ନୋଟ୍ ଫର ଭୋଟ୍

ଭଦ୍ରକ/ଭୁବନେଶ୍ବର: ଭୋଟ ପାଇଁ ଟଙ୍କା ବଣ୍ଟାକୁ ନେଇ ଧାମନଗର ରାଜନୀତି ଉଠୁଛି ପଡ଼ୁଛି। ରବିବାର ରାତିରେ ଟଙ୍କା ବାଣ୍ଟୁଥିବା ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀଙ୍କୁ ଲୋକେ ଅଟକ ରଖିବା, ଉଦ୍ଧାର କରିବାକୁ ଯାଇ ପୁଲିସ ବି ହଟହଟାର ଶୀକାର ହେବା ଯାଏ ଘଟଣାର ରାଜନୀତି ଥମୁନି। ସେପଟେ ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି କହି ସିଇଓଙ୍କ ପାଖରେ ବିଜେଡି ଫେରାଦ ହୋଇଥିଲା ବେଳେ ଭଦ୍ରକ ଏସପିଙ୍କ ଆଗରେ ଧାରଣା ଦେଇଥିଲା ବିଜେପି।

ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଭୋଟରଙ୍କୁ ଟଙ୍କା ବଣ୍ଟାଯିବା ବିବାଦ ନ ଥମୁଣୁ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ରବିବାର ରାତିରେ ଟଙ୍କା ବଣ୍ଟାକୁ ନେଇ ସୃଷ୍ଟି ଉତ୍ତେଜନା ଯେମିତି ଧାମନଗର ଉପନିର୍ବାଚନରେ ଭୋଟ୍ ପାଇଁ ଟଙ୍କା ଉଡ଼ୁଛି ବୋଲି ଖବରକୁ ଅଧିକ ଶାଣିତ କରିବାରେ ଲାଗିଛି। ଏପରିକି ଟଙ୍କା ବାଣ୍ଟୁଥିବା କର୍ମୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସକୁ ବି ହଟହଟା ହେବାକୁ ପଡ଼ିଥିଲା। ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଥିଲା ପୁଲିସ। ଆଉ ଧାମନଗରରେ ମୁକ୍ତ, ଅବାଧ, ନିରପେକ୍ଷ ତଥା ଭୟମୁକ୍ତ ନିର୍ବାଚନ ଦାବି ସହ ଶାସକ ଦଳର ଗୁଣ୍ଡାରାଜ୍ ଓ ପ୍ରଶାସନିକ ପକ୍ଷପାତିତା ବିରୁଦ୍ଧରେ ଏସପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲା ବିଜେପି।

ସେପଟେ ଧାମନଗରରେ ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି ବୋଲି କହିଛି ବିଜେଡି। ପୂର୍ବରୁ ମିଛରେ ବିଭିନ୍ନ ଅପପ୍ରଚାର କରିଥିଲା। ସେଥିରେ ବିଫଳ ହେବାରୁ ତଥା ନିର୍ବାଚନରେ ହାରୁଥିବାରୁ ବିଜେଡି ନାଁରେ ଟଙ୍କା ବାଣ୍ଟିବା, ବିଜେଡି କର୍ମୀଙ୍କୁ ଆକ୍ରମଣ କରିବା ଭଳି ମିଛ ଆରୋପ ଆଣୁଛି।

ସେପଟେ କଂଗ୍ରେସ କହିଛି, ଉଭୟ ବିଜେଡି ଓ ବିଜେପି ଟଙ୍କା ବଳରେ ଧାମନଗର ହାତେଇବାକୁ କରୁଥିବା କସରତର ଦୃଶ୍ୟ ଧାମନଗରବାସୀ ଦେଖିସାରିଛନ୍ତି। ସେଥିଲାଗି ଏଥର ପରିବର୍ତ୍ତନ ଆସିବ। ଲୋକେ ବିବେକାନୁମୋଦିତ ଭୋଟ ଦେଇ ଏହି ଉଭୟ ଦଳର ଅର୍ଥ ପ୍ରଲୋଭନର ପାଲରେ ପଡ଼ିବେନି। ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ କହିଛନ୍ତି, ଧାମନଗରର ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ। ଭୋଟରଙ୍କୁ ଟଙ୍କାରେ କେହି କିଣିପାରିବେନି। ନବନିର୍ମାଣ କୃଷକ ସଂଗଠନ ସେପଟେ ବିଜେଡିକୁ ଭୋଟ ଦିଅନ୍ତୁନି କହି ପ୍ରଚାରକୁ ଜୋରଦାର କରୁଛି।

ଧାମନଗରରେ ବିଜେଡି-ବିଜେପି ଭିତରେ ଚାଲିଥିବା ଏହି ଆରୋପ ପ୍ରତ୍ୟାରୋପର ଟ୍ରେଣ୍ଡ୍ ଜନମତକୁ କିଭଳି ପ୍ରଭାବିତ କରୁଛି, ତା ଉପରେ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *