ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର: ଗୁରୁବାର ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ। ଦୀର୍ଘ ୩୩ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ବେଶ୍ ସରଗରମ ରହିବ। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ବିଧାନସଭାରେ ମାଳ ମାଳ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି। ଚାଷ, ଚାକିରୀ, ମନରେଗା ଦୁର୍ନୀତି, ଅର୍ଚ୍ଚନା ଲିଂକ୍, ଧର୍ମେନ୍ଦ୍ର ସାହୁ ସୁଇସାଇଡ୍, ଏକାଧିକ ସ୍ଥାନରେ ନୂଆ ଜିଲ୍ଲା ଦାବି, ରେଳ ଦୁର୍ଘଟଣା ଆଦି ଅନେକ ପ୍ରସଙ୍ଗ ରହିଛି ବିରୋଧୀଙ୍କ ପାଖରେ। ସେଥିଲାଗି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ବସି ପ୍ରାୟ ୧୯ଟି ପ୍ରସଙ୍ଗକୁ ଧରି ନିଜର ରଣନୀତି କରିଥିଲା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିଧାନସଭା ପ୍ରକୋଷ୍ଠରେ  ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ। ସେପଟେ ଗୁରୁବାର ସାଢ଼େ ଦଶଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ୱର ପ୍ରକୋଷ୍ଠରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ତେବେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ। ବିଧାନସଭାକୁ ସୁରୁଖୁରୁରେ ଚଲାଇବାକୁ ସମସ୍ତେ ଯତ୍ନବାନ ହେବା ଜରୁରୀ।

ଅଧିବେଶନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୁଲିସ। ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ୍ ରହିବ। ଡିଜି ଓ ସିପି ପ୍ରମୁଖ ବିଧାନସଭା ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା ସହ ଯାଞ୍ଚ କରିଛନ୍ତି। ୩୪ ପ୍ଲାଟୁନ ଫୋର୍ସ ମୁତୟନ ସହ ଷ୍ଟ୍ରାଇକିଂ ଫୋର୍ସ, କୁଇକ୍ ରେସପନ୍ସ ଟିମ୍, ଆର୍ମଡ ପୁଲିସ ସହ ସାଦା ପୋଷାକଧାରୀ ମୁତୟନ ହେବେ।

ପଦ୍ମପୁର ଉପନିର୍ବାଚନ ବେଳେ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଶାସକ ଓ ବିରୋଧୀ ପାରୁ ପର୍ଯ୍ୟନ୍ତ ନିଜ ନିଜ ପ୍ରସଙ୍ଗକୁ ଅଧିକ ଶାଣିତ କରିବାକୁ ଚେଷ୍ଟା କରିବେ। ଏଥର କୋଭିଡ୍ କଟକଣା ହଟିବା ସହ ବିଧାନସଭା ସ୍ୱାଭାବିକ ଚାଲିବାକୁ ଥିବାରୁ ପ୍ରସଙ୍ଗ ସହ ଅଧିବେଶନ ବେଶ୍ ସରଗରମ ରହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *