ଗଜ ବେଶରେ ଶ୍ରୀଜିଉ

Spread the love

 ବଡ଼ ଠାକୁରଙ୍କ ଭବ୍ୟ ବେଶ ଦେଖିବାକୁ ଆଜି ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଭଗବାନଙ୍କ ଅପରୂପ ବେଶ ଦେଖି ମନ୍ତ୍ର ମୁଗ୍ଧ ହୋଇ ଯାଇଛନ୍ତି ଅଗଣିତ ଭକ୍ତ । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପର୍ବ ।

ରାତି ପାହିଲା ବେଳକୁ ହଜାର ହଜାର ଶ୍ରଦ୍ଧାଳୁ ଆଜି ପହଁଚି ଯାଇଥିଲେ ପୁରୀ । ଘଂଟ ଘଂଟା ଓ ହରିବୋଲି ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର । ଆଧ୍ୟାତ୍ମିକ ପରିବେଶରେ ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା ସ୍ନାନଯାତ୍ରାର ନୀତିରୀତି । ଧାଡି ପହଣ୍ଡିରେ ଶ୍ରୀଜିଉମାନଙ୍କୁ ନିଆଯାଇଥିଲା ସ୍ନାନମଣ୍ଡପକୁ । ପହଣ୍ଡି ବିଜେ ସମୟରେ ଠାକୁରଙ୍କୁ ଲାଗି ହେଲା ଚୂଳ ଓ ଟାହିୟା । ଟାହିୟା ଶୋଭିତ ଠାକୁରଙ୍କ ଅନୁପମ ରୂପ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ ।

ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନନୀତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭ୍ରଦ, ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଥିଲା ।

ଗୋଟିଏ ପଟେ ମହାପ୍ରଭୁଙ୍କ ମହାସ୍ନାନ – ଅନ୍ୟପଟେ ଆକାଶରୁ ମୂଷଳ ଧାରାରେ ବର୍ଷା । ଏପରି ଦୃଶ୍ୟ ଭକ୍ତଙ୍କ ଭାବାବେଗକୁ ଆହୁରି ବଢ଼ାଇ ଦେଇଥିଲା । ଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା ।

ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ପହଁଚିଥିଲେ ସ୍ନାନ ମଣ୍ଡପରେ । ବିଧି ଅନୁଯାୟୀ ଆରମ୍ଭ ହୋଇଥô୍ଲା ଛେରାପହରାଁ ।

ଛେରାପହଁରା ପରେ ଶ୍ରୀଜୀଉମାନେ ଧାରଣ କରିଥିଲେ ଗଜାନନ ବେଶ ବା ହାତୀ ବେଶ । ସ୍ନାନ ମଣ୍ଡପରେ ଜଳ ଲାଗି ସରିବା ପରେ ଚାରି ଠାକୁରଙ୍କ ହାତୀବେଶ କରାଯାଇଥିଲା । ଏହି ବେଶକୁ ଦେଖିବାକୁ ପାଇଁ ଘଂଟା ଘଂଟା ଧରି ଚାହିଁ ବସିଥିଲେ ଶ୍ରଦ୍ଧାଳୁ । ଏହି ମନୋରମ ଦୃଶ୍ୟକୁ ବଡଦାଣ୍ଡରେ ଥିବା ଭାବବିହ୍ୱଳ ହୋଇ ଦର୍ଶନ କରିଥିଲେ ଅଗଣିତ ଭକ୍ତ ।

ସ୍ନାନଯାତ୍ରା ପରେ ଆଉ ରତ୍ନବେଦୀକୁ ଫେରନ୍ତି ନାହିଁ ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପଡିଥାନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିନ୍ତି ମହାପ୍ରଭୁ । ଏଥର ୧୩ ଦିନ ଧରି ଚାଲିବ ଅଣସର ନୀତି । ଭକ୍ତଙ୍କୁ ଦେଖା ଦେବା ପାଇଁ ନିଜେ ବାହାରକୁ ଆସିବେ ଭଗବାନ । ଜଗନ୍ନାଥ ସଂସ୍କୃତିରେ ବର୍ଣ୍ଣିତ ଭଗବାନଙ୍କ ଏହି ମାନବୀୟ ଲୀଳା ସମାନତାର ସଂଦେଶ ଦେଇଥାଏ ଜଗତକୁ । ୧୯୭୧ ମସିହା ପରେ ଚଳିତ ବର୍ଷ ଦୁଇ ଦିନ ପଡୁଛି ରଥଯାତ୍ରା ।

Leave a Reply

Your email address will not be published. Required fields are marked *