ଓଡ଼ିଶା

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଓ

() ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ କରି ଆଜି ନବୀନ ନିବାସ ଘେରାଓ ଉଦ୍ୟମ କରିଥିଲା ଛାତ୍ର କଂଗ୍ରେସ। ତେବେ ଫରେଷ୍ଟ ପାର୍କ ପାଖରେ ପୁଲିସ ଅଟକାଇବାରୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ଛାତ୍ର କଂଗ୍ରେସ ନେତା। ସେପଟେ ବିଜେପି ବି ୩୧ରେ ନବୀନ ନିବାସ ଘେରାଓ ଲାଗି ସଜବାଜ ହେଉଛି। ଆଉ କାଉଣ୍ଟରରେ ଶାସକ ଦଳ କହିଛି, ବିରୋଧୀଙ୍କ ହାତରେ ପ୍ରସଙ୍ଗ ନଥିବାରୁ ତୁଛା ରାଜନୀତିରେ ମାତିଛନ୍ତି।

ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଛାତ୍ର କଂଗ୍ରେସର ହଲ୍ଲାବୋଲ୍। ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ କରି ନବୀନ ନିବାସ ଘେରାଓ କରିବାକୁ ବାହାରିଥିଲା ଛାତ୍ର କଂଗ୍ରେସ। କିନ୍ତୁ ଫରେଷ୍ଟପାର୍କରେ ପୁଲିସ ଅଟକାଇବାରୁ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ଏପରିକି ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ଛାତ୍ର କଂଗ୍ରେସ କର୍ମୀ। କେବଳ ଆଜି ନୁହେଁ, ଯୁଆଡ଼େ ନବୀନ ଯିବେ, ଅଣ୍ଡାମାଡ଼ ହେବ ବୋଲି ଚେତେଇ ଦେଇଛି। ମନ୍ତ୍ରୀ ସମୀର ଦାସଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲା ଛାତ୍ର କଂଗ୍ରେସ।  ଏହାର ନିରପେକ୍ଷ ତଦନ୍ତ ଚାହିଁଛି ଦଳ। ପୁରୀ ଜିଲ୍ଲାର ଆଉ ଜଣେ ମନ୍ତ୍ରୀ ତୁଷାରକାନ୍ତିଙ୍କ ବାସଭବନକୁ ବି ଧସେଇ ପଶିଥିଲେ ଛାତ୍ର କଂଗ୍ରେସ କର୍ମୀ। ସେଠାରେ ବି ଯାଇକି ଅଣ୍ଡା ମାଡ଼ କରିଥିଲେ, ତା ପୁଣି ଡିସିପିଙ୍କ ଉପସ୍ଥିତିରେ।

ସେପଟେ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ପାଇଁ  କମିଶନରେଟ ପୁଲିସ ଅଫିସ ଆଗରେ ୪୮ ଘଣ୍ଟିଆ ଅହୋରାତ୍ର ଧାରଣା ଦେଇସାରିଛି ବିଜେପି। ୩୧ରେ ନବୀନ ନିବାସ ଘେରାଓ କରିବ ବିଜେପି। ଛାତ୍ର କଂଗ୍ରେସର ଏଭଳି ଘେରାଓକୁ ସମର୍ଥନ କରିବା ସହ ସବୁ ଆଡ଼ୁ ବିରୋଧୀଙ୍କ ଚାପ ପଡ଼ିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବିଜେଡି କହିଛି, କେବଳ ନିଜର ସ୍ଥିତି ଜାହିର ଲାଗି ବିରୋଧୀଙ୍କ ଏ ସବୁ ନାଟ। ମୁଖ୍ୟମନ୍ତ୍ରୀ କୌଣସି ବେଆଇନ କାମକୁ ପ୍ରଶ୍ରୟ ଦିଅନ୍ତିନି ବୋଲି ଓଡ଼ିଶାବାସୀ ଜାଣନ୍ତି। ଆଇନ ତା ବାଟରେ ଯିବ।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ସହ ଅର୍ଚ୍ଚନା ନାଗ ପ୍ରସଙ୍ଗ ଥମିବାର ନାଁ ଧରୁନି। ପ୍ରଥମ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତିର କଥା ଉଠାଉଛି ବିରୋଧୀ। ତ ଅର୍ଚ୍ଚନା ମାମଲାରେ ବହୁ ବଡ଼ବଡ଼ିଆଙ୍କ ଲିଂକକୁ କାହିଁକି ପୁଲିସ ଆଉ କାହା ଚାପରେ ଆଗକୁ ଆଣୁନି, ତାକୁ ନେଇ ସନ୍ଦେହର ସ୍କାନରରେ ଦେଖୁଛି ସରକାରଙ୍କୁ।

ନବକିଶୋର ସାହୁଙ୍କ ସହ ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button