ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ପାଇଁ ଖୁସି ଖବର। ମହିଳାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ। ଗର୍ଭପାତକୁ ନେଇ ଲାଗିରହି ଥିବା ଦ୍ୱନ୍ଦରେ ବର୍ତ୍ତମାନ ପୁନଚ୍ଛେଦ ପକାଛନ୍ତି ସୁପ୍ରିମ କୋର୍ଟ। ଭାରତର ସମସ୍ତ ମହିଳାଙ୍କୁ ନିରାପଦ ତଥା ଆଇନତଃ ଗର୍ଭପାତ କରିବାର ଅଧିକାର ଦେଇଛନ୍ତି ସୁପ୍ରିମ କୋର୍ଟ।
ଦେଶରେ ରହୁଥିବା ସମସ୍ତ ମହିଳାଙ୍କର ଆଇନଗତ ଉପାୟରେ ଗର୍ଭପାତ କରିବାରେ ଅଧିକାର ରହିଛି। ଗୁରୁବାର ଦିନ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ବା ଏମଟିପି ଆକ୍ଟ ଅନ୍ତର୍ଗତ ଗର୍ଭପାତ ଆଇନଗତ ଅଧିକାର ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ। ଏହାସହ ଏମଟିପି ଆକ୍ଟ ଅନ୍ତର୍ଗତ ଅବିବାହିତ ମହିଳାଙ୍କୁ ମଧ୍ୟ ଗର୍ଭପାତ କରିବାର ଆଇନଗତ ଅଧିକାର ଦେଇଛନ୍ତି କୋର୍ଟ। ଫଳରେ ଏଣିକି ଅବିବାହିତ ମହିଳାମାନଙ୍କୁ ଗର୍ଭପାତ କରିବାର ଅନୁମତି ମିଳିଛି। ତେବେ ୨୪ ସପ୍ତାହ ଭିତରେ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି। ଏଥିସହ ମେଡିକାଲ ଟର୍ମିନେସନର ନିୟମ ୩- ବି କୁ ବୃଦ୍ଧି କରି ଦେଇଛନ୍ତି କୋର୍ଟ। ଏହା ପୂର୍ବରୁ ୨୦ ସପ୍ତାହରୁ ଅଧିକ ଏବଂ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ବିବାହିତ ମହିଳାମାନଙ୍କୁ କେବଳ ଅଧିକାର ଦିଆଯାଇଥିଲା। ଗର୍ଭପାତକୁ ନେଇ ଅବିବାହିତ ମହିଳାଙ୍କ ପ୍ରତି ବାଛ ବିଚାର କରାଯିବା ଅନୁଚିତ ବୋଲି ସୁପ୍ରିମ କୋର୍ଟ ମତ ଦେଇଛନ୍ତି। ଏମଟିପି ଆକ୍ଟ ଏବଂ ଏହା ସହ ଜଡିତ ନିୟମକୁ ପରିବର୍ତ୍ତନ କରି ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ।
ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି, ବୈବାହିକ ମାନ୍ୟତାକୁ ନେଇ କୌଣସି ମହିଳାଙ୍କୁ ଗର୍ଭପାତରୁ ବଞ୍ଚିତ କରାଯାଇପାରିବ ନାହିଁ। ଏଥିସହ ଗର୍ଭପାତ ଆଇନରେ ଦୁଷ୍କର୍ମ ସହ ମାରିଟାଲ ରେପକୁ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଦୁଷ୍କର୍ମ ଓ ମାରିଟାଲ ରେପ ପରେ ଅନେକ ମହିଳା ଗର୍ଭଧାରଣ କରିଥାନ୍ତି, ଯାହା ସେମାନଙ୍କ ଇଛା ବିରୁଦ୍ଧରେ ହୋଇଥାଏ ଓ ସେମାନଙ୍କ ପାଇଁ ମାନସିକ ଚାପ ସୃଷ୍ଟି କରେ। ଏହିଭଳି ଅନିଚ୍ଛାକୃତ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ସେହିପରି ଜଣେ ଅବିବାହିତ ମହିଳାଙ୍କୁ ଏଥିରୁ ବାସନ୍ଦ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସୁପ୍ରିମ କୋର୍ଟଙ୍କ ଗର୍ଭାପାତ ସମ୍ୱନ୍ଧୀୟ ଏହି ନୂତନ ରାୟ ୨୫ ବର୍ଷୀୟ ଜଣେ ଅବିବାହିତ ଯୁବତୀଙ୍କ ଯାଚିକା ଉପରେ ଆସିଛି। ଯୁବତୀ ଜଣଙ୍କ ତାଙ୍କର ୨୪ ସପ୍ତାହର ଗର୍ଭପାତ କରିବା ପାଇଁ ଦିଲ୍ଲୀ କୋର୍ଟରୁ ମଞ୍ଜୁରୀ ମାଗିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଗର୍ଭପାତ କରିବା ପାଇଁ ମଞ୍ଜୁରୀ ଦେଇନଥିଲେ। ଏହାକୁ ସେ ଚ୍ୟାନେଞ୍ଜ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
- ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now