
୧୬ ବର୍ଷରୁ ଅଧିକ ମୁସଲମାନ ଝିଅଙ୍କ ବିବାହକୁ ମିଳିଛି ସ୍ୱୀକୃତି । ୧୬ ବର୍ଷ ହେବା ପରେ ଜଣେ ମୁସଲମାନ ଝିଅ ନିଜ ଇଛାରେ ବିବାହ କରି ପାରିବେ ଓ ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେବ। ଏକ ମାମଲାର ଶୁଣାଣି କାଳରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏପରି ରାୟ ଦେଇଛନ୍ତି।
ବିବାହର ବୟସ ସମାନ କରିବାକୁ ଏକ ଯାଚିକା ସୁପ୍ରିମ କୋର୍ଟରେ ପଡି ରହିଥିବା ବେଳେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ମୁସଲମାନ ଝିଅଙ୍କ ବିବାହ ବୟସ ଉପରେ ଦେଇଛନ୍ତି ରାୟ। ରାୟରେ କୁହାଯାଇଛି, ମୁସଲମାନ ଝିଅ ୧୬ ବର୍ଷରେ ନିଜ ଇଛାରେ ବିବାହ କରିପାରିବେ। ଏହି ରାୟ ଉପରେ କୋର୍ଟ ଇସଲାମିକ ଆଇନକୁ ଉଦ୍ଧାର କରି କହିଛନ୍ତି କି, ଯେଉଁଥିରେ ଝିଅଙ୍କଠାରେ କିଶୋରାବସ୍ଥାରେ ଯୌନ ଲକ୍ଷଣ ଦେଖାଦେଇଥାଏ, ତେଣୁ ସେମାନଙ୍କୁ ବୟସ୍କ ମାନି ନିଆଯାଇଥାଏ। ଏହା ବ୍ୟତୀତ ମୁସଲମାନଙ୍କ ନିକାହ, ମୁସ୍ଲିମ ପର୍ସନଲ ଲ ଅଧୀନରେ ହୋଇଥାଏ। ତେଣୁ ସେହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ଯୌନ ପରିପକ୍ବତା ହାସଲ କରିବା ପରେ ବିବାହ ଯୋଗ୍ୟ ବିବେଚିତ ହୋଇଥାଏ। ଏଥିସହ ଆହୁରି ସ୍ପଷ୍ଟିକରଣ ରହିଛି କି, ଯଦି ପ୍ରମାଣ ନାହିଁ ତ ୧୫ ବର୍ଷରେ ମଧ୍ୟ ଜଣେ ପରିପକ୍ବତା ଆଧାରରେ ବିବାହ ଯୋଗ୍ୟ ହୋଇଥାଏ। ଦେଶର ପ୍ରତି ନାଗରିକଙ୍କୁ ଜୀବନ ଓ ସ୍ବତନ୍ତ୍ରତା ରକ୍ଷା କରିବାର ଅଧିକାର ରହିଛି ବୋଲି ହାଇକୋର୍ଟ ଆହୁରି କହିଛନ୍ତି।
ପରିବାର ବର୍ଗଙ୍କ ଇଛା ବିରୋଧରେ ନିକାହ କରିଥିବା ମୁସଲମାନ ଯୋଡି ନିଜ ସୁରକ୍ଷାକୁ ନେଇ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ହାଇକୋର୍ଟ ଆବେଦନକାରୀଙ୍କ ଅପିଲକୁ ସ୍ବୀକୃତି ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଜସଜୀତ ସିଂହ ବେଦୀଙ୍କ ଖଣ୍ଡପୀଠ ଏନେଇ ଏସଏସପିଙ୍କୁ ଆଦେଶ ଦେଇଛନ୍ତି।