ବିଲକିସ୍‌ ମାମଲାରୁ ନିଜକୁ ଦୂରେଇ ନେଲେ ଜଷ୍ଟିସ ତ୍ରିବେଦୀ

Spread the love

ନୂଆଦିଲ୍ଲୀ: ଗୁଜରାଟ ସରକାର ଦ୍ବାରା ୧୧ ଦୋଷୀଙ୍କୁ ଛଡାଯିବା ବିରୋଧରେ ସୁପ୍ରିମକୋର୍ଟରେ ଗଣଦୁଷ୍କର୍ମ ପୀଡିତା ବିଲକିସ୍‌ ବାନୁଙ୍କ ପୁନର୍ବିଚାର ଯାଚିକାର ଶଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ ହୋଇଛି। ତେବେ ଏହି  ମାମଲାରୁ ନିଜକୁ ଅଲଗା କରି ନେଇଛନ୍ତି ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ। ମଙ୍ଗଳବାର ବିଲକିସଙ୍କ ମାମଲା ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା ବେଳେ କିନ୍ତୁ ଜଷ୍ଟିସ ତ୍ରିବେଦୀ ଶୁଣାଣି କରିବାକୁ ଚାହୁଁ ନ ଥିବା ଜଣାଇଥିଲେ ଜଷ୍ଟିସ ରସ୍ତୋଗୀ।

ରସ୍ତୋଗୀ ମାମଲାର ଶୁଣାଣି କାଳରେ ଯାଚିକା କର୍ତ୍ତାଙ୍କ ଓକିଲ ଶୋଭା ଗୁପ୍ତାଙ୍କୁ  ଜଣାଇଥିଲେ କି, ମାମଲାରୁ ନିଜକୁ ଦୂରେଇ ଦେଇଛନ୍ତି ଜଷ୍ଟିସ ତିୱାରୀ। ତେଣୁ ମାମଲାକୁ ଏକକ ଖଣ୍ଡପୀଠରେ ତାଲିକାଭୂକ୍ତ କରନ୍ତୁ। ଏହି ସମୟରେ ଓକିଲ ଗୁପ୍ତା  ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେକି ଶୀତ ଅବକାଶ ପୂର୍ବରୁ ମାମଲାର ତ୍ବରିତ ଶୁଣାଣି କରାଯାଉ।ତେବେ ମାମଲାରୁ ଜଷ୍ଟିସ ତିୱାରୀ କାହିଁ ନିଜକୁ ଅଲଗା ରଖିଲେ ତାର କାରଣ ଜଣାଇ ନାହାନ୍ତି।  କିନ୍ତୁ ୨୦୦୪- ୨୦୦୬ ମଧ୍ୟରେ ତିୱାରୀ ଗୁଜୁରାଟ ସରକାରରେ ଆଇନ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ଏହା ପୂର୍ବରୁ ଚଳିତ  ମେ ମାସରେ ଜଷ୍ଟିସ ରସ୍ତୋଗୀଙ୍କ ଖଣ୍ଡପୀଠ ୧୧ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀଙ୍କ ଦ୍ବାରା ଦାୟର ରିଟ ପିଟିସନ ଉପରେ ଶୁଣାଣି କରିଥିଲେ। ଘଟଣା ଗୁଜରାଟରେ ସଂଗଠିତ ହୋଇଥିବାରୁ ଦୋଷୀଙ୍କ କ୍ଷମା ଯାଚିକା ଉପର ନିଷ୍ପତ୍ତି ନେବାକୁ ସରକାରକୁ ସ୍ବତନ୍ତ୍ରତା ପ୍ରଦାନ କରିଥିଲେ ଜଷ୍ଟିସ ରସ୍ତୋଗୀ।  ଯାହାକୁ ପୂର୍ବରୁ ଗୁଜରାଟ ହାଇକୋର୍ଟ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ କହିଥିଲେ।  ଟ୍ରାଏଲ ବମ୍ବେ ହାଇକୋର୍ଟରେ ହୋଇଥିବାରୁ କ୍ଷମା ଯାଚିକାର ଶୁଣାଣି ଗୁଜରାଟ ବଦଳରେ ମହାରାଷ୍ଟ୍ରରେ କରିବାକୁ ରାୟ ଦେଇଥିଲେ ଗୁଜରାଟ ହାଇକୋର୍ଟ। ଏହି କ୍ଷମା ଯାଚିକାକୁ ବିରୋଧ କରି ବିଲକିସ ମଧ୍ୟ ସୁପ୍ରିମକୋର୍ଟରେ ଏକ ପୁର୍ନବିଚାର ଯାଚିକା ଦାୟର କରିଥିଲେ ଯାହା ଏବେ ମଧ୍ୟ ସୁପ୍ରିମକୋର୍ଟରେ ପଡି ରହିଛି।  

୨୦୦୨ରେ ଗୁଜରାଟ ହିଂସା କାଳରେ ୧୯ ବର୍ଷୀୟା  ବିଲକିସ ବାନୁଙ୍କ ସହ ଗଣ ଦୁଷ୍କର୍ମ କରିବା ସହ  ତାଙ୍କ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣଙ୍କୁ  ଚଳିତ ଅଗଷ୍ଟ ୧୫ ତାରିଖରେ ମୁକ୍ତ କରିଥିଲା ଗୁଜରାଟ ସରକାର। ଯାହାକୁ ଦେଶ ବ୍ୟାପୀ ବିରୋଧ କରାଯାଇଥିଲା।  ଏହାକୁ ବିରୋଧ କରି ସିପିଆଇ ଏମ ନେତ୍ରୀ ସୁଭାସିନି ଅଲି, ଟିଏମସି ସାଂସଦ ମହୁଆ ମୈତ୍ରା, ପୂର୍ବତନ ଆଇପିଏସ ମିରାନ ଚଢା ବୋରୱାଙକର, ସାମ୍ବାଦିକା ରେବତୀ ଲାଉଲ , ବହୁ ପୂର୍ବତନ ପ୍ରଶାସନିକ ଅଧିକାରୀ, ନାସନାଲ ଫେଡେରେସନ ଅଫ ଇଣ୍ଡିଆନ ଓମେନ ପକ୍ଷରୁ  ଯାଚିକା ଦାୟର ହୋଇଥିଲା।

ମାମଲାର ଗୁରୁତ୍ବ ଓ ବର୍ବରପୂର୍ଣ୍ଣ ଅପରାଧ ପାଇଁ ଦୋଷୀଙ୍କୁ ମୁକ୍ତ କରାଯିବାକୁ ନେଇ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଦାଖଲ ହଲପନାମାରେ କହିଥିଲା କି, ଦୋଷୀମାନେ ୧୪ ବର୍ଷ ଦଣ୍ଡ ସମ୍ପୂର୍ଣ୍ଣ କରି ସାରିଛନ୍ତି ଓ ସେମାନଙ୍କ ସୁଆଚରଣ ଆଧାରରେ ସେମାନଙ୍କୁ ମୁକ୍ତ କରାଯିବା ଉଚିତ ।  କିନ୍ତୁ ରାଜ୍ୟର ତଥ୍ୟକୁ ବିରୋଧ କରିଥିଲା ସିବିଆଇ ଓ ମୁମ୍ବାଇର ଟ୍ରାଏଲ କୋର୍ଟ। ଏସବୁ ମଧ୍ୟରେ ୧୧ ଦୋଷୀଙ୍କୁ ମୁକ୍ତ କରିବା ବିଲକିସ, ତାଙ୍କ ଝିଅ ଓ ପରିବାର ପାଇଁ ବିପଦ ଠିଆ କରିଛି। ତେଣୁ ମାମଲାର ପୁନଃ ବିଚାର ପାଇଁ ଗୁଜରାଟ ସରକାରଙ୍କୁ ସ୍ବତନ୍ତ୍ରତା ଦେଇଥିବା ରସ୍ତୋଗୀଙ୍କ ଖଣ୍ଡପୀଠରେ ଅପିଲ କରିଥିଲେ ବିଲକିସ ବାନୁ।

Leave a Reply

Your email address will not be published. Required fields are marked *