assembly

  • ଶୁଖିଲାଣି ଓଡ଼ିଶାର ଜୀବନ ରେଖା

    () ଶୁଖିଲାଣି ଓଡ଼ିଶାର ଜୀବନ ରେଖା ମହାନଦୀର ଜଳସ୍ତର କମିବାରେ ଲାଗିଛି। ଆଗକୁ ଅବସ୍ଥା ଅସମ୍ଭାଳ ହୋଇପାରେ। ଦଳମତ ନିର୍ବିଶେଷରେ ବିଧାନସଭାର ଶୂନ୍ୟକାଳରେ ମହାନଦୀ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା।

    ମହାନଦୀ ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ମହାନଦୀକୁ ନେଇ ଆଲୋଚନା ହେଉ। ଏହାର ସୁରକ୍ଷା ନେଇ ସରକାର କଅଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବଦଳୀୟ କମିଟି କଅଣ ନିଷ୍ପତ୍ତି ନେଲା। ମହାନଦୀ ଜଳ ବିବାଦ ତୁଟାଇବା ଦିଗରେ ଟ୍ରିବ୍ୟୁନାଲ କେତେ ବାଟ ଗଲା। କାହିଁକି ଟ୍ରିବ୍ୟୁନାଲରେ ତାରିଖ ବାରମ୍ୱାର ଘୁଞ୍ଚୁଛି। ଏହାକୁ ନେଇ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଥିଲେ। ଆଉ ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କମିଟି ଗୁଡ଼ିକର ବୈଠକ କେବେ ବି ହୋଇନି। ମୋସନ ଆକାରରେ ଆଲୋଚନା କରିବା ଜରୁରୀ ହୋଇପଡ଼ିଲାଣି। ଜଳସମ୍ପଦ ମନ୍ତ୍ରୀ ଏ ଦିଗରେ ବିବୃତ୍ତି ଏ ଯାଏ ରଖିଲେନି। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାର ହେଲେ ମଧ୍ୟ ଏ ପ୍ରସଙ୍ଗ ଉଠୁନି।

    ସେପଟେ ମହାନଦୀ ବିପଦରେ ବୋଲି ଶାସକ ଦଳ ବି ହୃଦବୋଧ କରିଛି। ଉପରମୁଣ୍ଡରୁ ଆସୁଥିବା ପାଣିକୁ ପଡ଼ୋଶୀ ରାଜ୍ୟ ଅଟକାଇଦେଉଛି। ବର୍ଷା ଓ ନଦୀର ଜଳ ସମୁଦ୍ରକୁ ଚାଲିଯାଉଛି। ଟ୍ରିବ୍ୟୁନାଲ ଉପରେ ନିର୍ଭର ନ କରି ଭବିଷ୍ୟତ ଲାଗି ଯୋଜନା କରିବା ଜରୁରୀ। ଭୂତଳ ଜଳର ହ୍ରାସ ଘଟୁଛି। କଳକାରଖାନା ଓ ନଦୀରେ ବର୍ଜ୍ୟବସ୍ତୁ ଛାଡ଼ୁଥିବା ଶିଳ୍ପାନୁଷ୍ଠାନକୁ ଜଗିବାକୁ ପଡ଼ିବ।

    ମହାନଦୀର ଜଳସ୍ତର ଡରାଇଲାଣି। ଯେଭଳି କ୍ରମାଗତ ଖସୁଛି, ଆଗକୁ ଅଧିକ ଖରା ଅଛି। ଏବେଠୁ ସଜାଗ ନ ହେଲେ ଆଗକୁ ଅବସ୍ଥା ଅସମ୍ଭାଳ ହେବ ବୋଲି ଜଳଜଳ କରି ଦିଶୁଛି।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ଼

     () ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ଡାକ ମଣ୍ଡଳରେ ନକଲି ସାର୍ଟିଫିକେଟ କାରନାମା ଧରାପଡ଼ିବା ପରେ ଆଉ ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧିବା ପରେ ଏହାକୁ ନେଇ ବିଧାନସଭାରେ ବି ସ୍ୱର ଉଠିଛି। ବଡ଼ କଥା ହେଲା, ଜାଲି ସାର୍ଟିଫିକେଟ ତିଆରିରେ ବିଜେଡି ଆଇଟି ସେଲ୍ ସାମିଲ ଥିବାର ଗମ୍ଭୀର ଆରୋପ ଲଦିଛନ୍ତି ବିରୋଧୀ। ଆଉ ଶାସକ ଦଳ କହିଛି, ଯିଏ ବି ଏଥିରେ ଜଡ଼ିତ ଥାଉ ନାଁ କାହିଁକି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

    ସାର୍ଟିଫିକେଟ ପିଛା ୫୦ ହଜାରରୁ ୫ ଲକ୍ଷ। ବିଭିନ୍ନ ଶିକ୍ଷାନୁଷ୍ଠାନର ଜାଲି ସିଲ୍, ଷ୍ଟାମ୍ପ ବ୍ୟବହାର କରି ନକଲି ସାର୍ଟିଫିକେଟର ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦଗାତାଙ୍କ ସମେତ ସହଯୋଗୀ ୧୯ ଜଣଙ୍କୁ ବଲାଙ୍ଗୀର ପୁଲିସ ଗିରଫ ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେପଟେ କେନ୍ଦ୍ରାପଡ଼ାରେ ବି ଜାଲି ସାର୍ଟିଫିକେଟର ଚେର ଲମ୍ୱିଛି। ଡାକ ପଦବୀ ପାଇଁ ନକଲି ସାର୍ଟିଫିକେଟ ବଳରେ ଚାକିରୀ ହାତେଇବା ଘଟଣା ସାରା ରାଜ୍ୟରେ ଚିନ୍ତା ବଢ଼ାଇଥିଲା ବେଳେ ଏହାକୁ ନେଇ ବିଧାନସଭାରେ ବି ଝଡ଼ ଦେଖିବାକୁ ମିଳିଛି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ଜାଲି ସାର୍ଟିଫିକେଟ ରାକେଟରେ ବିଜେଡି ନେତାଙ୍କ ସଂପୃକ୍ତି କଥା ଆଣିଛନ୍ତି। ବିଜେଡି ଆଇଟି ସେଲର ସଦସ୍ୟ ଗିରଫ ହୋଇଥିବାରୁ ଅଭିଯୁକ୍ତଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ବୁକ୍ କରିବାକୁ ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ।

    ସେପଟେ ବିଜେପି ବି ସମାନ କଥା କହିଛି। ଏଭଳି ଜାଲି ସାର୍ଟିଫିକେଟ ବଳରେ ଚାକିରୀ କରୁଥିବେ ଅନେକ। ଏହାର ତଦନ୍ତ ହେଉ। ଗିରଫ ୧୯ ଜଣଙ୍କ ଭିତରେ ବିଜେଡି ଆଇଟି ସେଲ୍ ସଦସ୍ୟ ଥିବାରୁ ବିଜେଡି ନେତାଙ୍କ ଦୁର୍ନୀତି ଓ ସଂପୃକ୍ତି ସ୍ପଷ୍ଟ ହୋଇଛି। ଶାସକ ଦଳର ଛତ୍ରଛାୟା ତଳେ ଏହା ଚାଲୁଥିବାର ଅଭିଯୋଗ ଆଣିଛି ବିଜେପି। ଆଉ ଶାସକ ଦଳ କହିଛି, ଜାଲି ସାର୍ଟିଫିକେଟ ଯିଏ ବି କରୁନା କାହିଁକି, ତାହା ଜଘନ୍ୟ ଅପରାଧ। ଏଥିରେ ଯିଏ ସଂଶ୍ଳିଷ୍ଟ ଥିବେ, ସେମାନେ ଦୋଷୀ। ଦଳମତ ନିର୍ବିଶେଷରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

    ବଲାଙ୍ଗୀର ଡାକ ମଣ୍ଡଳରେ ଜାଲି  ସାର୍ଟିଫିକେଟ ଦେଇ ଚାକିରୀ ଆବେଦନ କରି କେତେଜଣ ପ୍ରାର୍ଥୀ ଧରାପଡିବା ପରେ ପୁଲିସ ତଦନ୍ତ କରି ଏହି ରାକେଟକୁ ଧରିଛି। ଜାଲି ସାର୍ଟିଫିକେଟ କାରବାର ଆନ୍ତଃ ରାଜ୍ୟ ରାକେଟ ହୋଇଥିବାରୁ ଏହାର ପର୍ଦ୍ଦାଫାସ କରିବାକୁ ବଡ଼ ଧରଣର ଆକ୍ସନ ଜରୁରୀ।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ରାଜ୍ୟରେ କୁଆଡେ ଗଲା ଶିଳ୍ପ: ବିରୋଧୀ

    () ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ନେଇ ବିରୋଧୀ ରାଜ୍ୟ ସରକାରକୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିଥିଲେ ରାଜ୍ୟକୁ ମେକ ଇନ ଓଡିଶାରେ ବାହାର ନିବେଶକଙ୍କ ଆଗମନ ହେଉନଥିଲା। ଆଉ ଏହାକୁ ନେଇ ଆଜି ବିରୋଧୀ ବିଧାନସଭାରେ ଘେରିଛନ୍ତି ସରକାରକୁ।

    ମେକ୍ ଇନ ଓଡ଼ିଶା ହେଉଛି ତ  ଶିଳ୍ପ କୁଆଡ଼େ ଯାଉଛି? ଶିଳ୍ପପତି କେତେ ଆସିଲେ? ନୂଆ ଶିଳ୍ପନୀତି କେତେ ପ୍ରଭାବଶାଳୀ? ଓଡ଼ିଆଙ୍କୁ ତ ନିଯୁକ୍ତି ମିଳୁନି। ତା ହେଲେ ଏଭଳି କାର୍ଯ୍ୟକ୍ରମ ଜରିଆରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିବାର ଅର୍ଥ କଅଣ। ଦଳମତ ନିର୍ବିଶେଷରେ କିଛି ଏମିତି ଢଙ୍ଗରେ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଉଦବେଗ ପ୍ରକାଶ ପାଇଥିଲା। ଆଉ ଶିଳ୍ପମନ୍ତ୍ରୀ କହିଛନ୍ତି, ଯଥେଷ୍ଟ ପୁଞ୍ଜିନିବେଶ ସହ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ତିଆରି ହୋଇଛି। ୨୦ ପ୍ରତିଶତ ଓଡ଼ିଆଙ୍କୁ  ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବାର ପ୍ରାବଧାନ ରଖାଯାଇଛି।

    ମେକ୍ ଇନ ଓଡ଼ିଶା ହେଲା। ଭୁବନେଶ୍ୱର ସମେତ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀରେ କନକ୍ଲେଭ କଲ। କେତେ ଶିଳ୍ପପତି ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ଦେଖାଇଲେ। ଓଡ଼ିଶାରେ କେତେ ନିଯୁକ୍ତି ସୃଷ୍ଟିର ସମ୍ଭାବନା ତିଆରି ହେଲାଣି। ଯେଉଁଠି ବି ଦେଖିଲେ ଅଣଓଡ଼ିଆ। ଓଡ଼ିଆଙ୍କ ନିଯୁକ୍ତି କେବଳ ସିକ୍ୟୁରିଟି ଚାକିରୀରେ ସୀମିତ। ଓଡ଼ିଶାକୁ ଆସୁଥିବା ଶିଳ୍ପପତିଙ୍କ ସ୍ୱାର୍ଥରେ ମାତିଛନ୍ତି ଅଣଓଡ଼ିଆ ଅଫିସର। କୋଟି କୋଟି ଟଙ୍କା ଖାଇଗଲେଣି। କିନ୍ତୁ ନିଯୁକ୍ତି କାଇଁ। ବେକାରୀ ସମସ୍ୟା ଉତ୍କଟରୂପ ଧାରଣ କଲାଣି। ଲୋକେ ଜମି ଦେଇ ଶିଳ୍ପକୁ ଚାହିଁବସିଛନ୍ତି। ହେଲେ ଶିଳ୍ପ ପ୍ରତିଷ୍ଠା ହେଉନି। ଦଳମତ ନିର୍ବିଶେଷରେ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଶିଳ୍ପ ମନ୍ତ୍ରୀଙ୍କୁ କିଛି ଏମିତି ଢଙ୍ଗରେ ଘେରିଥିଲେ ସଭ୍ୟ।

    ଏପରିକି ଶିଳ୍ପ ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ରିହାତିରେ କଞ୍ଚାମାଲ ଦେବାର ବ୍ୟବସ୍ଥା କରିଲେ, ସେମାନେ ବଞ୍ଚିଯାଆନ୍ତେ। କିନ୍ତୁ ଛୋଟ ଛୁଞ୍ଚି ପାଇଁ ବି ତୃତୀୟ ମହଲାକୁ ଅଧିକାରୀ ଦେଖାଉଛନ୍ତି କହି ତୀର୍ଯ୍ୟକ ତୀର ମାରିଛନ୍ତି କିଛି ସଭ୍ୟ। ସେପଟେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ପୁଞ୍ଜିନିବେଶରେ ଜାତୀୟହାରରୁ ଓଡ଼ିଶା ଆଗରେ ରହିଛି। ଜାତୀୟ ହାର ୨୨ ପ୍ରତିଶତ ଥିଲା ବେଳେ ଓଡ଼ିଶାରେ ୪୫ରୁ ୪୭ ପ୍ରତିଶତ ରହିଛି। ମେକ ଇନ ଓଡ଼ିଶା-୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି। ଏହା କାର୍ଯ୍ୟକ୍ଷମ ହେଲେ ୧୦ଲକ୍ଷ ୪୮ହଜାର୮୦୭ କୋଟିଟଙ୍କାର ପୁଞ୍ଜିନିବେଶ ସହ ୧୦ଲକ୍ଷ ୩୭ହଜାର ୮୦୧ ନିଯୁକ୍ତି ସୁଯୋଗ ସୃଷ୍ଟିର ଆକଳନ ହେବ। ୨୦ ପ୍ରତିଶତ ଓଡ଼ିଶାବାସୀଙ୍କୁ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି। ଶିଳ୍ପ ପ୍ରତିଷ୍ଠା ଲାଗି ଅନୁକୂଳ ପରିବେଶ ସହ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ଶିଳ୍ପସଂସ୍ଥାଗୁଡ଼ିକ ଟେକ୍ନୋଲୋଜି ଉପରେ ଅଧିକ ନିବେଶ କରି ଲାଭ ଦେଖୁଥିବାରୁ ମାନବସମ୍ୱଳରେ କମ୍ ବିନିଯୋଗ ହେଉଥିବା ସ୍ୱୀକାର କରିଛନ୍ତି ମନ୍ତ୍ରୀ।

    ନିବେଶ ଆସିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ବଢ଼ିବ। ହେଲେ ଓଡ଼ିଆଙ୍କୁ ସେହି ଅନୁପାତରେ ନିଯୁକ୍ତି ମିଳୁନଥିବାରୁ ଗୃହରେ ଉଦବେଗ ବାରି ହୋଇପଡ଼ୁଥିଲା।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ବିଧାନସଭାରେ ମହାନଦୀ କମ୍ପନ

    () ମହାନଦୀ ତାତିରେ ଆଜି ବିଧାନସଭାରେ କମ୍ପନ ଦେଖିବାକୁ ମିଳିଛି। ରାଜ୍ୟର ଜୀବନ ରେଖା କୁହାଯାଉଥିବା ମହାନଦୀ ରକ୍ଷା ପାଇଁ ଶାସକ ବିଜେଡିର ନାହିଁ ଆନ୍ତରିକତା। ଏପରି ଅଭିଯୋଗ ଆଣି ପ୍ରଶ୍ନୋତ୍ତର କାଳ ବାତିଲ କରି ଆଗ ମହାନଦୀ ଉପରେ ମୋସନ ଆଣି ଆଲୋଚନା କରିବାକୁ ଅଡ଼ି ବସିଥିଲେ ବିରୋଧୀ। ହେଲେ ବଜେଟ ଅଧିବେଶନ ବେଳେ ମୋସନ ଆସିପାରିବନି ବୋଲି ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ଆଉ ଏଭଳି ସ୍ଥିତି ଦେଖି ବିଜେଡି ସଭ୍ୟ ବି ନିଜ ନିଜ ଆସନରେ ଛିଡ଼ା ହୋଇ ଉଭୟ ବିରୋଧୀ ଦଳ ଜାଣିଶୁଣି ଗୃହକୁ ଅଚଳ କରୁଥିବାର ନାରାବାଜି କରିବାରୁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ହୋଇଥିଲା।

    ପ୍ରଶ୍ନକାଳ ବାତିଲ୍ କରି ମହାନଦୀ ଉପରେ ସ୍ୱତନ୍ତ୍ର ମୋସନ ଆଣି ଆଲୋଚନା ହେଉ ବୋଲି ଦାବି କରିଥିଲେ ନରସିଂହ ମିଶ୍ର। ଆଉ ନରସିଂହଙ୍କ ସମର୍ଥନରେ ବାହାରିଥିଲେ ବିଜେପି ସଭ୍ୟ। ସିପିଏମ ସଭ୍ୟ ଲକ୍ଷ୍ମଣ ମୁଣ୍ଡା ବି ସମର୍ଥନରେ ବାହାରି ଗୃହର ମଧ୍ୟଭାଗକୁ ଆସିଥିଲେ। ମହାନଦୀ ଜଳ ବିବାଦ ସମସ୍ୟା ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଥିଲେ, ସର୍ବଦଳୀୟ କମିଟି ହେଉ। ନିର୍ବାଚନ ଆସିଲେ ମହାନଦୀ ଶୁଖି ଗଲାଣି ବୋଲି ଶାସକ ଦଳର ମନେ ପଡ଼ୁଛି। ସେପଟେ ବଜେଟ ଆଲୋଚନା ବେଳେ ମୋସନ ଆସିପାରିବନି ବୋଲି ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ପ୍ରଶ୍ନକାଳକୁ ଚାଲିବାକୁ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ବାଚସ୍ପତି। ସେପଟେ ଶାସକ ଦଳ ବି ନିଜ ନିଜ ଆସନରେ ଛିଡ଼ା ହୋଇ ବିଜେପି-କଂଗ୍ରେସ ଭାଇ ଭାଇ ନାରାରେ କମ୍ପାଇଥିଲେ ଗୃହକୁ। ପ୍ରଶ୍ନକାଳକୁ ଅଚଳ କରିବା ପଛରେ ବିରୋଧୀଙ୍କ ମିଳିତ ଫନ୍ଦି ବୋଲି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ଅଚଳ କରିଦେଇଥିଲେ।

    ସେପଟେ ଶାସକ ଦଳ କହିଛି, ମହାନଦୀ ଓଡ଼ିଶାର ଜୀବନ ରେଖା। ବୁଧବାର ମହାନଦୀ ସମସ୍ୟା କଥାକୁ ଗୃହରେ ଉଠାଇଥିଲା ଶାସକ ଦଳ। ଜଳସମ୍ପଦ ମନ୍ତ୍ରୀ ଏ ନେଇ ବିବୃତ୍ତି ରଖିବେ ବୋଲି ବାଚସ୍ପତି ବି ନିର୍ଦେଶ ଦେଇସାରିଛନ୍ତି। ତା ସତ୍ତ୍ୱେ ଡ୍ରାମା କରି ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧୀ। ମହାନଦୀ ସ୍ୱାର୍ଥରେ ଥିଲେ, ମୁଲତବୀ ପ୍ରସ୍ତାବ ଦେଇପାରିଥାଆନ୍ତେ ବିରୋଧୀ। ଛତିଶଗଡ଼ର କଂଗ୍ରେସ ଓ କେନ୍ଦ୍ରର ବିଜେପି ସରକାର ମହାନଦୀ ପାଣି ଖାଇଗଲେ ବୋଲି ଆରୋପ ଲଦିଛି ଶାସକ ଦଳ।

    ମହାନଦୀ ଜଳବିବାଦ ତୁଟାଇବାକୁ କାହାର ଆନ୍ତରିକତା ଅଛି। ଛତିଶଗଡ଼ରେ ସରକାର ବଦଳୁଛି। କେନ୍ଦ୍ରରେ ବିଜେପି କ୍ଷମତାରେ ଅଛି। ଓଡ଼ିଶାରେ ନିରନ୍ତର କ୍ଷମତାରେ ଅଛି ବିଜେଡି। ମହାନଦୀ ଲାଗି ବିଜେଡିର ଲୁହ ରାଜନୈତିକ ଫାଇଦା ପୂରଣ ପାଇଁ କୁମ୍ଭୀର କାନ୍ଦଣା କାନ୍ଦ ନା ଅଛି ସତରେ ଆନ୍ତରିକତା, ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଶ୍ୱେତପତ୍ରକୁ ନେଇ ବିରୋଧୀଙ୍କ ତୀର୍ଯ୍ୟକ ତୀର

    () ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଥମିବାର ନାମ ନେଉନି। ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ଏହି ପ୍ରସଙ୍ଗରେ ସରକାରକୁ ଘାଇଲା କଲାଣି। ଏହାରି ମଧ୍ୟରେ ଆଜି ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ପୁଲିସର ଦକ୍ଷତାକୁ ରାଜନୈତିକ ଚାପ କେମିତି କମାଇସାରିଲାଣି, ସେ କଥାର ଅବତାରଣା କରି ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ ଦଳ। ସର୍ବୋପରି ହାଇପ୍ରୋଫାଇଲ ନବ ଦାସ ହତ୍ୟାକାଣ୍ଡର ଗୁମର ଏ ଯାଏ ଖୋଲିନପାରିବାର କଥାକୁ ଉଖାରିଛନ୍ତି। ଆଉ ଶାସକ ଦଳ କହିଛି, ଅପରାଧ ହାରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି। ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

    ଗୃହ ବିଭାଗର ଶ୍ୱେତପତ୍ରକୁ ନେଇ ବିରୋଧୀଙ୍କ ତୀର୍ଯ୍ୟକ ତୀର। ଦୁଷ୍କର୍ମ କମିଛି। କିନ୍ତୁ ଧର୍ତ୍ତବ୍ୟ ଅପରାଧ ବଢ଼ିଛି ବୋଲି ଶ୍ୱେତପତ୍ର ଦର୍ଶାଇଛି। ରାଜ୍ୟରେ ଆଇନଶୃଙ୍ଖଳା ୨୦୨୨ରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଗୃହ ବିଭାଗ ତଥ୍ୟ ଥୋଇଥିଲା ବେଳେ ବିରୋଧୀ କିନ୍ତୁ ଗୋଟିଏ ଗୋଟିଏ ଘଟଣାର ନଜିର ଦେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଲକ୍ଷେ ଜନସଂଖ୍ୟାରେ ଓଡ଼ିଶାରେ ୧୩୦ ଜଣ ପୁଲିସ କର୍ମଚାରୀ ଥିଲା ବେଳେ ଜାତୀୟ ହାରରେ ଏହା ରହିଛି ୧୫୬। ଛତିଶଗଡ଼ରେ ୨୨୧, ଦିଲ୍ଲୀରେ ୪୧୦ ଓ ନାଗାଲାଣ୍ଡରେ  ଲକ୍ଷେ ଲୋକଙ୍କ ଲାଗି ୧୩ଶହ ପୁଲିସ କର୍ମଚାରୀ ନିୟୋଜିତ ଥିବା ତୁଳନାତ୍ମକ ତଥ୍ୟ ଥୋଇଥିଲେ ବିରୋଧୀ। ପୁଲିସ ଶୃଙ୍ଖଳିତ ନୁହେଁ କି ସଂସ୍କାର ବି ଦେଖାଯାଉନି ବିଭାଗରେ। ଭିଜିଲାନ୍ସରେ ବର୍ଷ ବର୍ଷ ଧରି ମାମଲା ଗଡ଼ୁଛି। ନବ ଦାସ ହତ୍ୟାକାଣ୍ଡରେ ଗୋପାଳକୁ ପାଗଳ କରିବାକୁ ବ୍ୟାକୁଳ ସରକାର। ଷଡ଼ଯନ୍ତ୍ରର ପାର୍ଟକୁ ଛୁଇଁବାକୁ ଚାହୁଁନାହାନ୍ତି ସରକାର। ରାଜନୈତିକ ଉଦ୍ଦେଶ୍ୟରେ ପୁଲିସ କାମ କରୁଥିବାରୁ ପୁଲିସର ଦକ୍ଷତା କମିବାରେ ଲାଗୁଛି। ପୁଲିସକୁ ଅଣପୁଲିସ କାମର ଦାୟିତ୍ୱ ଦିଆଯାଉଛି। ଓଡ଼ିଶାରେ ପୁଲିସ ରାଜ୍ ଚାଲିଛି। ଏନସିଆରବି ତଥ୍ୟ ଅନୁସାରେ ଦଣ୍ଡବିଧାନ ହାର ୫.୭ ରହିଛି। କିନ୍ତୁ ସରକାର ବାହାସ୍ଫୋଟ ମାରୁଛନ୍ତି, ଦଣ୍ଡବିଧାନ ହାର ଭଲ ଅଛି। ସରକାରଙ୍କ ତଳୁ ଉପର ଯାଏ ଦୁର୍ନୀତି ଚରିଗଲାଣି। ଜିରୋ ଟଲେରାନ୍ସ ହାସ୍ୟାସ୍ପଦ।

    ସେପଟେ ଶାସକ ଦଳ କହିଛି, ଅପରାଧ ବଢ଼ିନି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି। ସେଥିଲାଗି ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ଉପରେ ଆସ୍ଥାପ୍ରକଟ କରୁଛନ୍ତି। ନିଜ ଦଳର ସ୍ଥିତି ଜାହିର ପାଇଁ ଉଭୟ ବିରୋଧୀ ଦଳ ଆଇନଶୃଙ୍ଖଳା କଥା ଉଠାଉଛନ୍ତି।

    ନବ ଦାସ ହତ୍ୟାକାଣ୍ଡରେ ଏ ଯାଏ କ୍ରାଇମବ୍ରାଞ୍ଚ ଗୁମର ଖୋଲିପାରିଲାନି। ତଦନ୍ତର କୌଣସି ଦିଗକୁ ଛଡ଼ାଯାଉନି ବୋଲି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବିରୋଧୀଙ୍କୁ ଥଣ୍ଡା କରିଦେବା ବଦଳରେ ଅଧିକ ସନ୍ଦେହୀ କରିଦେଇଛି।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ବିଧାନସଭାରେ ଲୁମେକ୍ସ ତୋଫାନ

    () ସରକାର ସ୍ବଚ୍ଛ ଶାସନ ପାଇଁ ନିଜ ପିଠି ଥାପୁଡାଉଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରର ଦୁର୍ନୀତି ବା କାର୍ଯ୍ୟ ପ୍ରତି ଅବହେଳା ପ୍ରତି ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରୁଥିବା ଶାସକ ଦଳ କହୁଛି। ହେଲେ ନ୍ୟାୟାଳୟର ନିର୍ଦେଶକୁ ଫୁ କରି କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଠକ ଦମ୍ପତ୍ତି ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀଙ୍କ ଦେହରେ ହାତ ଦେଉନି ପୁଲିସ। ତଥାପି ସରକାର ଚୁପ।  ଯାହାକୁ ନେଇ ଆଜି ବିଧାନସଭାରେ ଉଠିଲା ପ୍ରସଙ୍ଗ। ଜଣେ ଆଇପିଏସଙ୍କ ସମ୍ପର୍କୀୟ ହେତୁ ପୁଲିସ ପଛଘୁଞ୍ଚା ଦେଉଛି କି ବୋଲି ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ବିରୋଧୀ। ନ୍ୟାୟ ଲାଗି ସବୁ ଫୋରମକୁ ଗଲା ସତ୍ତ୍ୱେ ନିବେଶକ ସହାୟତା ନ ପାଇ ହେଉଛି ଅସହାୟ। ଏହା ଉପରେ କଅଣ କରୁଛନ୍ତି ସରକାର ବୋଲି ତମ୍ୱିତୋଫାନ କରିଛନ୍ତି ବିରୋଧୀ ଦଳ।

    ବିଧାନସଭାରେ ଠକ ଦମ୍ପତ୍ତିଙ୍କ କାରନାମାକୁ ନେଇ ବିରୋଧୀଙ୍କ ତମ୍ୱିତୋଫାନ୍। କିଏ ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ରକ୍ଷାକବଚ ସାଜିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ୱେ କାହିଁକି ଏ ଯାଏ ବାନ୍ଧିନି ପୁଲିସ୍। କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ବୋଲି କଥା ପଦାକୁ ଆସିଛି। ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବଙ୍କଠୁ ନେଇ ଡିଜିଙ୍କ ଯାଏ, ସମସ୍ତଙ୍କୁ ଅଭିଯୋଗକାରିଣୀ ନ୍ୟାୟ ଲାଗି ଗୁହାରି କଲେ। ହେଲେ ଆକ୍ସନ କାଇଁ। ନିଶାରାଣୀ ମହାପାତ୍ରଙ୍କଠୁ ଲୁମେକ୍ସ ସଂସ୍ଥା ନାଁରେ କେବଳ ସାଢ଼େ ୫ କୋଟି ଲୁଟିନାହାନ୍ତି। ତାଙ୍କ ସ୍ୱାମୀ ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ବି ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ୫ କୋଟିରୁ ବେଶୀ ଟଙ୍କାର ଚୂନ ଲଗାଇଛନ୍ତି। ସବୁ ପ୍ରମାଣ ହାତପାହାନ୍ତାରେ।

    ତଥାପି ପୁଲିସ କାହା ଚାପରେ ପଛାଉଛି ବୋଲି ପଚାରିଛନ୍ତି ବିରୋଧୀ ଦଳ ନେତା। ଆଉ ବିରୋଧୀ ଦଳ ନେତାଙ୍କ ସହ ସମସ୍ୱରରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଠକ ବୁଲୁଛି। ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହି ଜ୍ଞାନ ବାଣ୍ଟୁଛି। ଯେଉଁ ସବୁ ସଂସ୍ଥା ସହ କାରବାର କରୁଥିବା କଥା କହି ଜାଲି ଦସ୍ତାବିଜ୍ ବଳରେ ରାଜୀବ, ସୋନିଆ ଓ ତାଙ୍କ ଅନ୍ୟ ୩ ସହଯୋଗୀ ହିମାଂଶୁ, ଉଷା ଓ ବିମଳ ଠକିଛନ୍ତି। ସେ ସବୁ ସଂସ୍ଥା ବି ରାଜୀବଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏତଲା ଉପରେ ଥରୁଟିଏ ହେଲେ ବି ପୁଲିସ ତଦନ୍ତ କରିଛି କି। ଅନ୍ୟ ତିନି ଅଭିଯୁକ୍ତଙ୍କ ପାଖରେ କେତେ ଥର ପହଞ୍ଚି ତନାଘନା କଲାଣି ପୁଲିସ। ଏ ସବୁ ପ୍ରଶ୍ନର ଉତ୍ତର ଆଜି ଚାହୁଁଛନ୍ତି ରାଜ୍ୟବାସୀ।

    ସେପଟେ ଶାସକ ଦଳ ବେଶ୍ ମାପିଚୁପି ଏହା ଉପରେ ବୟାନ ରଖିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ କରିବା କଥା। ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଗିରଫ ହେବେ। ଆଇନ ଆଖିରେ ସମସ୍ତେ ସମାନ କହି ପ୍ରସଙ୍ଗକୁ ଏଡାଇବାକୁ ଶାସକ ଦଳ ଚେଷ୍ଟା ଚଳାଛି। ଯଦି ଆଇନ ଆଖିରେ ସବୁ ସମାନ ତେବେ ଠକ ଦମ୍ପତ୍ତି ଓ ସେମାନଙ୍କ ସହଯୋଗୀ ଏ ଯାଏ କଅଣ ପୁଲିସ ସ୍କାନରକୁ ଆସିପାରିନାହାନ୍ତି? ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ବି ଅନୁପାଳନ କରିବାକୁ ପୁଲିସ ପଛାଇବା ପଛରେ ରହସ୍ୟ କଅଣ? ଲୁମେକ୍ସ ଓ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଲୋକଙ୍କୁ ଚୂନ ଲଗାଇଥିବା ରାଜୀବର କାରସାଦି ଓ ସରକାରୀ ବ୍ୟବସ୍ଥାର ଅସହାୟତାକୁ ନେଇ ଏମିତି ତମାମ ପ୍ରଶ୍ନ ଓ ସନ୍ଦେହ ଘୁରିବୁଲୁଛି।

    ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଏହି ଠକ ସଂସ୍ଥା, ଠକ ଦମ୍ପତି ତଥା ସେମାନଙ୍କୁ ସୁରକ୍ଷା ଦେଉଥିବା ଆଇପିଏସଙ୍କ ସମ୍ପର୍କରେ ନାନା ତଥ୍ୟ ପ୍ରମାଣ ଦିଆଯିବା ପରେ ମଧ୍ୟ ସରକାରଙ୍କ ନିରବତା ସରକାରର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର!

    () ପଞ୍ଚାୟତର ସମ୍ୱଳ ବଢିବାକୁ ତାଳ ଦେଇ ବଢିଚାଲିଛି ଦୁର୍ନୀତିର ରୂପରେଖ। ପଞ୍ଚାୟତକୁ ଯାହା ମିଳୁଛି ସେତିକି ଅଣ୍ଟୁନି। ଅତିରିକ୍ତ ସମ୍ୱଳର ଆବଶ୍ୟକତା ପଡୁଛି। ଅଧିକାଂଶ ପଞ୍ଚାୟତରେ ୨ ଦେଇ ୫ ଖାଇବା ନୀତି ଚାଲିଛି। ଦଳମତ ନିର୍ବିଶେଷରେ ପଞ୍ଚାୟତର ରାଜସ୍ୱ ସଂଗ୍ରହ ଓ ଏହାର ସୁପରିଚାଳନାକୁ ନେଇ ଅଙ୍ଗୁଳି ଉଠାଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପ୍ରଶ୍ନୋତ୍ତର କାଳରେ ନାକେଦମ୍ କରିଦେଇଥିଲେ।

    ୬,୭୯୮ ପଞ୍ଚାୟତରୁ ୨,୨୬୯ ପଞ୍ଚାୟତ ନିଜର ଆୟ ବୃଦ୍ଧି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଛନ୍ତି। ସରକାରୀ ଅନୁଦାନ ଓ ସାହାଯ୍ୟ ପାଇବା ବ୍ୟତୀତ ନିଜେ ଅତିରିକ୍ତ ସମ୍ୱଳ ସଂଗ୍ରହ କରି ବିକାଶମୂଳକ କାମରେ ଖର୍ଚ୍ଚ କରୁଛନ୍ତି। ପ୍ରଶ୍ନୋତ୍ତର କାଳରେ ପଞ୍ଚାୟତିରାଜ ମନ୍ତ୍ରୀ ଏଭଳି ଉତ୍ତର ରଖିଥିବାରୁ ପଞ୍ଚାୟତ କେମିତି ଦୁର୍ନୀତିର ଗନ୍ତାଘର ପାଲଟିଲାଣି, ତାକୁ ନେଇ ଗୋଟି ଗୋଟି ତଥ୍ୟ ଥୋଇଥିଲେ ଦଳମତ ନିର୍ବିଶେଷରେ ଅନେକ ସଭ୍ୟ। କେନ୍ଦୁଝର ଘସିପୁରା ବ୍ଲକ ମୋକୁନ୍ଦପାଟଣାର ଜିଆରଏସ ଓ ତାଙ୍କ ସ୍ୱାମୀ କୋଟି କୋଟି ଅର୍ଥ ହେରଫେରରେ ମାତିଛନ୍ତି। ମନଇଛା ଆୟ ଆଉ ମନଇଛା ଖର୍ଚ୍ଚ ଚାଲିଛି। ୨ହଜାର ଦେଇ ୫ହଜାର ମାରି ଖାଉଛନ୍ତି ବୋଲି ବିଧାୟକ ବଦ୍ରି ପାତ୍ର ସଙ୍ଗୀନ ଅଭିଯୋଗ ଆଣିଥିଲେ। ଆୟବ୍ୟୟର ଅଡିଟ ହେଉନି। ବାହିନୀପତି କହିଥିଲେ, ପଞ୍ଚାୟତ ପିସିର ପେଣ୍ଠସ୍ଥଳୀ ପାଲଟିଛି। ଆଉ କିଏ କହିଥିଲା, ଚାଉଳ ଯୋଗାଣରେ ଦୁର୍ନୀତି କରି ପଞ୍ଚାୟତ କର୍ମଚାରୀ ନିଲମ୍ୱିତ ହେଲେଣି ବର୍ଷେ ହେଲା। ହେଲେ ସେମାନଙ୍କ ଦୋଷ ଲାଗି ବର୍ଷେ ହେଲା ଚାଉଳ ପାଉନାହାନ୍ତି ଲୋକେ।

    କେବଳ ଏତିକି ନୁହେଁ, ପଞ୍ଚାୟତର ଆର୍ଥିକ କ୍ଷମତା ବଢାଇବା ସହ ଲଘୁ ବନଜାତଦ୍ରବ୍ୟ ଉପରେ ଟିକସ ବସାଇବାକୁ ଅନେକ ଦାବି କରିଥିଲେ। ଅନେକ ଅନୁଷ୍ଠାନ ପଞ୍ଚାୟତରେ ଥିଲେ ବି ସେମାନେ ଟଙ୍କାଟିଏ ବି ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଦେଉନାହାନ୍ତି ବୋଲି ଅନେକ ସଭ୍ୟ ଉଦବେଗ ପ୍ରକାଶ କରିଥିଲେ। ଏ ସବୁକୁ ଦେଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ପଞ୍ଚାୟତ ଆୟବ୍ୟୟର ଅଡିଟ୍ ହେବ। ଅର୍ଥ ସୁପରିଚାଳନା ପାଇଁ ଅନଲାଇନ ପୋର୍ଟାଲର ବ୍ୟବସ୍ଥା ହୋଇଛି। ଇ-ପଞ୍ଚାୟତ ସଭା ପୋର୍ଟାଲରେ ପଞ୍ଚାୟତ ବୈଠକର ବିବରଣୀ, ଆୟବ୍ୟୟ ସମ୍ୱନ୍ଧୀୟ ତଥ୍ୟ ଉପଲବ୍ଧ ରହିବ।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଅଫିସର ମାନୁନାହାନ୍ତି

    () ଅଫିସର ମାନୁନାହାନ୍ତି। କିଏ ଦୀର୍ଘ ବର୍ଷ ଧରି ଗୋଟିଏ ପଦରେ ବସିଛି ତ କିଏ ଏକାଧିକ ବିଭାଗ ଯାବୁଡ଼ି ଧରିଛି। ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେଉନାହାନ୍ତି। ପୁଣି ଫାଇଭ-ଟି ଓ ମୋ ସରକାରର ଉପକ୍ରମ ଉଠାଇ ଆଜି ଶୂନ୍ୟକାଳରେ ବିରୋଧୀ ଦଳ ଏଭଳି ତେରେଛା ତୀର ମାରିଛି ସରକାରଙ୍କୁ। କାହା ସ୍ୱାର୍ଥରେ କାମ କରୁଛନ୍ତି ପ୍ରଶାସନିକ ଅଧିକାରୀ ବୋଲି ପ୍ରଶ୍ନ ପଚାରିଛନ୍ତି। ବାଚସ୍ପତି ସୁରକ୍ଷା ଦିଅନ୍ତୁ ବୋଲି ଅଳି କରିଛି। ସେପଟେ ଶାସକ ଦଳ ଏହାର ଜବାବ ରଖିଛି।

    ଆଇଏଏସ ଜି.ମାଥିଭାଥନ। ନଗର ଉନ୍ନୟନ ବିଭାଗର ସଚିବ ଭାବେ ୨୦୧୪ରୁ ରହିଲେଣି। ତାଙ୍କର ବଦଳି ହେଉନି। ବିଧାୟକ ଫୋନ୍ କଲେ ମାଥିଭାଥନ ଫୋନ୍ ଧରନ୍ତିନି। ବୁକ୍ ସର୍କୁଲାର ୪୭ ଚୁଲିକି ଗଲାଣି। ସ୍ୱେଛାଚାରିତା ସାଙ୍ଗକୁ ଏତେ ଗର୍ବୀ ଯେ, ମାଥିଭାଥନ କାହା କଥା ଶୁଣନ୍ତିନି। ଆଇଏଏସ ବୀରବିକ୍ରମ ଯାଦବ। ଯୋଗାଣ ସଚିବ ରହିଲେଣି ୨୦୧୭ରୁ। ତାଙ୍କର ବି ବଦଳି ହେଉନି। ବଡ଼ କଥା ହେଲା, ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବେଖାତିର କରି ସରକାର ବୀରବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିୟୋଜିତ କରିଛନ୍ତି। କାରଣ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଯିଏ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେବେ, ତାଙ୍କୁ ଅନ୍ୟ କୌଣସି ବିଭାଗର ଦାୟିତ୍ୱ ଦିଆଯିବନି।

    ବିଧାନସଭାର ଶୂନ୍ୟକାଳରେ ଫାଇଭ-ଟି ଓ ମୋ ସରକାର ଉପକ୍ରମ ଆଳରେ ଆଜି ବିରୋଧୀ ଦଳର ମିଳିତ ସ୍ୱର ଓ ପ୍ରତିବାଦ ଦେଖିବାକୁ ମିଳିଥିଲା। କିଭଳି ନିର୍ଦ୍ଦିଷ୍ଟ ଆଇଏଏସ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସକାଶେ ଓ ସମ୍ପର୍କର ସୁଯୋଗ ନେଇ ଅହଙ୍କାରରେ ମାତିଛନ୍ତି।  ଏଇଟା କଅଣ ଫାଇଭ-ଟି କି ବୋଲି ପୁଣି ଉଖାରିଥିଲେ କଥା। ଏ ତ ଗଲା ସଚିବସ୍ତରର କଥା। କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କଥା ନ କହିବା ଭଲ। ଏମାନଙ୍କର ବି ଦୀର୍ଘ ଦିନ ଧରି ବଦଳି ହେଉନି। କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନିକ କାମ ଛାଡ଼ି ବେପାରରେ ବ୍ୟସ୍ତ। ଖଣି ଅଛି, ମାଲ୍ ଅଛି। ଖଣି ପଇସାରେ ଏ ସରକାର ଚାଲିଛି। କୋଇଡ଼ା ବିଡ଼ିଓ ୩ ବର୍ଷ ହେଲାଣି ରହିଲେଣି। ତାଙ୍କର ବଦଳି ବାରମ୍ୱାର ବାତିଲ୍ କାହା ସ୍ୱାର୍ଥରେ ବୋଲି ପଚାରିଛନ୍ତି ବିରୋଧୀ। ଘରେ ଅଫିସ ଚଳାଉଛନ୍ତି କୋଇଡା ବିଡ଼ିଓ। ଏପରିକି ସଂପୃକ୍ତ ବିଡିଓ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଧାନସଭାର ଏଥିକ୍ସ କମିଟିକୁ ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ନରସିଂହ ମିଶ୍ର।

    ସେପଟେ ସରକାର କହିଛନ୍ତି, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ। ସରକାର ବଦଳି ଓ ପୋଷ୍ଟିଂରେ ସବୁବେଳେ ସ୍ୱଛତା ଅବଲମ୍ୱନ କରିଛନ୍ତି। କୌଣସି ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରୁଥିଲେ, ଅଭିଯୋଗ ଆସିଲେ ତା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ମୋ ସରକାର ଓ ଫାଇଭ-ଟିକୁ ନେଇ ଗଲା ତିନି ଦିନ ହେଲା ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କ୍ରମାଗତ ବିଭିନ୍ନ ଉପକ୍ରମ ଆଳରେ ଟାର୍ଗେଟ କରିଆସୁଛନ୍ତି ସରକାରଙ୍କୁ। ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଅଫିସର ରାଜ୍ ଓ ବଦଳି, ପୋଷ୍ଟିଂରେ ନିୟମ ଉଲ୍ଲଂଘନ ହେଉଥିବା କଥାକୁ ସମର୍ଥନ କରି ବର୍ଷିଛନ୍ତି।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣଭାର କମ୍‌

    () ରାଜ୍ୟ ଋଣଭାରରେ ବୁଡ଼ିଛି କି ନାହିଁ। ଋଣଭାର ହ୍ରାସ ଲାଗି ସରକାର କି ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କିତ ପ୍ରଶ୍ନକୁ ନେଇ ପ୍ରଶ୍ନକାଳରେ ଘମାସାନ ଆଲୋଚନା ବେଳେ ଅର୍ଥମନ୍ତ୍ରୀଙ୍କ ଉତ୍ତର ଓ ପ୍ରଶ୍ନକର୍ତ୍ତାଙ୍କ ତୀର୍ଯ୍ୟକ ତୀର ବିଧାନସଭାରେ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ଋଣ ତୁଳନାରେ ମୁଣ୍ଡ ପିଛା ଆୟ ଅଧିକା ହେତୁ ଏବେ ରାଜ୍ୟର ଋଣ ପୋଷଣୀୟତା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଉ କେନ୍ଦ୍ର ଋଣଜନ୍ତାରେ ପଡ଼ିଛି ବୋଲି ଆକ୍ଷେପକୁ ନେଇ କଥା କଟାକଟିର ପର୍ବ ଦେଖିବାକୁ ମିଳିଥିଲା ଗୃହରେ।

    ଏବେ ରାଜ୍ୟର ମୁଣ୍ଡପିଛା ଋଣ ୨୨ହଜାର୪୨ ଟଙ୍କା। କିନ୍ତୁ ମୁଣ୍ଡପିଛା ଆୟ ୧ ଲକ୍ଷ ୨୮ହଜାର ୮୭୩ ଟଙ୍କା। ସେଥିଲାଗି ଋଣ ଏବେ ସହନୀୟ ସ୍ଥିତିରେ।  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣଭାର କମ୍‌। ସର୍ବମୋଟ୍ ୯୭ହଜାର ୨୦୪ କୋଟି ୯୮ ଲକ୍ଷ ଟଙ୍କା ଋଣ କରିଛି ଓଡ଼ିଶା। ଖୋଲାବଜାର, ନାବାର୍ଡ, ଏନଏସଏସଏଫ,ଭାରତ ସରକାର, ଜିପିଏଫ, ଏଲଆଇସି, ଜିଆଇସି, ଓମଡାଡସି ଆଦିରୁ ଏହି ଋଣ ଆଣିଛନ୍ତି ସରକାର। ଏମିତି ଢଙ୍ଗରେ ତାରାପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନ ଉପରେ ରାଜ୍ୟ ଋଣଭାରରେ ବୁଡ଼ିଛି କି ନାଁ, ପ୍ରଶ୍ନର ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଯାହାକୁ ନେଇ ଚିହିଁକି ଉଠିଥିଲେ ବାହିନୀପତିଙ୍କ ସମେତ ବିଜେପି ସଭ୍ୟ। ମନ୍ତ୍ରୀ ନିର୍ଦ୍ଦିଷ୍ଟ ଉତ୍ତର ଦେବା ବଦଳରେ ଦୀର୍ଘ ସମୟ ଧରି ଉତ୍ତର ପଢ଼ିବାରୁ ଏହାକୁ କଟାକ୍ଷ କରିଥିଲେ ବାହିନୀପତି। କେହି କିଛି ବୁଝିପାରିବେନି କି ଜାଣିପାରିବେନି। ଉନ୍ନୟନମୂଳକ କାମ ପାଇଁ ଋଣ ହୁଏ। କିନ୍ତୁ ଋଣ ପରିଶୋଧ, କମ୍ ସୁଧ ହାରରେ ଋଣ ଆଣିବା ଓ ସର୍ବୋପରି କେଉଁଠି ଋଣ ଟଙ୍କା ଖର୍ଚ୍ଚ ହେଉଛି କହି ଉତ୍ତର ମାଗିଥିଲେ ଦଳମତ ନିର୍ବିଶେଷରେ ସଭ୍ୟଗଣ।

    ସେପଟେ ମନ୍ତ୍ରୀ କହିଛନ୍ତି, ଋଣ ଅର୍ଥର ଅଧିକ ବିନିଯୋଗ ସେବା ଓ ଭିତ୍ତିଭୂମିରେ ହେଉଛି। ଆଗ ଏକାକୀ କୃଷି କ୍ଷେତ୍ରରେ ଋଣର ୬୦ ପ୍ରତିଶତ ବ୍ୟୟ ହେଉଥିଲା। ଏବେ ଏହା କମି ୨୨ ପ୍ରତିଶତକୁ ଖସିଛି। ଆଉ ଋଣ ଭାର କମାଇବା ସହ କମ୍ ସୁଧରେ ଋଣ ଆଣିବାକୁ ସରକାର କି ବ୍ୟବସ୍ଥା କରିଛନ୍ତି, ତାକୁ ନେଇ ସରକାରଙ୍କଠୁ ଉତ୍ତର ଲୋଡ଼ିଥିଲେ ସଭ୍ୟ।

    ରାଜ୍ୟ ଋଣଭାରରେ ବୁଡ଼ିନି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଋଣ ଆଣିବା, ଠିକ୍ ସମୟରେ ପରିଶୋଧ କରିବା ଓ ଋଣ ଅର୍ଥ ସୁପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ବୋନସ ଦେବା ଆଦି କଥା କହିଛନ୍ତି ଅର୍ଥମନ୍ତ୍ରୀ।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଫାଇଭ- ଟି କଣ?

    () ଫାଇଭ- ଟି କୁ ନେଇ ବିଧାନସଭାରେ ଝଡ଼। ଶୂନ୍ୟକାଳରେ ଫାଇଭ-ଟି ଏକ ବିଭାଗ ନା ଆଉ କଅଣ ବୋଲି ପଚାରି ସରକାରଙ୍କଠୁ ସ୍ପଷ୍ଟିକରଣ ମାଗିଥିଲେ ବିରୋଧୀ ଦଳ ନେତା। ସେପଟେ ଏହାର ଉତ୍ତରରେ ଶାସକ ଦଳ କହିଛି, ଏହା ଏକ ବିଭାଗ ନୁହେଁ। କିନ୍ତୁ ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିବାକୁ ଫାଇଭ-ଟି ଏକ ମହାମନ୍ତ୍ର।

    ଫାଇଭ-ଟି। ଏହା ଏକ ବିଭାଗ କି। ଯଦି ବିଭାଗ, ଏହାର ଅଫିସ କେଉଁଠି। ଏଥିରେ ଆଉ କିଏ କର୍ମଚାରୀ ଅଛନ୍ତି। ବିଭାଗ ହୋଇଥିଲେ, ଏ ବିଭାଗ ସମ୍ପର୍କିତ ପ୍ରଶ୍ନୋତ୍ତର କରିବାକୁ ସୁଯୋଗ ଦିଆଯାଉ। ଯଦି ବିଭାଗ ନୁହେଁ, ତେବେ ଏଭଳି ପଦବୀ ସୃଷ୍ଟି କରି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ଗୌଣ କରିବା ଉଦ୍ଦେଶ୍ୟ ରହିଛି କି। କାରଣ ଶାସନକୁ କ୍ରିୟାଶୀଳ କରିବା ଓ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବାକୁ ମୁଖ୍ୟ ସଚିବ ଥାଉଁ ଥାଉଁ ଏଭଳି ଫାଇଭ-ଟି କାହିଁକି। ଶୂନ୍ୟକାଳରେ ବିରୋଧୀ ଦଳ ନେତା ଫାଇଭ-ଟି କୁ ନେଇ ଏଭଳି ପ୍ରଶ୍ନ ପଚାରି ବାଚସ୍ପତିଙ୍କ ହସ୍ତକ୍ଷେପ ଓ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଆଉ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଫାଇଭ-ଟି ଉପରେ ସେ ବି ତଥ୍ୟ ଲୋଡ଼ିଛନ୍ତି। ନା ଏଭଳି କୌଣସି ବିଭାଗ ଅଛି ନା ଏହାର କୌଣସି ମନ୍ତ୍ରୀ। ଫାଇଭ-ଟି ହୁଏତ ଏକ ସରକାରୀ ଅର୍ଡର । ମୁଖ୍ୟ ଶାସନ ସଚିବଙ୍କ ଉପରେ କେହି ନାହିଁ।

    ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ଏହାର ଜବାବ ରଖିଛନ୍ତି। ଫାଇଭ-ଟି ଏକ ବିଭାଗ ହୋଇନପାରେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଚିନ୍ତାଧାରା। ଫାଇଭ-ଟି ଏକ ମନ୍ତ୍ର। ଏହା ଆଉ ପ୍ରଶ୍ନ ହୋଇରହିନି। ସାଢ଼େ ୪ କୋଟି ଲୋକଙ୍କ ମନକୁ ଛୁଇଁପାରିଛି। ଦୁର୍ନୀତି କମିଛି। ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସାଜିଛି ଫାଇଭ-ଟି।

    ଫାଇଭ-ଟି କୁ ନେଇ ବିଧାନସଭାରେ ବିରୋଧୀ ଦଳର ପ୍ରଶ୍ନକୁ ନେଇ ସରଗରମ ରହିଥିଲା ଗୃହ।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button