ସୁବର୍ଣ୍ଣପୁରରେ ମହାବଳୀ ଯାତ୍ରା

ତନ୍ତ୍ର ପୀଠ ସୁବର୍ଣ୍ଣପୁର ।ରାଜା ରାଜୁଡା ଅମଳରୁ ଶାକ୍ତ ପରମ୍ପରା ରେ ପାଳିତ ହୋଇଆସୁଛି ବଳୀଯାତ୍ରା । ଉଆଁସ ବଳୀ , ନିଶାବଳୀ , ଖଉଳ ବଳୀ , ଡାଙ୍ଗୁଆ ବଳୀ , ଗାୟନ ବଳୀ , ନବମୀ ବଳୀ , ମହାବଳୀ, ଦଶହରାବଳୀ  ଓ ପୁର୍ଣ୍ଣମୀ ବଳୀ ଆଦି ନଅ ପ୍ରକାର ବଳୀ ପାଳନ କରାଯାଇ ପୂର୍ଣ୍ଣମୀ ତିଥିରେ ଶେଷ ହୋଇଥାଏ ଏହି ବଳୀଯାତ୍ରା ।ଆଉ ବଳୀ ଭିତରେ ମହାବଳୀ ପର୍ବର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି ।ଏହି ବଳୀଯାତ୍ରା ରେ ଉଚ୍ଚ, ନିଚ୍ଚ ଜାତି ଅଜାତି ନିର୍ବିଶେଷ ରେ ୩୬ ପାଟକ ବା ସମ୍ପ୍ରଦାୟ ର ଲୋକେ ନିୟୋଜିତ ହୋଇଥାନ୍ତି ମହାବଳୀଙ୍କ ସେବାରେ । ଅନ୍ୟତ୍ର ବଳୀ କହିଲେ ଛାଗ ବା ମହିଷୀକୁ କୁହାଯାଊଥିବା ବେଳେ ଏଠାରେ ବଳୀ କହିଲେ ସମର୍ପଣ ବା ଉତ୍ସର୍ଗ କୁ ବୁଝାଇଥାଏ । ଚଳିତ ବର୍ଷ ବଡ ଧୁମ ଧାମରେ ପାଳିତ ହୋଇଛି ଏହି ବଳୀ ଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ରେ ଏହି ବଳୀଯାତ୍ରା ପାଳିତ ହୋଇଛି ସ୍ଥାନୀୟ ଖମ୍ବେଶ୍ବରୀ ମନ୍ଦିରରେ ।

ଖମ୍ବେଶ୍ୱରୀ ପୀଠରେ ପାଳିତ ହୋଇଥାଏ ଏହି ମହାବଳି ପର୍ବ ।ବରୁଆକୁ ଅରୁଆ ଚାଉଳ ରେ ତିଆରି ଯନ୍ତ୍ର ରେ ଯନ୍ତ୍ରାରୁଢ କରି ମନ୍ତ୍ରପୂତ କରିବା ପରେ ଦୈବୀଶକ୍ତି ପ୍ରକଟିତ ହୁଏ ।ଖଉଳ ଗାତ ର ମାଟି ବରୁଆର ନାଭି ମଣ୍ଡଳରେ ଦେଇ ପୁରୋହିତ ମହାବଳୀ କାର୍ଯ୍ୟ ଆରମ୍ଭ କରିଥାନ୍ତି ।ଷୋହଳ ଭରନୀ ବାଦ୍ୟ ର ତାଳେ ତାଳେ ମହାବଳୀ ନୃତ୍ୟ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।ହାତରେ କଳା ଧଳା ଛତ୍ର ଧରି ଚେପଟା ଢୋଲରେ ଛିଡା ହୋଇ ଦହି ଦହନାରେ ମହମହ ବାସୁଥିବା ବରୁଆର ଚୁଳବନ୍ଧା କାର୍ଯ୍ୟ ରେ ସମାପିତ ହୋଇଥାଏ ଏହି  ମହାନବମୀ ବଳୀ  ।ରାଜା ରାଜୁଡା ଅମଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ତନ୍ତ୍ର ମାଟି ସୁବର୍ଣ୍ଣପୁରରେ ।

ଯନ୍ତ୍ର ,ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗଶାଳା ଭାବରେ ପରିଚିତ ସୁବର୍ଣ୍ଣପୁରରେ ଅନେକ ଗୋପନୀୟ ଯନ୍ତ୍ର ଓ ତତ୍ ସମ୍ପର୍କିତ ମନ୍ତ୍ରରେ ମହାବଳୀ ଯାତ୍ରା ପାଳିତ ହୁଏ  କେଉଁ ଆବାହମାନ କାଳରୁ  ।ହଜାର ହଜାର ବର୍ଷର ଏହି ପରମ୍ପରା କୁ  ଆଜି ବି ବଞ୍ଚାଇ ରଖିଛନ୍ତି ସୁବର୍ଣ୍ଣପୁରବାସୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *