
ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ଜେଲରେ ଭିଡ କମ କରିବାକୁ ଛଡାଯାଇଥିବା ସମସ୍ତ ଦୋଷୀ ଓ ବିଚାରାଧୀନ କଏଦୀଙ୍କୁ ୧୫ ଦିନ ଭିତରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ ଆର ଶାହ ଓ ଜଷ୍ଟିସ ସି ଟି ରବିକୁମାରଙ୍କ ପୀଠ କହିଛନ୍ତି କି, ମହାମାରୀ କାଳରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହି ନିରପତ୍ତା ସ୍ବରୂପ ଜରୁରୀକାଳୀନ ଜାମିନରେ ମୁକ୍ତ କରାଯାଇଥିବା ବିଚାରାଧୀନ କଏଦୀ ଆତ୍ମସମର୍ପଣ ପରେ ନିୟମିତ ଜାମିନ ପାଇଁ ଅନୁରୋଧ କରିପାରିବେ।
ପୀଠ ଆହୁରି କହିଛନ୍ତି କି, କୋଭିଡ-୧୯ ବିଶ୍ବ ମହାମାରୀ କାଳରେ ମୁକ୍ତ ହୋଇଥିବା ସମସ୍ତ ଦୋଷୀ ଆତ୍ମସମର୍ପଣ ପରେ ନିଜ ଦଣ୍ଡ କମାଇବାକୁ ଉପଯୁକ୍ତ କୋର୍ଟରେ ଅନୁରୋଧ କରିପାରନ୍ତି। ବହୁ ଦୋଷୀ ଓ ବିଚାରାଧୀନ ଦୋଷୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ବାରା ଗଠିତ ଉଚ୍ଚ ଅଧିକାର ପ୍ରାପ୍ତ ସମିତିର ସୁପାରିଶରେ କରୋନା କାଳରେ ମୁକ୍ତ କରାଯାଇଥିଲା। ତେବେ ମୁକ୍ତ ହୋଇଥିବା ଅଧିକାଂଶ କୈଦୀମାନଙ୍କ ବିରୋଧରେ ଥିବା ମାମଲା ସାଂଘାତିକ ନ ଥିଲା।