ମହାବାତ୍ୟାକୁ ପୁରିଛି ୨୩ ବର୍ଷ

() ମହାବାତ୍ୟାକୁ ଆଜି ପୁରିଛି ୨୩ ବର୍ଷ। ଗଲା ୨୨ ବର୍ଷରେ ଉପକୂଳରେ ୭ଟି ବାତ୍ୟା ପିଟିହୋଇଥିଲା ବେଳେ ଓଡ଼ିଶାକୁ ଯେମିତି ବାତ୍ୟା ସହଚର ହୋଇଗଲାଣି। ଆଉ ଏଥିଲାଗି ଆର୍ଥିକ ଅବସ୍ଥା ବି ଦୋହଲିଗଲାଣି। ଏବେ ବି ୯୯ର ମହାପ୍ରଳୟକୁ ମନେ ପକାଇଲେ, ଉପକୂଳବାସୀ ଶିହରି ଉଠୁଛନ୍ତି। ସେପଟେ ୨୩ ବର୍ଷ ଭିତରେ ବାତ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିବାରେ ଏବେ ଓଡ଼ିଶା ଅନ୍ୟମାନଙ୍କ ଲାଗି ରୋଲ ମଡେଲ୍ ସାଜିସାରିଛି।

୧୯୯୯ ଅକ୍ଟୋବର ୨୯। ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଦେଇଥିଲା। ଏରସମାରେ ସବୁଠୁ ଅଧିକ କ୍ଷତି କରିଥିଲା। ମହାବାତ୍ୟାରେ ୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଆଜି ଏହାକୁ ୨୩ ବର୍ଷ ପୁରିଛି। ରାଜ୍ୟକୁ ସବୁବେଳେ ବାତ୍ୟା ଭୟ ଯେମିତି ଘେରି ରହିଛି। ଗଲା ୨୨ ବର୍ଷ ଭିତରେ ଉପକୂଳରେ ୭ଟି ସାମୁଦ୍ରିକ ଝଡ଼ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଛି। ଫାଇଲିନ୍, ହୁଡହୁଡ୍, ତିତଲି, ଫନୀ, ଅମ୍ଫାନ୍, ଜଓ୍ୱାଦ୍ ବାତ୍ୟା ରାଜ୍ୟ ଲାଗି ବିପତ୍ତି ଆଣିଦେଇଛି। ଏ ସବୁ ବାତ୍ୟାରେ ଅଣ୍ଟା ସଳଖିବାକୁ ବେଶ୍ କସରତ କରିବାକୁ ପଡ଼ିଛି। ଏମିତିରେ ଅକ୍ଟୋବରରୁ ଡିସେମ୍ୱର ଭିତରେ ବାତ୍ୟା ହେଉଥିଲେ ବି କିଛି ବର୍ଷ ହେଲା ମେ ମାସରେ ବି ବାତ୍ୟା ଭୟ ଦେଖାଦେଇଛି। ଏହି ପ୍ରାକୃତିକ ବିପତ୍ତିରୁ ରକ୍ଷା ଲାଗି ଆଗୁଆ ସୂଚନା ହିଁ ଏକମାତ୍ର ବିକଳ୍ପ। ରାଜ୍ୟର ୪ଟି ସ୍ଥାନ ପାରାଦୀପ, ଗୋପାଳପୁର, ସମ୍ୱଲପୁର ଓ ବାଲେଶ୍ୱରରେ ଡପଲର ରାଡାର ଲଗାଇବାକୁ ସ୍ଥିର ହୋଇଥିଲା। କିନ୍ତୁ ୬ ବର୍ଷ ପରେ ବି ସମ୍ୱଲପୁର ଓ ବାଲେଶ୍ୱରରେ ଲାଗିପାରିଲାନି। ଆଜି ବି ଏରସମା ବାସୀଙ୍କ ଭିତରେ ସେହି ବାତ୍ୟା ଭୟର ଶିହରଣ ରହିଛି। ଆଉ ଏଭଳି ବିପତ୍ତି କେବେ ନ ପଡ଼ୁ ବୋଲି ଭଗବାନଙ୍କୁ ଡାକୁଛନ୍ତି। ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ, ସମୂହ ପ୍ରାର୍ଥନା ଓ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କରିଛନ୍ତି।

ସେପଟେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏବେ ଏକ ନମ୍ୱର। ରାଜ୍ୟ ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବା ସହ ଏହାର ସଠିକ୍ ମୁକାବିଲା ଲାଗି ନୂଆ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ଅନ୍ୟ ରାଜ୍ୟ ପ୍ରାକୃତିକ ଦୁର୍ବିପାକ ମୁକାବିଲା ଲାଗି ଓଡ଼ିଶାକୁ ଅନୁସରଣ କରୁଛନ୍ତି ବୋଲି ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ମତପ୍ରକାଶ ପାଇଛି। ସେପଟେ ପାଣିରେ ବୁଡ଼ି, ସାପ କାମୁଡ଼ା ଓ ନିଆଁରେ ପୋଡ଼ି ମୃତ୍ୟୁସଂଖ୍ୟା ବଢ଼ୁଛି। ଏହାକୁ କମେଇବା ବଡ଼ ଆହ୍ୱାନ ସାଜିଛି। ୪ ବର୍ଷ ତଳେ ବଲାଙ୍ଗୀରରେ କୃତ୍ରିମ ବନ୍ୟା ଚିନ୍ତାଜନକ ଥିଲା। ଜଳବାୟୁ ପରିବର୍ତ୍ତନ ଲାଗି ହେଉଥିବା କ୍ଷୟକ୍ଷତି କମାଇବାକୁ ଜନ ସଚେତନତା ସହ କେନ୍ଦ୍ର, ରାଜ୍ୟ ଓ ଏନଜିଓ ମିଳିମିଶି କାମ କରିବା ଜରୁରୀ।

ଓଡ଼ିଶାର ବାତ୍ୟା ପରିଚାଳନା ମଡେଲକୁ ଜାତିସଂଘ ବି ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀ ବି ଓଡ଼ିଶା ସରକାରଙ୍କର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି। ତେବେ ଦୁର୍ବିପାକକୁ ତାଳ ଦେଇ ଅନେକ ନୂଆ ବିପତ୍ତି ବିପର୍ଯ୍ୟୟର ନୂଆ ରୂପରେ ଆସୁଥିବାରୁ ଏହାକୁ ମୁକାବିଲା ଆଜିର ଦିନର ବଡ଼ ଆହ୍ୱାନ ସାଜିଛି ଯେମିତି।

ପ୍ରମୋଦ ଦାସଙ୍କ ସହ ନବକିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *