କେନ୍ଦ୍ରାପଡା: ବୟସ ୧୫ ବର୍ଷ, ଦଶମ ଶ୍ରେଣୀ ରେ ପଢ଼ୁଥିବା ହିମାଂଶୁ ଭଲ ପାଠ ପଢି ଗରିବ ବାପା ମାଆ ଙ୍କ ସ୍ବପ୍ନ ସାକାର କରିବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଦାଉ ସାଧିଲା ଭାଗ୍ୟ । କିଛି ମାସ ହେବ ହିମାଂଶୁ ର ଦୁଇ ଗୋଡ଼ ବଙ୍କା ହୋଇଯାଉଛି। ଏଭଳି ଅସାଧ୍ୟ ରୋଗର ଚିକତ୍ସା ପାଇଁ ଅର୍ଥ ବଳ ନଥିବାରୁ ଅସହାୟ ହୋଇପଡିଛନ୍ତି ଗରିବ ବାପା ମାଆ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବନ୍ଧକଟା ଗାଁର ହିମାଂଶୁ ନାୟକ। ଦଶମ ଶ୍ରେଣୀ ରେ ଭଲ ପାଠ ପଢ଼ୁଥିବା ହିମାଂଶୁ କିଛି ମାସ ତଳେ ହଠାତ ଗୋଡ଼ ରେ ଯନ୍ତ୍ରଣା ଅନୁଭବ କଲା। ଗୋଡ଼ ବିନ୍ଧୁଥିଲା ଓ ଦୁର୍ବଳ ଲାଗୁଥିଲା। କିନ୍ତୁ ଗତ ତିନି ରୁ ଚାରି ମାସ ହେବ ଶରୀର ଦୁର୍ବଳ ହେବା ସହ ଗୋଡ଼ର ନଳି ଗୋଡ଼ ଅଂଶ ବଙ୍କା ହୋଇଯାଇଥିଲା । ବର୍ତ୍ତମାନ ହିମାଂଶୁ ଚାଲିବା ସମୟରେ କଷ୍ଟ ଅନୁଭବ କରିବା ସହ ଦୁଇ ଗୋଡ଼ର ଆଣ୍ଠୁକୁ ଆଣ୍ଠୁ ମାଡ଼ ହେଉଛି। ଶରୀର ଦୁର୍ବଳ ହୋଇ ବର୍ତ୍ତମାନ ହିମାଂଶୁ ର ଓଜନ ମାତ୍ର ୧୬ କିଲୋ ରହିଛି ।
ହିମାଂଶୁ ର ବାପା ଜଣେ ସାଇକେଲ ଦୋକାନୀ। ଅର୍ଥ ର ଘୋର ଅଭାବ ଯୋଗୁଁ ପୁଅର ଏଭଳି ଅସାଧ୍ୟ ରୋଗ ର ଚିକିତ୍ସା ତାଙ୍କ ଦ୍ୱାରା ସମ୍ଭବ ହୋଇପାରୁନି। ତେଣୁ ପୁଅ ର ଚିକିତ୍ସା ପାଇଁ ବାପା ମାଆ ସହାୟତା ଭିକ୍ଷା କରିଛନ୍ତି ଗଣମାଧ୍ୟମ ଜରିଆରେ ସରକାରଠାରୁ ସାଧାରଣ ଜନତାଙ୍କଠାରୁ।
ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now