ଧାମନଗର ବିଜେଡିରେ ବିଦ୍ରୋହର ବହ୍ନି

ଧାମନଗର:  ଧାମନଗର ଉପ-ନିର୍ବାଚନରେ ବିଜେଡିରେ ବିବାଦ ଓ ବିଦ୍ରୋହର ବହ୍ନି ତେଜିଲାଣି। ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ନାମାଙ୍କନ ଭରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ରାଜେନ୍ଦ୍ରଙ୍କ ବାସଭବନରେ ତାଙ୍କ ସମର୍ଥକଙ୍କ ମୁହଁରୁ ଏହି ଆଭାସ ମିଳିବା ପରେ ବିଜେଡିରେ ବିଦ୍ରୋହ ସ୍ୱର ତେଜିଥିବାର ସ୍ପଷ୍ଟ ଆଭାସ ମିଳିଲାଣି। ତେବେ ରାଜେନ୍ଦ୍ର ମାନୁଛନ୍ତି ନା ଅମାନିଆ ହୋଇ ଦଳୀୟ ଆକ୍ସନର ସାମ୍ନା କରିବେ, ଦେଖିବାର କଥା।

ଧାମନଗର ପାଇଁ ମହିଳା କାର୍ଡ ଖେଳି ଦଳ ଯେତେବେଳେ ଅବନ୍ତୀ ଦାସଙ୍କ ନାଁରେ ମୋହର ଲଗାଇଲା, କିଛି ଏମିତି ବାଗରେ ସୁପ୍ରିମୋଙ୍କ ନିଷ୍ପତ୍ତିର ଯଥାର୍ଥତା ଓ ଅବନ୍ତୀଙ୍କୁ ନିଜର ସମ୍ପର୍କୀୟ କହି ସମର୍ଥନ କରିବାର ଶୈଳୀକୁ ସୂଚାଇଥିଲେ ରାଜେନ୍ଦ୍ର। ତେବେ ଦଳୀୟ ନିଷ୍ପତ୍ତିକୁ ଭରପୁର ସମର୍ଥନ କରି ଗଣମାଧ୍ୟମରେ ଏମିତି ଓଗାଳଥିବା ରାଜେନ୍ଦ୍ର ସତରେ ଖୁସି ନା ତାଙ୍କ ମନରେ ଆଉ କିଛି ରହିଛି? ଏକ ଫଟୋକୁ ନେଇ ଏବେ ଓଡିଶା ରାଜନୈତିକ ମହଲରେ ଚର୍ଚ୍ଚା। ଫଟୋରେ ଗୋଟିଏ ପଟେ ସଂଗଠନ ସମ୍ପାଦକ ପ୍ରଣବ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ଓ ପ୍ରାର୍ଥୀ ଅବନ୍ତୀ ଥିଲା ବେଳେ ଅନ୍ୟପଟେ ମୁହଁ ଶୁଖାଇ ଛିଡା ହୋଇଥିଲେ ରାଜେନ୍ଦ୍ର। ଆଉ ଆଜି ସକାଳୁ ସକାଳୁ ରାଜେନ୍ଦ୍ରଙ୍କ ଅନୁଗତ ଓ ସମର୍ଥକ ତାଙ୍କ ବାସଭବନରେ ଏକାଠି ହୋଇ ଯେଉଁ ବିଦ୍ରୋହର ବହ୍ନି ଲଗାଇଛନ୍ତି, ଏଠି ଆଉ ବୁଝିବାକୁ ବାକି ନାହିଁ ଯେ, ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇପାରନ୍ତି ରାଜେନ୍ଦ୍ର। ନବୀନଙ୍କ ବଳରେ ଜିତିବୁ ବୋଲି ଭାବୁଥିବା ନେତାଙ୍କ ରଣନୀତିକୁ ମିଛ ବୋଲି ପ୍ରମାଣିତ କରିବାକୁ  ଅଣ୍ଟା ଭିଡ଼ିଲେଣି ରାଜେନ୍ଦ୍ରଙ୍କ ଶିବିର। ବିନା ବିଜେଡି, ଶଙ୍ଖ ଓ ନବୀନଙ୍କ ଟ୍ୟାଗଲାଇନରେ ରାଜେନ୍ଦ୍ର ଲଢ଼ିବେ ଓ ଜିତିବେ ବୋଲି ବିଦ୍ରୋହର ବିଗୁଲ୍ ଫିଙ୍ଗିଛନ୍ତି ସମର୍ଥକ।

ବିଜେଡିର ଜନସମ୍ପର୍କ ଯାତ୍ରାରେ ରାଜେନ୍ଦ୍ର ଲିଡ୍ କରୁଥିଲେ ଧାମନଗରରେ। ପୂର୍ବତନ ବିଧାୟକ ହିସାବରେ ଏଥର ଟିକଟ ପାଇବେ ବୋଲି ଆଶା ବି ଥିଲା। ହେଲେ ଦଳ ମହିଳା କାର୍ଡ ଖେଳିବାରୁ ସବୁତକ ଆଶା ପାଣି ଫୋଟକା ଭଳି ମିଳାଇଯାଇଛି। ୧୪ରେ ଅବନ୍ତୀ ପ୍ରାର୍ଥୀପତ୍ର ଦାଖଲ କରିବେ। ଆଉ ସ୍ୱାଧୀନ ଭାବେ ରାଜେନ୍ଦ୍ର ବି ନାମାଙ୍କନ ଭରିପାରନ୍ତି ବୋଲି ସମାନ୍ତରାଳ ଭାବେ ତାଙ୍କର ଓ ତାଙ୍କ ଅନୁଗତଙ୍କ ଗତିବିଧି ସଙ୍କେତ ଦେଲାଣି।

୨୦୧୯ ନିର୍ବାଚନରେ ହାରିବା ପରେ ଏକ ଲମ୍ୱା ଚିଠି ସୁପ୍ରିମୋଙ୍କ ଉଦେଶ୍ୟରେ ଲେଖି କାହା ଲାଗି ମାତ୍ର କମ୍ ବ୍ୟବଧାନରେ ବିଜେପିର ବିଷ୍ଣୁ ସେଠୀଙ୍କଠୁ ହାରିଥିଲେ, ତାହାର କୁଆଡ଼େ ଅବତାରଣା କରିଥିଲେ ବୋଲି ଚର୍ଚ୍ଚା ହୁଏ। ଟିକଟ ଦେବାରେ ମୁଖ୍ୟ କାର୍ପଟଦାର ଭୂମିକାରେ ଥିବା ଅନେକ ନେତାଙ୍କ ନାଁରେ ବିଷ ଓଗାଳିଥିଲେ ବୋଲି ବି ବେଶ୍ ଚର୍ଚ୍ଚା ହୋଇଥିଲା ସେତେବେଳେ। ସେଥିଲାଗି ରାଜେନ୍ଦ୍ର ବଳିପଡ଼ିଗଲେ କି ବୋଲି ରାଜନୀତିକ ମହଲରେ ଗୁଞ୍ଜରଣ ହେଉଛି।

ସତ୍ୟବ୍ରତ ପ୍ରଧାନଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *