ଚାକିରୀ ପଛରେ ନ ଗୋଡାଇ ଚାଷ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଲେ। ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ଅଞ୍ଚଳର ଯୁବକ ବିଜୟ ବେହେରା। ପୂର୍ବରୁ ଧାନ, ପନିପରିବା ଓ କୁକୁଡ଼ା ଚାଷରେ ସଫଳତା ପାଇଥିବା ବିଜୟ, ଏଵେ ଭଳିକି ଭଳି ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲ ଚାଷ କରି ସାରା ଅଞ୍ଚଳରେ ଚର୍ଚ୍ଚିତ ହୋଇପାରିଛନ୍ତି। ନିଜ ଘର ପାଖ ଜମିରେ କଲିକତାରୁ ଚାରା ମଗାଇ କରିଛନ୍ତି ଗେଣ୍ଡୁଫୁଲ ଚାଷ। ଚାରା ରୋପଣ ଠାରୁ ମାତ୍ର ଏକ ମାସ ପରେ ଫୁଲ ତୋଳିବା ଆରମ୍ଭ ହେଉଥିବା ବେଳେ ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଅମଳ ହୋଇଥାଏ I ଏହି କଲିକତି ଗେଣ୍ଡୁ ଫୁଲ ୩୦ ଡିସିମିଲ ଜମିରୁ ଦିନକୁ ତିନି ହଜାରରୁ ୪ ହଜାର ଟଙ୍କା ଆୟ ହେଉଛି। ନିଜେ ଶ୍ରମଦାନ କରି ଚାରା ରୋପଣ ଠାରୁ ଫୁଲ ଫୁଟିବା ପର୍ଯ୍ୟନ୍ତ କରିଥିବା ବେଳେ ଦୈନିକ ଫୁଲ ତୋଳିବା ପାଇଁ ସ୍ଥାନୀୟ ମହିଳା ଗୋଷ୍ଠୀଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ସେ ନିଜେ ଭଲ ଆୟ କରିବା ସହ କିଛି ମହିଳାଙ୍କୁ ମଧ୍ୟ ଦେଖାଇଛନ୍ତି ରୋଜଗାରର ବାଟ। ତେବେ ଧାନ, ପନିପରିବା ଆଦି ଚାଷରେ ସାର ଓ କୀଟନାଶକର ବହୁଳ ବ୍ୟବହାର ଯୋଗୁଁ ଶ୍ରମ ଓ ବ୍ୟୟ ଅଧିକ ହେଉଥିଲା ବେଳେ ଏଵେ ଫୁଲ ଚାଷରେ ସେସବୁ ନାହଁ। ସ୍ୱଳ୍ପ ସାର ଓ ଜଳସେଚନରେ ହିଁ ହେଉଛି ମନପସନ୍ଦର ଆୟ ବୋଲି ବିଜୟ କହିଛନ୍ତି।
ସେପଟେ ସ୍ଥାନୀୟ SHG ଗୋଷ୍ଠୀର ମହିଳା ମାନେ ଗେଣ୍ଡୁ ଫୁଲ ତୋଳିବା, ବଡ଼ ସାନ ବାଛିବା ଆଦି କାମ କରି ଦୁଇ ପଇସା ରୋଜଗାର କରି ନିଜ ପରିବାରକୁ ସହାୟତା କରୁଥିବା ବେଳେ କିଛି ମହିଳା ମଧ୍ୟ ବିଜୟଙ୍କ ଠାରୁ କେଜି ହିସାବରେ ଫୁଲ କିଣି ପୁରୀ,ପିପିଲି, ବଳଙ୍ଗା, ସାତଶଂଖ,ଭୁବନେଶ୍ୱର, କଟକ ଓ ଜଟଣୀ ଆଦି ମାର୍କେଟ ରେ ବିକି ଭଲ ରୋଜଗାର କରନ୍ତି। ତେବେ ବଳକା ସମୟରେ ମହିଳାମାନେ ଏହିଭଳି ରୋଜଗାର କରୁଥିବା ବେଳେ ଅନ୍ୟ ମାନେ ମଧ୍ୟ ଏଥିରୁ ପ୍ରେରଣା ପାଉଥିବା କହିଛନ୍ତି। ତେବେ ବିଜୟଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିବ ବୋଲି ଆଶା।

Naxatra News is now on Whatsapp
Join and get latest news update delivered to you via whatsapp
Join Now