପୁଲିସ ଦ୍ବାରା କରାଯାଇଥିବା ଯାଞ୍ଚରେ ଅନେକ ଫାଙ୍କ ରହିଯାଉଛି। ଏହା ଉପରେ ସେଠୀ କହିଥିଲେ କି, ଏପ୍ରକାର ଯାଚିକା ସବୁ ଦ୍ବାରା ରାଜ୍ୟ ପୁଲିସର ମନୋବଳ ଦୁର୍ବଳ ହୋଇଥାଏ, ଯେତେବେଳେ କି, ସେମାନେ ବେଶ ଭଲ କାମ କରିଥାନ୍ତି।
ସୂଚନାଯୋଗ୍ୟ, ଋଷିକେଶ ନିକଟବର୍ତ୍ତୀ ୱନନ୍ତରା ରିସୋର୍ଟରେ ରିସେପସନିଷ୍ଟ ଭାବେ କାମ କରୁଥିବା ଅଙ୍କିତା ଭଣ୍ଡାରୀଙ୍କୁ ତାଙ୍କ ମାଲିକ ପୁଲକିତ ଆର୍ଯ୍ୟ ଓ ଦୁଇ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ମାମଲାରେ ଅଭିଯୁକ୍ତମାନେ ଜେଲରେ ଅଛନ୍ତି ଓ ପୁଲିସ ମାମଲାର ଯାଞ୍ଚ କରୁଛି। ଯାଞ୍ଚ କରୁଥିବା ଏସଆଇଟି ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ ଦାଖଲ କରିସାରିଛି।