ଓଡ଼ିଶା

ମଦ ପାଇଁ ସରକାରୀ ସମ୍ପତ୍ତି ବିକିଲେ ପିଅନ

ବ୍ରହ୍ମପୁର: ସରକାରଙ୍କ ସମ୍ପତ୍ତିକୁ କବାଡ଼ିବାଲାକୁ ବିକିଦେଇ ମଦ ପିଇଦେଲେ ପିଅନ । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟରୁ । ଦୁଇ ବର୍ଷ ଧରି କାର୍ଯ୍ୟାଳୟରେ ଏକାକୀ ରହି ଆସିଥିବା ପଅନ ପିତାମ୍ୱର ବିଭିନ୍ନ ଆସବାବପତ୍ର ସହ ଫୋନ ବିକି ଏଇ ଟଙ୍କାରେ ମଦ ପିଇଦେଇଛନ୍ତି। ସେପଟେ ଶିକ୍ଷକଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଏ ସବୁ ଆଲମାରୀରେ ଥିବାରୁ ଉପରିସ୍ଥ ଅଧିକାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ଶିକ୍ଷକ ସଂଘ।

ମଦ ପିଇବାକୁ ବିକିଦେଲେ ସରକାରୀ ସମ୍ପତ୍ତି। କେବଳ କାନ୍ଥ ବାଡ଼ ଯାହା ବର୍ତ୍ତିଯାଇଛି। ଆଉ ବାକି ଟେବୁଲ, ଚେୟାରରୁ ଆରମ୍ଭ କରି ଆଲମାରୀ, କାଗଜପତ୍ର ଯାଏ। ସବୁତକ କବାଡ଼ିବାଲାକୁ ବିକ୍ରି କରିଦେଲେ ପିଅନ। ବ୍ରହ୍ମପୁର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପିଅନ ଏମ.ପିତାମ୍ୱରଙ୍କ ଏ କାରନାମା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏବେ ବାବୁ ଜଣଙ୍କୁ ପୁଲିସ ବାନ୍ଧିଛି। ଆଉ ସେ ବିକିଥିବା ତିନି ଜଣ କବାଡ଼ିଆଙ୍କୁ ବି ଅଟକ ରଖି ପଚରାଉଚୁରା କରୁଛି ପୁଲିସ। କିଛି କାଗଜପତ୍ରର ଆବଶ୍ୟକତା ପଡ଼ିବାରୁ ସେକସନ ଅଫିସର କାର୍ଯ୍ୟାଳୟକୁ ଯାଆନ୍ତେନି କି ଏ ମଦ ଲାଗି ସବୁ ବିକି ପିତାମ୍ୱର ଖାଇଗଲେଣି ବୋଲି କେହି ଜାଣିପାରି ନଥାଆନ୍ତେ।  ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦେଶ ସହ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

୨୦୧୬ରୁ ଏହିଠାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ବ୍ରହ୍ମପୁର ସମେତ ୫ଟି ବ୍ଳକର ସମସ୍ତ ଶିକ୍ଷକଙ୍କର ସମସ୍ତ କାଗଜପତ୍ର, ଏସ.ଆର ବୁକ ଗଚ୍ଛିତ ହୋଇ ରହିଥିଲା। କୌଣସି କାର୍ଯ୍ୟ ଏଠାରେ ହେଉନଥିବା ଯୋଗୁଁ କାର୍ଯ୍ୟରତ ଥିବା କିଛି କର୍ମଚାରୀଙ୍କୁ ରଙ୍ଗେଇଲୁଣ୍ଡା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। କେବଳ ଜଣେ ପିଅନ ଭାବରେ ଏମ.ପିତାମ୍ୱର ଗତ ଦୁଇ ବର୍ଷ ହେଲା କାର୍ଯ୍ୟାଳୟରେ ଏକୁଟିଆ ରହୁଥିଲେ। କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀଙ୍କୁ ମଧ୍ୟ ତଦନ୍ତରେ ସମ୍ପୃକ୍ତି କରାଯାଉ ବୋଲି ଦାବି କରିଛନ୍ତି ମହାନଗର ପ୍ରାଥମିକ ଶିକ୍ଷକ ସଂଘର ସଭାପତି । କବାଡ଼ି ଦୋକାନରେ ପଡ଼ିଥିବା ଶିକ୍ଷକଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ତୁରନ୍ତ ସଂଗ୍ରହ କରି ସାଇତା ରଖାଯାଉ ବୋଲି ଦାବି କରିଛି ସଂଘ।

ପିତାମ୍ୱରଙ୍କ କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା। ମଦ ପାଇଁ ବୁଦ୍ଧିବଣା ଓ ବିବେକ କେମିତି ଏମିତି କରିବାକୁ ଡାକିଲା ବୋଲି ଛକବଜାରରେ ସବୁଠି ଆଲୋଚନା।

ଇତିଶ୍ରୀ ସମାପିକା

Leave a Reply

Your email address will not be published.

Back to top button