ଆମ ନୈତିକତା କେଉଁ ସ୍ତରକୁ ଗଲାଣି: ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ: ଏବେ ଆମ ନୈତିକତା କେଉଁ ସ୍ତରକୁ ଖସିଗଲାଣି? ଗୋଆରେ କଂଗ୍ରେସ ବିଧାୟକଙ୍କ ଦଳ ବଦଳକୁ ନେଇ ହୋଇଥିବା ଏକ ଯାଚିକା ଉପରେ ଶୁଣାଣି ପାଇଁ ଅନୁମତି ଦେବା ଅବସରରେ ଏପରି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଦଳବଦଳକୁ ନେଇ ଆଇନଗତ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ମାମଲାର ଏକ ବର୍ଷ ପରେ ଶୁଣାଣି ହେବାକୁ ଯାଉଛି। ଜଷ୍ଟିସ ଏମଆର ସାହ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ୨୦୧୯ର ଦଳ ବଦଳକୁ ନେଇ ଦାୟର ଯାଚିକାର ଶୁଣାଣି କରୁଛନ୍ତି।

୨୦୧୯ରେ କଂଗ୍ରେସ ଓ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟିର ୧୨ ବିଧାୟକ ବିଜେପିରେ ସାମିଲ ହେବା ପରେ ଗୋଆ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଗିରିଶ ଚୋଡନକର ଏସମ୍ବନ୍ଧରେ ଏକ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି ଜଷ୍ଟିସ ଏମଆର ସାହ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ କରୁଛନ୍ତି। ମାମଲାର ଶୁଣାଣି କାଳରେ ଖଣ୍ଡପୀଠ ଆମର ନୈତିକତା ଉପରେ ପ୍ରଶ୍ନ କରି କହିଛନ୍ତି, ବର୍ତ୍ତମାନ ଆମର ନୈତିକତା କେଉଁ ସ୍ତରକୁ ଖସିଯାଇଛି?

ମାମଲାରେ ଚୋଡନକରଙ୍କ ଓକିଲ କୋର୍ଟଙ୍କୁ ଏହା ସହ ଜଡିତ ଆଇନଗତ ପ୍ରଶ୍ନ ଉପରେ ବିଚାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ନିକଟରେ କଂଗ୍ରେସର ୯ ବିଧାୟକ ବିଜେପିରେ ସାମିଲ ହୋଇଥିଲେ। ଏହା ଉପରେ ଜଷ୍ଟିସ ଶାହ ନୈତିକତା ଉପରେ ପ୍ରଶ୍ନବାଚୀ ଠିଆ କରିଛନ୍ତି। ତେବେ ଏହି ମାମଲାର ଶୁଣାଣି ଆସନ୍ତା ବର୍ଷ କରିବାକୁ ସୂଚିବଦ୍ଧ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ଗିରିଶ ଚୋଡନକର ବମ୍ବେ ହାଇକୋର୍ଟଙ୍କଠାରୁ କୌଣସି ଆଶ୍ବସ୍ତି ନ ପାଇ ସୁପ୍ରିମକୋର୍ଟଙ୍କୁ ଯାଇଥିଲେ। ଯାଚିକା ଗୋଆ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦାୟର ହୋଇଥିଲା। ୨୦୧୯ରେ କଂଗ୍ରେସର ୧୨ ବିଧାୟକ ବିଜେପିରେ ସାମିଲ ହେବାକୁ ବିଧାନସଭା ସ୍ପିକର ପାର୍ଟିର ବିଲୟ ମାନ୍ୟତା ଦେଇଥିଲେ। ସ୍ପିକରଙ୍କର ଏପରି କାର୍ଯ୍ୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ମଧ୍ୟ ସେଠାରୁ କୌଣସି ସୁଫଳ ମିଳି ନ ଥିଲା। ତେଣୁ ବିଧାୟକଙ୍କ କିଣାବିକା ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଏକ ନିର୍ଦ୍ଦିଷ୍ଟ ସମ୍ବିଧାନିକ ବ୍ୟବସ୍ଥା କରିବାକୁ ଯାଚିକାରେ ଅପିଲ କରାଯାଇଛି।

Leave a Reply

Your email address will not be published. Required fields are marked *