ଅସରାଏ ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ବର: ଅସରାଏ ବର୍ଷାରେ ବେହାଲ ହୋଇପଡ଼ୁଛି ରାଜଧାନୀ। କେବଳ ଆଜି ନୁହେଁ। ରାଜଧାନୀରେ ଏ ସମସ୍ୟା ଯେମିତି ଦେହସୁହା ହୋଇଗଲାଣି। ତେବେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ସେପଟେ ପୂଜା ମାହୋଲକୁ ଏଭଳି ବର୍ଷା ବିଗାଡ଼ିଦେଇପାରେ ବୋଲି ଲୋକେ ବି ଆଶଙ୍କା କଲେଣି।

ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି। ପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତାରେ ଲହଡ଼ି ମାରୁଛି। କେଉଁଠି ବାଇକ୍ ଅଧା ବୁଡ଼ିଗଲାଣି ତ କେଉଁଠି  କାର୍। ପ୍ରବଳ ବର୍ଷା ଲାଗି ରାସ୍ତା ପୁରା ଜାମ୍। ସକାଳୁ ପାଗ ଶୁଖିଲା ଥିଲେ ହେଁ ଅଚାନକ ଦିନ ୧୨ଟା ବେଳକୁ କଚାଡ଼ିଥିଲା ପ୍ରବଳ ବର୍ଷା। ଘଡ଼ଘଡି ବିଜୁଳି ସାଙ୍ଗକୁ ରାଜଧାନୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ପ୍ରବଳ ବର୍ଷାରେ ବେହାଲ୍ ହୋଇଯାଇଥିଲା ରାଜଧାନୀ। ଯିଏ ଯେଉଁଠି ଥିଲା, ସେଠୁ ଆଉ ହଲିପାରିନଥିଲେ ଯେମିତି। ଆଉ ବର୍ଷା ଛାଡ଼ିବା ପରେ ସଅଳ ଘର ମୁହାଁ ହେଉଥିବା ଲୋକ ଓ ସ୍କୁଲ ପିଲାଙ୍କ ଦୁର୍ଦ୍ଦଶା କହିଲେ ନ ସରେ।

ସେପଟେ ଦୁଇ ବର୍ଷ ପରେ ଧୁମଧାମରେ ପୂଜା ପାଳିବାକୁ ଅପେକ୍ଷାରତ ଲୋକେ ଏଭଳି ଅଚାନକ ପାଗର ମିଜାଜ୍ ଦେଖି ପ୍ରମାଣ ଗଣିଲେଣି। ଏଥର ପୂଜା ଫିକା ପଡ଼ିଯିବନି ତ ବୋଲି ଭାଳେଣି ପଡ଼ିଲାଣି ସମସ୍ତଙ୍କ ମନରେ। ଅଚାନକ ପାଗ ଶୁଖିଲା ଆଉ ତା ପର ମୂହୂର୍ତ୍ତରେ ପ୍ରବଳ ବର୍ଷା ଲାଗି ଲୋକଙ୍କ ଭିତରେ ପୂଜାକୁ ନେଇ ଥିବା ସରସ ମଉଳି ଯିବାର ଆଶଙ୍କା ବଢ଼ିଲାଣି।

ରାଜଧାନୀ ଆଜି ପୁରା ଦେଢ଼ ଘଣ୍ଟା ଧରି ବର୍ଷାର ପ୍ରକୋପରେ ଯେମିତି ହଲିପାରିନଥିଲା। ଯୁଆଡ଼େ ଚାହିଁଲେ, ପାଣି ଆଉ ପାଣି। ତେବେ ଜବରଦଖଲ ସମସ୍ୟା ଲାଗି ରାଜଧାନୀ କୃତ୍ରିମ ବନ୍ୟା ଦାଉରେ ସବୁବେଳେ ଦହଗଞ୍ଜ ହେବା ସାର ହେଉଛି। ଆଉ ଆଗକୁ ପୂଜା ପାର୍ବଣର ମାହୋଲକୁ ବି ଏଭଳି ବର୍ଷା ବିଗାଡିଦେବାର ଆଶଙ୍କା ଜନ୍ମିଲାଣି ଲୋକଙ୍କ ଭିତରେ।

ଜ୍ୟୋତି ଓ ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *