ଭୀମା କୋରେଗାଁଓ ହିଂସା ମାମଲାରେ ଅଭିଯୁକ୍ତ ନବଲଖାଙ୍କୁ ହାଉସ ଆରେଷ୍ଟ ଅନୁମତି

Spread the love

ନୂଆଦିଲ୍ଲୀ: ଭୀମା କୋରେଗାଁଓ ହିଂସା ମାମଲାରେ ଅଭିଯୁକ୍ତ ଗୌତମ ନବଲଖାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି। ନବଲଖାଙ୍କୁ ତଲୋଜା ଜେଲରୁ ବାହାର କରି ନବୀ ମୁମ୍ବାଇରେ ହାଉସ ଆରେଷ୍ଟ ଆଦେଶ ଦେଇଛନ୍ତି। ତେବେ ହାଉସ ଆରେଷ୍ଟ କାଳରେ ଲାପଟପ, ମୋବାଇଲ, କମ୍ପ୍ୟୁଟର ପରି କୌଣସି ବି ସଂଚାର ଉପକରଣ ତାଙ୍କୁ ଦିଆଯିବ ନାହିଁ। ସେ କୌଣସି ମିଡିଆ ସହ ବାର୍ତ୍ତାଳାପ କରିବେ ନାହିଁ କି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ।

କୋର୍ଟ ଏହି ଆରେଷ୍ଟ କାଳରେ ନବଲଖାଙ୍କ ସହ ତାଙ୍କ ଭାଗୀଦାର ସହବା ହୁସେନଙ୍କୁ ରହିବାକୁ ଅନୁମତି ଦେଇଛନ୍ତି। ଏଥିସହ ପୁଲସ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଫୋନରୁ ଘର ଲୋକଙ୍କ ସହ ୫ ମିନିଟ କଥା ହୋଇପାରିବେ। ପୁଲିସ ଚାହିଁଲେ ସେହି କଲ ରେକର୍ଡ କରିପାରିବେ ବୋଲି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ କେଏମ ଜୋସଫ ଓ ଜଷ୍ଟିସ ହୃଷିକେଶ ରାୟଙ୍କ ଖଣ୍ଡପୀଠ ନବଲଖାଙ୍କୁ ହାଉସ ଆରେଷ୍ଟ ଅନୁମତି ଦେଇଛନ୍ତି।  ବୁଧବାର କୋର୍ଟ ଏନଆଇଏକୁ ପଚାରିଥିଲେ ନବଲଖାଙ୍କୁ ଗୃହବନ୍ଦୀ କରାଗଲେ କି କି ସର୍ତ୍ତ ଲାଗୁ ହେବା ଦରକାର। ଏହା ପୂର୍ବରୁ କୋର୍ଟ ନବଲଖାଙ୍କୁ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଭର୍ତ୍ତି କରିବାକୁ ଆଦେଶ ଦେଇଥିଲେ। ଖଣ୍ଡପୀଠ ଶୁଣାଣି କାଳରେ କହିଥିଲେ କି, ନବଲଖା ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟଗତ ଅଧିକାର ରହିଛି।

ଭୀମାକୋରେଗାଁଓ ହିଂସା ମାମଲାର ଅଭିଯୁକ୍ତ ଗୌତମ ନବଲଖା ଏକ ଯାଚିକା ଦାଖଲ କରି ଗୃହବନ୍ଦୀ କରିବାକୁ ଅନୁମତି ମାଗିଥିଲେ।

Leave a Reply

Your email address will not be published. Required fields are marked *