ଖରା ଆରମ୍ଭ ହେଉ ହେଉ ଜଳକଷ୍ଟ ଭୋଗିଲେଣି ଲୋକେ। ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଭରସା ପାଲଟିଛି ଗୋଟିଏ ନଳକୂପ । ପାଣି ପାଇଁ ଗାଆଁରେ ନିଇତି ଚାଲେ ଠେଲା ପେଲା। ନଳକୂପ ପାଖରେ ଧାଡିରେ ଗରା ବାଲଟି ରଖିବାକୁ ପଡେ। ବିବାହ ବ୍ରତ ବା ଅନ୍ୟ କାର୍ଯ୍ୟ ପାଇଁ ପିଇବା ପାଣି କିଣିବାକୁ ପଡୁଛି । ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଯେଉଁଠି ଜଳସ୍ତର ନିମ୍ନରେ ରହିଥିବା ରିପୋର୍ଟ କୁହେ। ହେଲେ ଏହି ବ୍ଲକର ସଗାରଗାଁ ପଂଚୟତର ଜରିପଡା ଗାଁରେ ଲୋକେ କେଉଁ କାଳରୁ ଜଳ ଯନ୍ତ୍ରଣା ଭୋଗି ଆସୁଛନ୍ତି। ଗାଁ ରେ କେଉଁଠି ଗୋଟେ ଦୁଇଟି କୂଅ ଥିବାବେଳେ ସେଠାରେ କେବେବି ପାଣି ରୁହେନାହିଁ। ଏକମାତ୍ର ନଳକୂପ ରହିଛି, ଯେଉଁଠି ବର୍ଷ ତମାମ ପାଣି ରହୁଥିବାରୁ ଲୋକଙ୍କ ଭରସା ପାଲଟି ଆସିଛି ଏହି ନଳକୂପ।
ଜରିପଡା, ପୋଡାପାଟଣା ଆଦି ଗ୍ରାମରେ ରହିଛି 3 ଟି ୱାର୍ଡ । ଯେଉଁ ୱାର୍ଡର ଲୋକ ସଂଖ୍ୟା 3000 ରୁ ଉର୍ଦ୍ଧ୍ବ। ଉଭୟ ପଟରେ ରହିଛି ଦୁଇଟି ନଳକୂପ । ଗୋଟିଏ ଅଚଳ ଥିବା ବେଳେ ଅନ୍ୟଟି ସମସ୍ତ ଲୋକଙ୍କର ଏକ ମାତ୍ର ଭରସା। ପ୍ରତିଦିନ ସକାଳ ପାଇଲେ ପାଣି ମୁନ୍ଦାଏ ପାଇଁ ଲୋକେ ଧାଡିରେ ରହିଥାନ୍ତି। କେବେ ପାଳି ପଡିବ ଗରାଏ ପାଣି ମିଳିବ, ସେଥିପାଇଁ ଚାହଁ ବସିଥାନ୍ତି। ମେଗା ଜଳ ଯୋଗାଣ ପ୍ରକଳ୍ପ ନା ରେ ଗାଁ ଗାଁ ତାଡି ପକାଇଲେ ଠିକାଦାର। ସରକାର ପ୍ରତିଘରକୁ ପାଣି ଦେବେ କହି ବର୍ଷ ପରେ ବର୍ଷ ଗଡେଇ ଚାଲିଛନ୍ତି। ହେଲେ ଲୋକଙ୍କୁ ତାହା ଆକାଶ କଇଁଆ ଚିଲିକା ମାଛ ପରି ଦେଖାଯାଉଛି।
ଜଳକଷ୍ଟରେ ଯୁଝି ହେଉଛନ୍ତି ଲୋକେ। ଗତ ସରକାର ନଳକୂପ ଖୋଳାକୁ ମେଗା ଜଳଯୋଗାଣ ନାଁରେ ବନ୍ଦ କରିଦେଇଥିଲେ। ହେଲେ ଏବେ ଜଳ କଷ୍ଟ ପାଇଁ ନୂଆ ସରକାର ପୁଣି ନଳକୂପ ଖନନ ପାଇଁ ଅନୁମତି ଦେଇଛନ୍ତି । 71 ଲୋକଙ୍କ ପାଇଁ ଗୋଟିଏ କିମ୍ବା ଅଧକା ହେଲେ 2 ଗୋଟି ନଳକୂପ ଖୋଳାଯାଇପାରିବ । ତେବେ ବର୍ଷ ବର୍ଷ ଧରି ଜଳ କଷ୍ଟରେ ଛନ୍ଦି ହୋଇ ଆସୁଥିବା ଏହି ଜରିପଡା, ପୋଡାପଟଣା ଆଦି ଗାଁ ଭଳି ଲୋକଙ୍କ ପାଖରେ ପହଁଚି ପାରିବ ତ ସରକାରଙ୍କ ଏହି ଯୋଜନା।

Naxatra News is now on Whatsapp
Join and get latest news update delivered to you via whatsapp
Join Now