ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ମା ବିରଜା ଆର୍ବିଭୂତା ହୋଇଥିଲେ ବୋଲି ପୂରାଣରେ ବର୍ଣ୍ଣିତ ଅଛି। ମାଙ୍କ ସ୍ୱନକ୍ଷତ୍ର ଅବସରରେ ପ୍ରାତଃ ସମୟରେ ମାଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମା ସାବିତ୍ରୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମା ଙ୍କର ଏହି ସାବିତ୍ରୀ ବେଶରେ ଦର୍ଶନ ପାଇ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ବେଦ ମନ୍ତ୍ର ପାଠ କରାଯାଇ ମାଙ୍କୁ ଆବାହନ କରାଯାଉଛି ।
ସ୍ୱନକ୍ଷତ୍ର ଦିବସ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିରକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ମନ୍ଦିର ବାହାରେ ବାଲୁକାକଳା ମାଧ୍ୟମରେ ମାଙ୍କୁ ଆରାଧନା କରାଯାଇଛି । ମାଙ୍କୁ ଦର୍ଶନ କରିବା ପାଇଁ ବଡ଼ି ଭୋରୁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଥିଲା । ସଂଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ଭଜନ ସନ୍ଧ୍ୟା ସମେତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ ମଧ୍ୟ କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now