ନୂଆଦିଲ୍ଲୀ: ଜବରଦଖଲକୁ ଚିହ୍ନଟ କର। ଆଉ ଏଥିଲାଗି ଯଥାସମ୍ଭବ ସାଟେଲାଇଟ ମ୍ୟାପିଂ ଓ ଜିଓ ଫେନସିଂକୁ ବ୍ୟବହାର କର। ଆଧୁନିକ ଟେକ୍ନୋଲୋଜି ହାତରେ ଥିଲେ ବି ଏହାକୁ ବହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାମରେ ଲଗାଉନଥିବା ଦେଖି ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ବେଆଇନ ନିର୍ମାଣ, ଜବରଦଖଲକୁ ହଟାଅ। ହେଲେ ଏହାକୁ ଆଗ ଚିହ୍ନଟ ତ କର। ବେଆଇନ ଭାବରେ ଜମି ଦଖଲ ଓ ଘର ନିର୍ମାଣକୁ ଚିହ୍ନଟ କରିବାକୁ ହେଲେ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କର। ଯାହା ଫଳରେ ତ୍ୱରିତ ତଦାରଖ ସହ ଜବରଦଖଲ ହଟାଇବା ଦିଗରେ ଏହା ସମ୍ଭବ ହୋଇପାରିବ। ସେଥିଲାଗି ସାଟେଲାଇଟ ମ୍ୟାପିଂ ଓ ଜିଓ ଫେନସିଂ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ସୁପ୍ରିମକୋର୍ଟ। ଏପରିକି ସାଟେଲାଇଟ ଫଟୋରୁ ଅଧିକ ଗୁଣାତ୍ମକ ହୋଇପାରିବ ଏରିଏଲ ଫଟୋଗ୍ରାଫି। ଯେଉଁଠି ଡ୍ରୋନରେ ହାଇ ଫ୍ରିକ୍ୟୁଏନ୍ସି କ୍ୟାମେରା ଲଗାଇବା ଜରୁରୀ। ଏହା ବି ଏକ ବିକଳ୍ପ ବ୍ୟବସ୍ଥା ହୋଇପାରିବ ବୋଲି ମତ ଦେଇଛନ୍ତି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ। ଇଲେକ୍ଟ୍ରୋନିକ ଟୋଟାଲ ସିଷ୍ଟମ ବା ଇଟିଏସ ଓ ଡିଜିପିଏସ ଜରିଆରେ ଏରିଆର ବାଉଣ୍ଡରୀ ପଏଣ୍ଟକୁ ବି ମ୍ୟାପିଂ ଲାଗି ଚୟନ କରାଯାଇପାରିବ ବୋଲି ପରାମର୍ଶ ଦେଇଛନ୍ତି। ଆଉ ଏହି ଦୁଇଟି କାମ ହୋଇଗଲେ, ଜିଓ ରେଫେରେନ୍ସ ମ୍ୟାପରୁ ଜାଣିହେବ କି, ଜମିର ମୂଳ ରେକର୍ଡ ତୁଳନାରେ ଗ୍ରାଉଣ୍ଡରେ କେତେ ପରିବର୍ତ୍ତନ ହୋଇଛି। ଜିଓ ରେଫେରେନ୍ସ ଦ୍ୱାରା ହୋଇଥିବା ଡିଜିଟାଲି କାଡାଷ୍ଟ୍ରାଲ ମ୍ୟାପ ଓ ସାଟେଲାଇଟ ଇମେଜ୍ ତଥା ଏରିଏଲ ଫଟୋଗ୍ରାଫି ଏହି ତଫାତକୁ ଠଉରାଇବା ପରେ ଜବରଦଖଲକୁ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାରେ ସହଜ ହେବ। କେବଳ ଜମି ଜବରଦଖଲ ଓ ବେଆଇନ ଘର ନିର୍ମାଣକୁ ଚିହ୍ନଟ ସକାଶେ ଜିଓ ଫେନସିଂର ବ୍ୟବହାର ନୁହେଁ। ଏହାକୁ ସମ୍ଭବତଃ ଜଳାଶୟ, ଜଙ୍ଗଲ, ମାଇନିଂ ଏରିଆରେ ବି ବ୍ୟବହାର କରାଯାଇପାରିବ। ଏହା ଫଳରେ ଏ ସବୁ କ୍ଷେତ୍ରରେ ହେଉଥିବା ବିଭିନ୍ନ ଅନିୟମିତତାର ନିୟମିତ ତଦାରଖ ହୋଇପାରିବ। ୨୦୧୬ରୁ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ଅତ୍ୟାଧୁନିକ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। ଏହି ଯୋଜନାକୁ ସରକାର ଫଣ୍ଡିଂ ବି କରୁଛନ୍ତି। କିନ୍ତୁ ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପଯୋଗ କରୁନାହାନ୍ତି। ଯଦିବା ଏହାର ବ୍ୟବହାର ହେଉଛି, ତାହା ନଗଣ୍ୟ। କେନ୍ଦ୍ର ସରକାରଙ୍କ ଏହି ଆଧୁନିକ ଟେକ୍ନୋଲୋଜିକୁ ଗ୍ରହଣ କଲେ, ମାନବିକ ହସ୍ତକ୍ଷେପ କମ ହୁଅନ୍ତା। ତା ସହ ଅଯଥା ଖର୍ଚ୍ଚାନ୍ତ ବି ହୁଅନ୍ତାନି।
ପ୍ରଦୀପ ନାୟକଙ୍କ ରିପୋର୍ଟ