ସରକାର ଓ ସୁପ୍ରିମକୋର୍ଟ ଝଗଡ଼ାରେ ବ୍ୟସ୍ତ

() ଦେଶର ଜନତା ଓ ସଂସଦର ଭାବନା ଆଧାରରେ ସୁପ୍ରିମକୋର୍ଟ କାମ କରୁନି। ୫ କୋଟି ଛୁଇଁବାକୁ ବସିଛି ଦେଶର ବକେୟା ମାମଲା ସଂଖ୍ୟା। କିନ୍ତୁ ସେହି ଆଧାରରେ ବିଚାରପତି ନିଯୁକ୍ତି ହେଉନଥିବା ପଛରେ କଲେଜିୟମକୁ ଦାୟୀ କରିଛନ୍ତି ସରକାର। ସଂସଦ ସର୍ବସମ୍ମତିକ୍ରମେ ବିଚାରପତି ନିଯୁକ୍ତି ପାଇଁ ପାରିତ କରିଥିବା ନାସନାଲ ଜୁଡ଼ିସିଆଲ ଆପୋଏଣ୍ଟମେଣ୍ଟ କମିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ଠିକ୍ ନିଷ୍ପତ୍ତି  ନଥିଲା ବୋଲି କହି ସରକାର ନିଜର ଆଭିମୁଖ୍ୟକୁ ସଂସଦରେ ସ୍ପଷ୍ଟ କରିଛନ୍ତି।

କୋର୍ଟରେ ଗଡ଼ୁଥିବା ମାମଲା ସଂଖ୍ୟା ୫ କୋଟି ଛୁଇଁବାକୁ ବସିଲାଣି। କିନ୍ତୁ ବିଚାରପତି ଅଭାବରୁ ଏହାର ତ୍ୱରିତ ଶୁଣାଣୀ ହୋଇପାରୁନି। ସୁପ୍ରିମକୋର୍ଟ ସରକାରଙ୍କୁ ଦୋଷ ଲଦୁଥିଲା ବେଳେ ସରକାର କହୁଛନ୍ତି, କଲେଜିୟମ ବ୍ୟବସ୍ଥା ଦାୟୀ। ତା ହେଲେ ଏହାର ସମାଧାନ କେମିତି ହେବ। ସରକାର ଓ ସୁପ୍ରିମକୋର୍ଟ ତ ଝଗଡ଼ାରେ ବ୍ୟସ୍ତ। ସଂସଦରେ କଂଗ୍ରେସ ସାଂସଦ ରାଜୀବ ଶୁକ୍ଳାଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଇନ ମନ୍ତ୍ରୀ ଯେଉଁ କଥା ଖୋଲା ମନରେ କହିଛନ୍ତି, ତାହା ନୂଆ ବିବାଦକୁ ଛିଡ଼ା କରିଛି।

ସଂସଦରେ ସର୍ବସମ୍ମତ ନାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ ପାରିତ ହୋଇଥିଲା। ଦୁଇ ତୃତୀୟାଂଶ ରାଜ୍ୟ ବି ଏଥିରେ ସହମତି ଦେଇଥିଲେ। କିନ୍ତୁ ଦେଶର ଜନତା ଓ ସଂସଦର ଭାବନାକୁ ବୁଝିପାରିଲେନି ସୁପ୍ରିମକୋର୍ଟ। କୋର୍ଟ ଉପରେ ଯଦିଓ ଟିକାଟିପ୍ପଣୀ କରିବାକୁ ସେ ଚାହୁଁନାହାନ୍ତି, ତେବେ କହୁ କହୁ ସବୁ କଥା ଓଗାଳିଦେଇଥିଲେ ଆଇନମନ୍ତ୍ରୀ। କଲେଜିୟମ ଯେଉଁ ବିଚାରପତିଙ୍କ ନାଁ ପଠାଉଛି, ସେ ବି ଗୁଣାତ୍ମକ ହେବା ଦରକାର ବୋଲି କହିଛନ୍ତି ରିଜ୍ଜୁ।

ଆଉ ମନ୍ତ୍ରୀଙ୍କ ଉତ୍ତର ଶୁଣିବା ପରେ ରାଜୀବ ଶୁକ୍ଳା ସିଧା ସ୍ପଷ୍ଟତା ଲୋଡ଼ିଥିଲେ କି ସଂସଦର ସର୍ବସମ୍ମତ ଏନଜେଏସି ଆକ୍ଟକୁ ଆଉଥରେ ଲାଗୁ କରିବେ କି ସରକାର। ବିନା କାମରେ ଅବସରପ୍ରାପ୍ତ ବିଚାରପତିଙ୍କୁ ସୁବିଧା ସୁଯୋଗ କାହିଁକି ଦିଆଯାଉଛି କହି ପ୍ରଶ୍ନ ଆସିଥିଲା। ଆଉ ମନ୍ତ୍ରୀ ବି କହିଥିଲେ, ଏନଜେଏସି ଲାଗୁ ହେବା ଜରୁରୀ। କାରଣ ଏହି ଆକ୍ଟ ଖାରଜ ନିଷ୍ପତ୍ତି ଠିକ୍ ନଥିଲା ବୋଲି ଆଇନ ବିଶାରଦଙ୍କଠୁ ନେଇ ଖଣ୍ଡପୀଠରେ ଥିବା ଅନେକ ବିଚାରପତି କହିସାରିଛନ୍ତି।

କେବଳ ଏତିକି ନୁହେଁ, ବିଚାରପତିଙ୍କ ଛୁଟିର ଅବଧିକୁ ନେଇ ଆପତ୍ତି କରିଥିଲେ କିଛି ସଭ୍ୟ। ସର୍ବୋପରି ସବୁ ବର୍ଗକୁ ସମାନ ପ୍ରତିନିଧିତ୍ୱ ମିଳୁନି ବୋଲି କେହି ଆରୋପ ଉଠାଇଥିଲେ। ଆଉ ମନ୍ତ୍ରୀ କହିଥିଲେ କି, ବିଚାରପତି ନିଯୁକ୍ତିରେ ସଂରକ୍ଷଣ ନାହିଁ। କିନ୍ତୁ ସବୁ ବର୍ଗକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ଦିଗରେ କଲେଜିୟମ ଧ୍ୟାନ ଦେବା ଜରୁରୀ। ସୁପ୍ରିମକୋର୍ଟରେ ମାତ୍ର ଜଣେ ଜନଜାତି ବିଚାରପତି ଓ ୪ ଜଣ ଅନୁସୂଚିତ ଜାତି ବିଚାରପତି ଅଛନ୍ତି। ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟରେ ସଂରକ୍ଷଣ ନଥିବା ସତ୍ତ୍ୱେ ପୁଣି କେମିତି ସବୁ ବର୍ଗକୁ ପ୍ରତିନିଧିତ୍ୱ ମିଳୁଛି କହି କଲେଜିୟମକୁ କଟାକ୍ଷ କରିଥିଲେ ମନ୍ତ୍ରୀ।

ବିଚାରପତି ନିଯୁକ୍ତି ନେଇ ଅନେକ ବାର ମୁହାଁମୁହିଁ ହେଲେଣି ସରକାର ଓ ସୁପ୍ରିମକୋର୍ଟ। ଆଉ ଏହାର ଝଲକ ବି ଆଜି ସଂସଦରେ ଦେଖାଗଲା। ସରକାରଙ୍କର ମାନସିକତା କଅଣ, ତାହା ବି ସ୍ପଷ୍ଟ ହୋଇଗଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *