ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ପୀଡିତାଙ୍କ ଟୁ ଫିଙ୍ଗର ଟେଷ୍ଟ ପୁଣି ସେମାନଙ୍କୁ ଆଘାତ ପହଞ୍ଚାଇଥାଏ। ଦୁଷ୍କର୍ମ ପୀଡିତାଙ୍କର ଟୁ ଫିଙ୍ଗର ଟେଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ଦୁର୍ବ୍ୟବହାର ମାମଲା ହେବ ବୋଲି କ୍ଷୋଭର ସହ କହିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଏଥିସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ହାଇକୋର୍ଟଙ୍କ ଦ୍ବାରା ମୁକ୍ତ କରିବା ନିଷ୍ପତିକୁ ଖାରଜ କରିଛନ୍ତି।
୨୦୧୩ରୁ ସୁପ୍ରିମକୋର୍ଟ ଯୌନ ଉତ୍ପୀଡନ ପୀଡିତାଙ୍କ ଟୁ ଫିଙ୍ଗର ଟେଷ୍ଟକୁ ବ୍ୟାନ କରିଛନ୍ତି। କିନ୍ତୁ ଏହି ଟେଷ୍ଟ ଆଜିମଧ୍ୟ ଚାଲିଥିବାରୁ ସୁପ୍ରିମକୋର୍ଟ ଏହା ଉପରେ କ୍ରୋଧିତ ହୋଇଛନ୍ତି। ଏପରି କରିବା ଦ୍ବାରା ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତା ପୁଣି ଆଘାତ ପାଉଛନ୍ତି। ଏପରି କରୁଥିବା ଲୋକଙ୍କୁ ଦୁର୍ବ୍ୟବହାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ଏଥିସହ ସୁପ୍ରିମକୋର୍ଟ ମେଡିକାଲ କଲେଜ ପାଠ୍ୟକ୍ରମରୁ ଟୁ ଫିଙ୍ଗର ଟେଷ୍ଟ ହଟାଇବାକୁ ଆଦେଶ ଦେଇଛନ୍ତି।
କୋର୍ଟ କହିଛନ୍ତି କି, ଦୁଷ୍କର୍ମ ପୀଡିତାଙ୍କ ଯାଞ୍ଚ ଟୁ ଫିଙ୍ଗର ଟେଷ୍ଟ ପରି ଅବୈଜ୍ଞାନିକ ଉପାୟରେ କରାଯିବା ପୁରୁଷ ସତ୍ତାତ୍ମକ ବିଚାରଧାରା ଉପରେ ଆଧାରିତ । ଦେହ ବ୍ୟବସାୟରେ ସକ୍ରିୟ ମହିଳାମାନଙ୍କର ଦୁଷ୍କର୍ମ ହୋଇ ନ ପାରେ ବୋଲି ଯେଉଁ ଚିନ୍ତାଧାରା ରହିଛି ତାକୁ କୋର୍ଟ ଭୁଲ କହିଛନ୍ତି। ଏପରି ଟେଷ୍ଟ ପୁଣି ପୀଡିତାକୁ ଆହତ କରିଥାଏ ବୋଲି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ମାମଲାର ଶୁଣାଣି କାଳରେ କ୍ଷୋଭ ବ୍ୟକ୍ତ କରିବା ସହ ଦୁଷ୍କର୍ମ ପୀଡିତାର ଯୌନ ଜୀବନର ପ୍ରମାଣ ମାମଲାରେ ଗୁରୁତ୍ବବହନ କରୁ ନଥିବା କହିଛନ୍ତି।
ଏକ ମାମଲାରେ ହାଇକୋର୍ଟ ନିର୍ଦ୍ଦେଶକୁ ଖାରଜ କରି ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମ କୋର୍ଟ। ହାଇକୋର୍ଟରେ ଏକ ଦୁଷ୍କର୍ମ ଅଭିଯୁକ୍ତକୁ ଦୋଷମୁକ୍ତ କରିବା ପରେ ସୁପ୍ରିମକୋର୍ଟରେ ଏହାକୁ ନେଇ ଆବେଦନ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଦୁଷ୍କର୍ମ ପୀଡିତାଙ୍କ ଟୁ ଫିଙ୍ଗର ଟେଷ୍ଟକୁ ଅସମ୍ବିଧାନିକ କହିବା ସହ ଏହାକୁ ସ୍ବୀକୃତି ଦେଇ ନ ଥିଲେ। ଏହି ଟେଷ୍ଟ ଏକ ଅବୈଜ୍ଞାନିକ ଓ ପ୍ରତିଗାମୀ ପ୍ରକ୍ରିୟା । ଏହି ଟେଷ୍ଟ ମହିଳାଙ୍କ ଯୋନିରେ ଅଙ୍ଗୁଳି ଭର୍ତ୍ତି କରି ତାର କୁମାରିତ୍ବର ଯାଞ୍ଚ ପାଇଁ କରାଯାଇଥାଏ। ମହିଳା ଯିଏ ଯୌନ କ୍ରିୟାରେ ଲିପ୍ତ ଥାଏ ତାର ଯୌନ ଉତ୍ପୀଡନ ସମ୍ଭାବନା କମ ଥିବା ମଧ୍ୟ ଆମ ସମାଜରେ ଥିବା ଧାରଣା ଉପରେ ଏହି ଟେଷ୍ଟ ଆଧାରିତ।
ତେବେ ବହୁ ନିର୍ଣ୍ଣୟରୁ ଜଣାପଡିଛି କି, କୌଣସି ବ୍ୟକ୍ତିର ଅତୀତର ଯୌନ ଜୀବନ ସହ ଉତ୍ପୀଡନର କୌଣସି ସମ୍ବନ୍ଧ ନ ଥାଏ। ଜଣେ ଦେହଜୀବୀ ତଥା ପୂର୍ବରୁ ଯୌନ କ୍ରିୟାରେ ଲିପ୍ତ ମହିଳା ମଧ୍ୟ ଉତ୍ପୀଡନର ଶିକାର ହୋଇପାରେ ବୋଲି କହିଛନ୍ତି କୋର୍ଟ।
Naxatra News is now on Whatsapp
Join and get latest news update delivered to you via whatsapp
Join Now